Unknown

 

 

 

 

 

 

 

 

 

 

 

ଗାଁ ମାଟି ଡାକେ

ଶୁକଦେବ ସାହୁ

 

 

 

 

 

 

 

 

 

 

 

ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ମହାନ୍ତିଙ୍କ

ଆନ୍ତରିକ ଶ୍ରଦ୍ଧା ନିବେଦନ ।

 

 

ପଲ୍ଲୀ ଗାଁ ଡାକେ–ରେ ଆଜି

ପଲ୍ଲୀ ଗାଁ ଡାକେ

ଗହୀର ବିଲ–ସରସ ନାଳ

ମାଳତୀ ଲତା ତମାଳ ତାଳ

ତଟିନୀ ତୀର–ଫସଲ ପାଳ

ଡାକେ ତା’ ବୁକୁ ପାଖେ

ଲୋତକ ଭରା ଆଖେ ।

କଲିକତାର ଯନ୍ତ୍ର ଧୂଆଁ

ତମକୁ ଭାଇ, କଲା ଛାନିଆ

ଜଳିଲା ଏଣେ ରକ୍ତ ନିଆଁ

ଶ୍ୟାମଳ ଗାଁଆ ମୁଖେ

ସେ ଗାଁଆ ଆଜି ଡାକେ ।

ଅଭାବ ଆଉ ଯନ୍ତ୍ରଣାରେ

ମାଆ ନୟନୁ ଲୋତକ ଝରେ

ଗାଁଆର ହସ ମିଳାଇ ଯାଏ

ଯନ୍ତ୍ର ଧୂଆଁ ପାଖେ

ପଲ୍ଲୀ ଗାଁଆ ଡାକେ ।

ପଲ୍ଲୀ ଗାଁଆ ଡାକେରେ ଆଜି

ପଲ୍ଲୀ ଗାଁଆ ଡାକେ

“ସହର ଛାଡ଼ି ଗାଁକୁ ଆସ

ଫୁଟାଅ କ୍ଷେତେ ସୁନାର ହସ

ହୁଅନି ଆଉ ପରର ଦାସ

ଆସ ମୋ ବୁକୁ ପାଖେ”

ପଲ୍ଲୀ ଗାଁ ଡାକେ ।

 

–ଯଦୁନାଥ ଦାଶ ମହାପାତ୍ର

☆☆☆

 

ସୂଚୀପତ୍ର

 

୧.

ଗାଁ ମାଟି ଡାକେ

୨.

ଉତ୍ସର୍ଗ

୩.

ଦୀପ ଶିଖା

୪.

ଚିନ୍ତେଇ ସଇଁ

୫.

ମାଟିର ମମତା

☆☆☆

 

ଏତେ ବଡ଼ ବଡ଼ ସହର ଯା’ ପାଇଁ ତିଷ୍ଠି ରହିଚି ସେଇ ଗାଁ ଗହଳଆଡ଼କୁ କେହି ଥରେ ଚାହାନ୍ତି ନାହିଁ । ସେଇଆଡ଼କୁ ଥରେ ଚାହିଁଲେ ଦେଖିବାକୁ ମିଳେ, ଗାଁର ରୁକ୍ଷ ମଳିନ ବେଶ….ତା’ର ପୁଅ ଆଜି ତା’ର କୋଳ ଛାଡ଼ି ପରଦେଶରେ କୁଲି ମୂଲିଆ । ପାଠପଢ଼ୁଆ ପୁଅ କେଇଜଣ ଦୂର ସହରରେ । ସହରର ବିଳାସ-ବ୍ୟସନ ସେମାନଙ୍କୁ ମାୟାଜାଲରେ ବାନ୍ଧି ରଖେ–ଭୁଲି ଯାଆନ୍ତି ସେମାନେ ନିଜର ଗାଁ ମାଟି ପ୍ରତି ସେମାନଙ୍କର କର୍ତ୍ତବ୍ୟ ।

 

ଗାଁରେ ଲୋକେ ରାତିଦିନ ଖଟି ଭାତମୁଠିଏ ଯୋଗାଡ଼ କରି ପାରନ୍ତିନାହିଁ । ସେଇମାନଙ୍କ ଉପରେ ପୁଣି ପଡ଼େ ଧନୀ ଜମିଦାରଙ୍କ ଲୋଲୁପ ଦୃଷ୍ଟି । ଅସମୟରେ ରୋଗ ଆସି ସେମାନଙ୍କର ତୋଟି ଚିପିଦିଏ । ଗାଁର ଚାଷୀ ଆଜି ପ୍ରାଣହୀନ, ଗାଁର ଶିଳ୍ପୀକୁଳ ଆଜି ଭାଙ୍ଗି ପଡ଼ିଛନ୍ତି; ଅଭାବ ଖାଉଛି ସେମାନଙ୍କର ହୃଦୟ ଓ ମନ । ଅଶିକ୍ଷା ଅନ୍ଧକାର ଘେରି ରହିଛି ଚାରିଆଡ଼େ । ବର୍ଷକୁ ବର୍ଷ କଲେରା ଓ ମେଲେରିଆ ଆସି ଗାଁକୁ ଗାଁ ପଦା କରେ । କୋଉ କୋଉ ବର୍ଷ ବନ୍ୟା ଆସି ସେମାନଙ୍କର ଆହାରରେ ପାହାରଦିଏ । ସହରର ବୃଥା ଆଡ଼ମ୍ଵରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଏ । ରାତି ପାହିଲେ ଗାଁ ମାଟିର ଲୋକେ ବୁଝନ୍ତି, ପଇସାଟାକର ମୂଲ୍ୟ କେତେ ବେଶି-!!!

☆☆☆

 

ସବୁଦିନ କ’ଣ ଏମତି ରହିବ ? ଗାଁର ଜମିରେ କ’ଣ ସୁନା ଫସଲ ଫଳିବନି ? ଗାଁର ଲୋକଙ୍କ ମୁହଁରେ କ’ଣ ଟିକିଏ ହସ ଦେଖା ଦେବନି ? ଅଭାବ, ଅଶିକ୍ଷା, ରୋଗ, ଦୁଃଖ ଓ ଦାରିଦ୍ର୍ୟ କଣ ସବୁଦିନେ ସେମିତି ଲାଗି ରହିଥିବ ? ଗାଁର ପୁଅ ଗଉରା, କାର୍ତ୍ତିକା, ମୂଷା, ଚଇଁଆ କଳଘର ଛାଡ଼ି ଗାଁ ଗହଳର ଛାଇ ଶୀତଳ କୋଳରେ ବସି କଣ ମାଟିର ସଂଗୀତ ଗାଇବେନି....

 

ଦିନ କ’ଣ ବଦଳିବ ନାହିଁ ?

 

ସେଇଥିପାଇଁ ଆଜି ମୋର ଲେଖା, ‘ଗାଁ ମାଟି ଡାକେ’ !

 

କବିତା ଭବନ, କଟକ

 

ତା ୨୭ । ୨ । ୫୪

ଶୁକଦେବ ସାହୁ

☆☆☆

 

ଗାଁ ମାଟି ଡାକେ

 

ଦିନ ବାରଟା !

 

ଚୌରଙ୍ଗିର ସେଇ ପିଚୁଢଳା ରାସ୍ତା ହାଣୁହାଣୁ ମହନି ରାଉତ ଥକି ପଡ଼ିଲା । ଉପର ଆକାଶରୁ ସୂର୍ଯ୍ୟକିରଣ ଅନଳକଣିକା ପରି ଝରି ପଡ଼ୁଚି । ବାପରେ କି ଟାଇଁଟାଇଁଆ ଖରା । କାଙ୍କଟା ଛାଡ଼ିଦେଇ ମହନି ରାସ୍ତାପାଖ ସେଇ ଝଙ୍କା ଗଛର ଛାଇ ଶୀତଳ କୋଳରେ ଟିକିଏ ଦମ୍ ନେଲା ।

 

ଏତିକିବେଳେ ସୁଲୁସୁଲିଆ ପବନ ଟିକେ ଆସି ମହନିର ଝାଳ ଟିକେ ପୋଛି ଦେଲା । ମୂଲିଆ ଜୀବନର ଅତି ଆପଣାର ଏଇ ଶୀତଳ ଛାଇ–ଆଉ ପବନଟିକ ମହନିକୁ ଭାରି ଆରାମ ଲାଗିଲା । ହଠାତ୍ ଦୂର ଅତୀତର ଭାବନା ମନ ସରସୀରେ ଚହଲିଗଲା ।

 

ମହନି ବସିବସି ଭାବିଲା । କାହାପାଇଁ ସେ ଖଟୁଚି, ଏତେ ରକତ ମାଉଁସ ପାଣି କରି । ତା’ର ବା ଅଛି କିଏ ? ତେବେ କାହିଁକି ସେ ପଇସାର ମୋହ ତୁଟାଇ ନ ପାରି ଖଟି ଯାଉଛି ଦିନ ପରେ ଦିନ–ଏଇ ଖରା ବରଷା ଝଡ଼-ବତାସ ଅଙ୍ଗେ ଲିଭାଇ । ଦିନ ପରେ ଦିନ ଯୋଡ଼ି ବସିଲେ ଆଜକୁ ଚାରିବରଷ ବିତିଗଲାଣି । ସେ ଗାଁ ମାଟି ଥରେ ମାଡ଼ି ନାହିଁ । ବହୁବାର ଇଚ୍ଛା ହୋଇଚି ସେଇ କାଦୁଅ ସନ୍ତସନ୍ତିଆ ଗାଁ ଭୂଇଁକି ଥରେ ଦେଖି ଆସିବାକୁ । କିନ୍ତୁ ଇଚ୍ଛା ବିରୁଦ୍ଧରେ ବାଟ କଢ଼ାଇଛି ପୁଣି ତା’ରି ମନ । କାହିଁକି ଆସିବ–ଆପଣାର ହୋଇ କିଏବା ଅଛି ସେଇ ଗାଁ ଭୂଇଁରେ ।

 

ଆଖି ଉହାଡ଼ରେ ଲୁଚି ଯାଇଥିବା ଆଜି ବି ସେ ଦିନଟା ନାଚି ଉଠେ । ଚାରିବରଷ ତଳେ, ସେ ଥିଲା ମାଟିର ମଣିଷ । ତା’ରି ହାତମୁଠାରେ ଲଙ୍ଗଳଟା ଘୂରି ବୁଲୁଥିଲା ମଙ୍ଗଳପୁର ଗାଁର ବିଲମାଳ ଭିତରେ । ସେଇ ମାଟିରୁ ଝରି ପଡ଼ୁଥିଲା ଦାନା ଆଉ କନା । ସେ ଥିଲା ଗାଁର ଶହଶହ ଚାଷୀପୁଅ ଭିତରୁ ଜଣେ । ମାଟି ସାଙ୍ଗରେ ମାଟି ପରି ସେ ଖଟି ଯାଉଥିଲା କି ଆବେଗ ଉନ୍ମାଦନାରେ ।

 

କେତେ ଯୁଗରୁ ଏଇ ମାଟି ଭିତରୁ ମଣିଷ କମାଉଚି ତାର ଆହାର–ଆଉ ବର୍ଷକୁ ବର୍ଷ ଏଇ ମଣିଷର ହାତବାଜି ନୁଖୁରା ବିଲ ପଡ଼ିଆରେ ହସିଉଠୁଚି ସୁନା ଫସଲ । ତା’ର ପୂର୍ବପୁରୁଷ ଏଇ ମାଟିରୁ ଭାତ ସାଉଁଟି ଗାଁ ଭୂଇଁରେ ଦିନେ ମାଟି ଘେନିଥିଲେ । ମରଣରେ ବି ସେମାନେ ମାଟିର ମାୟା ତୁଟାଇ ପାରି ନ ଥିଲେ ।

 

ମାଟିରୁ ଫଳୁଥିଲା ସୁନା । ମାଟିର ସ୍ନେହ ଯେପରି ଅଜାଡ଼ିହୋଇ ପଡ଼ୁଥିଲା ଏଇ ମଣିଷ ସମାଜପ୍ରତି । କିନ୍ତୁ ସେ ବର୍ଷ ଏଇ ମାଟି ପାଲଟିଗଲା ବଡ଼ ନିଷ୍ଠୁର । ଆକାଶରୁ ମେଘ ଉଡ଼ିଗଲା କୁଆଡ଼େ । ଅନାବୃଷ୍ଟି ହେତୁ ଫସଲ ଅକାଳ ମରଣକୁ ବରଣ କଲା । ବିଲର ପଡ଼ିଆ ଖାଁ ଖାଁ ଗୋଡ଼ାଇଲା ।

 

ତା ପରେ ପରେ ଦୁର୍ଭିକ୍ଷ, ମହାମାରୀ ଲାଗି ଆସିଲା । ଜୀବନର ‘ଭରା’ ବୋଲି ଯିଏ ବକଟେ ଥିଲା–ସେଇ ମାଆଟି ତାର ଦିନେ ବିଲିବିଲି ଅନ୍ଧାରରେ ହଜିଗଲା । ଗାଁରୁ ଟଳି ପଡ଼ିଲେ ନିତି ଗୋଟିକ ପରେ ଗୋଟିଏ । ଚାରିଆଡ଼େ ଖେଳି ବୁଲିଲା ଛାତିଥରା ମରଣର କଳାଛାଇ । ଅନାହାର, ମହାମାରୀରେ ଗାଁକୁ ଗାଁ ପଦା ହୋଇ ଆସିଲା । ଇମିତି ଏକ ଦୁର୍ଯ୍ୟୋଗର ଝଡ଼-ବତାସ ଭିତରେ ମହନା ଗାଁ ମାଟି ଛାଡ଼ି ଆସିଥିଲା କଲିକତା । ଚାରିବରଷ ଟପି ପାଞ୍ଚରେ ଆସି ପହଞ୍ଚିଲାଣି । ଯେଉଁମାନଙ୍କର ସ୍ନେହର ବନ୍ଧନ ଘେନି ଗାଁ–ସେଇ ଗାଁର ପଡ଼ା-ପଡ଼ୋଶୀ ଭାଇ ବନ୍ଧୁଙ୍କର ମୁହଁ ଆଉ ଦେଖିବାକୁ ମିଳିନାହିଁ–କି ଗାଁର ଖବର ଜାଣିବାକୁ ପାଉନାହିଁ ।

 

ଅତି ଛୋଟ ସେଇ ଗାଁ–ବିରସୋତି । ଲଗାଲଗି ତିରିଶ ଚାଳିଶଟି ଘର । ଗାଁକୁ ଲାଗି ନାଳବନ୍ଧ–ତା ସେପଟରେ କେନାଲ ଆଉ ଧାନବିଲ । ଗୋଟିଏ ପଟରେ ବୁଦିବୁଦିକିଆ ଅରମା ବଣ–ସେ ପଟରେ ମଶାଣି, କିଆବାଡ଼ ଘେରି ରହିଚି ଗାଁ ଚାରିଆଡ଼େ । ବରଷା ଋତୁରେ କିଆଫୁଲର ଉଛୁଳା ଗନ୍ଧରେ ଗାଁଟି ମହକି ଉଠେ । ଗାଁରେ ସମସ୍ତେ ଲାଗିଥାନ୍ତି ବିଲବାଡ଼ି ଧନ୍ଦାରେ-। ଚାରି ପାଞ୍ଚ ଘର ଛାଡ଼ିଦେଲେ ସମସ୍ତେ ଚାଷୀକୁଳ । ସକାଳର ଉଦିଆନ ସୂର୍ଯ୍ୟକୁ ଚାହିଁ ଏ ଗାଁର ଚଷାପୁଅ ଲଙ୍ଗଳ କାନ୍ଧେଇ ହଳ ନେଇ ବାହାରି ପଡ଼ିଲେ । ଦିନ ଘଡ଼ିକ ପରେ ଗାଁଟା ପଡ଼ିଯାଏ ଖାଲି–ସମସ୍ତଙ୍କୁ ଦେଖିବାକୁ ମିଳେ ବିଲ, ପଡ଼ିଆ, ବଗିଚା ଭିତରେ ।

 

ପୁଷମାସର ଧାନକଟା ପରବ ଆସିଲେ ଗାଁର ସମସ୍ତେ ମାତି ଯାନ୍ତି । ଚାଲେ ଧାନକଟା ଘମାଘୋଟ । କାହାରିକୁ ତର ନାହିଁ । କେଇଟା ଦିନ ପରେ ଫସଲ କଟା ଶେଷ ହୁଏ–ପୁଣି କ୍ଷେତ ପଡ଼ିଯାଏ ଖାଲି । କ୍ଷେତରେ ସେହି ବିରାଟ ଖାଲି ଭିତରେ ପୁଣି ଚଷାପୁଅ ଚାହିଁ ଚାହିଁ ସବୁଜା ସ୍ଵପ୍ନ ଦେଖେ ।

 

ଗୋଟି ଗୋଟି ହୋଇ ଗାଁ ମାଟିର ଛବିଗୁଡ଼ା ତା’ ମନ ଉପରେ ପ୍ରଭାବ ବିସ୍ତାରକଲା । ବହୁଦିନର ଅଧ ପଶୋରା ଚିହ୍ନାମୁହଁଗୁଡ଼ା ଲିଭି ଆସିଲାବେଳେ ହଠାତ୍ ଜଳିଉଠିଲା । ଗାଁର ଦୁଃଖିଆ, ପାଣୁଆ, ଭୀମା, ଦାମା, ଏଇମାନେ ଥିଲେ ତାର ଅତି ଆପଣାର ସାଥି । ନିଇତି ଯେତେବେଳେ ସକାଳର ନୂଆ ଆଲୁଅ ମାଟିର ତନ୍ଦ୍ରା ଭାଙ୍ଗି ଧରା ବକ୍ଷରେ ହସିଉଠେ, ସେତିକିବେଳେ ଏଇମାନଙ୍କ ସାଙ୍ଗରେ ମହନା ହଳ ନେଇ ବାହାରିପଡ଼େ ନୟନଜୋରି ପାଟଆଡ଼େ-। ପାଟରେ ହଳ ବୁଲାଇଲାବେଳେ ଏଇମାନଙ୍କ ସାଙ୍ଗରେ ହସଖୁସିର ଗପ ପଡ଼େ କେତେଆଡ଼ର-

 

କି’ରେ ମହନା କି ଭାବ୍‍ଚିରେ ! କାଜ ହବେନାଁ ବସେ ବସେ ଆରାମ କରିବି !

 

ମହନାର ଭାବନା ଚଟ୍‍କରି ଭାଜିଗଲା । ମନଟା ତା’ର ଫେରି ଆସିଲା ସହରଠାରୁ ବହୁଦୂରରୁ । ସେ ଦେଖିଲା ଆଗରେ ଛିଡ଼ା ହୋଇଚି କଡ଼ା ନଜରରେ କରପରଶନର ବାବୁ । ଉଠି ଆସିଲା କର୍ମକ୍ଳାନ୍ତ ଶରୀରକୁ ନେଇ, ପୁଣି ଟଳିଟଳି କାମରେ ଲାଗିଲା । ଯେତେ ଖରା ହେଲେ ବି, ଦେହର ରକତ ପାଣି ପରି ବାଷ୍ପ ଆକାରରେ ଉଡ଼ିଗଲେ ବି ମୂଲିଆକୁ ତାର ଡିଉଟି ଦେବାକୁ ହେବ-। କ୍ରମାଗତ ମାସେ ହେବ କାମ କରି କରି ମହନି ବଡ଼ ଅବଶ ହୋଇ ଯାଇଥିଲା । ଆଜି ଏଇ ଟାଣ ଖରାରେ ତାର ଶରୀର ଆହୁରି ନିସ୍ତେଜ ହୋଇ ପଡ଼ିଲା ।

 

ବସାକୁ ଫେରିଆସିଲା ବେଳକୁ ସାରାଦିନର କ୍ଳାନ୍ତି ପରେ ଦିବସ ରାତ୍ରି କୋଳରେ ଘୁମେଇବାକୁ ବସିଲାଣି । ଟିକିଏ ପରେ ଗଳି ଭିତରେ ଗ୍ୟାସବତୀଗୁଡ଼ା ଜଳି ଉଠିଲା । ଜାନବଜାରର ଗୋଟିଏ ଅଣଓସାରିଆ ଅପରିଛନ୍ନ ଗଳି ଭିତରେ ମହନାର ବସା । ବହୁ ପୁରୁଣା ଛୋଟ ବସାଟିଏ । ମାସକୁ ଭଡ଼ା ବାରଟଙ୍କା । ମହନା ଓ ତା’ରି ପରି ଆଉ ତିନିଜଣ ଏଇ ବସାରେ ମୁଣ୍ତ ଗୁଞ୍ଜିଛନ୍ତି ।

 

ଏ ଗଳି ଭିତରେ କୁଲି ମୂଲିଆ ଶ୍ରେଣୀର ଓଡ଼ିଆ ଓ ବିହାରୀ ବହୁତ ଅଛନ୍ତି । ବର୍ଷାଦିନେ ଏ ଗଳିଟା ମଇଳା ପାଣି ଓ ଆବର୍ଜନା ଗନ୍ଧରେ ଫାଟିପଡ଼େ । ମଶାର ରାଜତ୍ଵ ବିସ୍ତାର ହୁଏ । ଘର ତଳି ସବୁ ସନ୍ତସନ୍ତେଇ ଉଠେ । ଫଟା ଛାତ ବାଟେ ପାଣି ଝରେ । ମହନା କେତେଥର ଭାବିଛି ଏହି ଗଳି ଛାଡ଼ି ଚାଲିଯିବ ଆଉଠିକି–କିନ୍ତୁ ବସା ମିଳିବା ଦୂରେ ଥାଉ, କାହା ପାଖରେ ମୁଣ୍ତ ଗୁଞ୍ଜିବାକୁ ବି ଥାନ ଟିକେ ମିଳି ନାହିଁ । ତେଣୁ ସେ ମୁହଁ ମାଡ଼ି ପଡ଼ି ରହିଚି ଏଇ ଗଳିରେ । ମଶା, ଛାରପୋକ ସବୁ ରକତ ଶୋଷି ଦେଲେ ବି, ସଦାଦିନ କାଶ, ସର୍ଦ୍ଦି, ଜର ଲାଗି ରହିଲେ ବି ଏଇ ବସାଛଡ଼ା ତା’ର ଅନ୍ୟ ଉପାୟ ନାହିଁ । ମୂଲିଆ ଜୀବନରେ ଏହାଠୁ ବା ସୁଖ ସୁବିଧା କେଉଁଠି ମିଳିବ ?

 

ବସାରେ ଆସି ପହଞ୍ଚିଲାବେଳକୁ ମହନି ଥକି ପଡ଼ିଥିଲା । ଆଜି ଦିନତମାମ ଖଟଣି ବି କମ୍ ହୋଇନାହିଁ । ମହନା ତାର ଅତି ଆଦରର ସେଇ ସପଟା ବିଛାଇ ଦେଲା–ତା’ର ଦେହଯାକ ପଡ଼ିଚି ସତର ତାଳି । ଲମ୍ଵହୋଇ ଶୋଇ ପଡ଼ିଲା । ଶୋଉ ଶୋଉ କ୍ଳାନ୍ତି–ଅବଶ ଶରୀରରେ ନିଦ ଆସି ତାର କରାମତି ଦେଖାଇଲା ।

 

ଟିକିଏ ପରେ ଧନିଆ ଡାକିଲା, ‘ମହନା ଭାଇ ଖାଇବ ଉଠ ।’ ମହନା ଆଖି ମଳିମଳି ଅନାଇଲା । କାଚଭଙ୍ଗା ସେଇ ପୁରୁଣା ଲଣ୍ଠନଟା ଜଳୁଛି । ଆଉ ଧନିଆ କତିରେ ବସି ଡାକୁଛି ଖାଇବାକୁ । ତା’ର ଅତି ଆପଣାର ବୋଲି ବିଦେଶରେ ଏଇ ଧନିଆ, ଅନାଦି ଭାଇ ଆଉ କାହ୍ନୁ ସାମଲ । ଏହି ବିଦେଶ ଦରିଆରେ ସମସ୍ତେ ଯେପରି ଗୋଟିଏ ନଉକାରେ ପାରି ହେବାକୁ ବସିଛନ୍ତି-। ଏଣୁ ସମସ୍ତେ ସମସ୍ତଙ୍କର ଆପଣାର । ମହନା ଉଠି ଗଣ୍ତାଏ ଖାଇଦେଇ ପୁଣି ଫେରି ଆସିଲା ତାର ସେଇ ସାତଛିଣ୍ତା ସପ ଉପରକୁ । ଏତେଦିନ ବିତି ଗଲେ ବି ସପଟି ତା’ର ଅସ୍ତିତ୍ଵ ହରେଇ ଦେଇନାହିଁ–ସବୁଦିନେ ସେ ମହନାକୁ ଶାନ୍ତି ଦେଇ ଆସିଛି ।

 

ଶୋଇ ଶୋଇ ମହନି ଭାବିଲା, ଆଉ କେତେଦିନ ତା’ର ଏଇମିତି ଜୀବନ କଟିବ ! କାହିଁକି ସେ ପଡ଼ି ରହିଚି ଏଠି ! ଗାଁକୁ ଲେଉଟି ଗଲେ ସେ କଣ ପେଟ ଚାଖଣ୍ତକ ପୋଷି ପାରିବ ନାହିଁ, ତେବେ କାହିଁକି ସେ ଇମିତି ଖଟିଖଟି ନିଜର ଷାଠିଏ ବରଷର ପରମାୟୁକୁ ତିରିଶ ବରଷରେ ପରିଣତ କରୁଚି ?

 

ଏଇତ ସେଦିନ ଦାମ ପଧାନ ବୁଢ଼ା କହୁଥିଲା, ଆରେ ମହନା ତମରିମାନଙ୍କପରି ଭେଣ୍ତିଆ ଗାଁ ଛାଡ଼ି ଆସିଲେ କଲିକତା । ଏଇଠି କୁଲି ମୂଲିଆ ହୋଇ ଦିନ କାଟିଲେ । ତେଣେ ଗାଁରେ ଗଦାଗଦା ଜାଗା ପଡ଼ିଆ ହୋଇ ରହିଲା । ଚାଷ ଅଭାବରୁ ତେଣେ ଲୋକେ ପେଟରେ ଓଦାକନା ଦେଇ ଶୋଇଲେ । ଆରେ ତମେଇମାନେ ହେଲ ଗାଁର ଶିରୀ । ତମେଇମାନେ ଗାଁ ମାଟିରେ ସୁନା ଫଳାଇବ–ପୁଣି ହସ ଫୁଟାଇବ ଗାଁର ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ । ମାଟିର ସନ୍ତାନ ତମେ–ମାଟି କୋଳକୁ ବାହୁଡ଼ିଯାଅ । ଆମରତ ଦିନକାଳ ସରି ଆସିଲା–ଏଇଠି ମରିବାକୁ ହେବ ।

 

ଦାମ ପଧାନ କହୁ କହୁ ଗୋଟିଏ ଦୀର୍ଘଶ୍ଵାସ ପକାଇଲା । ତା’ର ଆଉ ଆପଣାର ବୋଲି କେହି ନାହାନ୍ତି ଏଇ ଦୁନିଆରେ । ମୁଣ୍ତ ଗୁଞ୍ଜିବାକୁ ଗାଁରେ ବି ଜାଗା ବୋଲି ବକଟେ ନାହିଁ । ପିତୃଋଣତକ ଶୁଝି ନ ପାରିବାରୁ ଯେଉଁଦିନ ଗାଁ ଜମିଦାର ଘର ଡିହ ସବୁ ନିଲାମ କରିନେଲା, ସେଇଦିନ ଦାମ ପଧାନ ଗାଁ ଛାଡ଼ି ଚାଲି ଆସିଥିଲା କଲିକତା । ସେଇଦିନୁ ସେ କଲିକତାରେ ଦରୁଆନ କାମ କରିକରି ଆସି ବୁଢ଼ା ହେଲାଣି । ଦୁନିଆର ଓଲଟପାଲଟ ଭିତରେ, ଏ ଭିତରେ ଗାଁ’ଟା ବି ବିରୂପା ନଈ ଗର୍ଭରେ ମିଶି ଗଲାଣି । ତେଣୁ ତା’ ଜୀବନର ଶେଷ ମୁହୂର୍ତ୍ତ ବିଦେଶରେ କାଟିବା ଛଡ଼ା ଅନ୍ୟ ବାଟ ନାହିଁ ।

 

ମହନା ଭାବୁ ଭାବୁ ନିଜର ଶାନ୍ତ ସ୍ନିଗ୍ଧ ପରଶ ଆଖିପତା ଉପରେ ଅନୁଭବ କଲା । ତା’ପରେ ଧୀରେ ଧୀରେ ଆଖି ଦୁଇଟି ମୁଦି ହୋଇ ଆସିଲା ।

 

ରାତ୍ରି ପାହାନ୍ତାରେ ତା ଶ୍ରମକ୍ଳାନ୍ତ ଶରୀରରେ ଟିକିଏ କଷ୍ଟ ଅନୁଭବ କଲା । ଦେହ ହାତ ଦରଜ ଦରଜ ଲାଗିଲା । ଜର ପରି ଅନୁଭବ କଲା । ତା ପରଦିନ ଉଠିଲାବେଳକୁ ବହୁତ ବେଳ ହୋଇ ଯାଇଥିଲା । ଆଜି ଆଉ କାମକୁ ଯିବାକୁ ତାର ମନ ବଳିଲା ନାହିଁ । କିନ୍ତୁ ପରକ୍ଷଣରେ ବାବୁର ନାଲି ଆଖି ତା ଆଖି ଆଗରେ ଭାସି ଉଠିଲା । ଦେହ କଷ୍ଟ ଦେହରେ ମାରି ସେ ଟଳି ଟଳି କାମକୁ ବାହାରିଲା ।

 

ମହନାକୁ କାମରେ ବିଳମ୍ଵ ଦେଖି ବାବୁ ଗର୍ଜି ଉଠିଲା । ମହନା ଡରେ କିଛି କହିଲା ନାହିଁ । କାମରେ ଲାଗିଲା । କିନ୍ତୁ କଣ ହେବ ଦି’ ଚାରିଚୋଟ ରାସ୍ତା ହାଣିଛି କି ନାହିଁ, ଥକି ପଡ଼ିଲା । ତା’ର ଦୁଇ ବାହୁରେ ବହୁତ କଷ୍ଟବୋଧ କଲା । ସେ କାଙ୍କଟା ଛାଡ଼ିଦେଇ ବସି ପଡ଼ିଲା ।

 

ବାବୁ ଗମ୍ଭୀର ଗଳାରେ ପଚାରିଲା, ‘କିରେ ମହନା । ଆସତେ ଆସତେ ବସେ ପଡ଼ଲି-।’

 

ମହନା କହିଲା, ‘ବାବୁ ମୋତେ କାଲି ରାତିଠୁ ଜର । ଆଜି ଭାରି କଷ୍ଟ ଲାଗୁଛି । କାମ କରି ପାରିବି ନାହିଁ । ମୋତେ ଦିନକ ପାଇଁ ଛୁଟି ଦିଅନ୍ତୁ ।’

 

ବାବୁ ନାଲି ଆଖି ଦେଖାଇ କହିଲା, ‘ଢଙ୍ଗ ବେର କରିଚି, ଇଚ୍ଛାର ମତ କାଜ କରବେ–ଓସବ୍ ଆମାର କାଛେ ଚଲବେ ନାଁ । ଛୁଟି ଆମି ଦିତେ ପାରବ ନାଁ ।’

 

ବାବୁର ଏଇ ନାଲିଆଖି ଦେଖି ମହନା ଡରିଗଲା ନାହିଁ । କାରଣ ଏଇ ଆଖି ଦୁଇଟା ସହିତ ତାର ବହୁ ଦିନରୁ ପରିଚିତ ହୋଇଛି । ସେ ଦୃଢ଼ ଗଳାରେ କହିଲା, ‘ବାବୁ ଆମର ଜୀବନଟା କଣ ଗୋଡ଼ି ମାଟିଠୁ ବି ହୀନ । ତମର ଟିକିଏ ମୁଣ୍ତ ବଥେଇଲେ ପନ୍ଦରଦିନ ଛୁଟି । ଆଉ ଆମେ ଅଧମରା ହେଲେ ବି, ଦିନେ ଛୁଟି ମିଳିବା ଅସମ୍ଭବ । ଆପଣଙ୍କୁ ମୋତେ ଛୁଟି ଦେବାକୁ ହେବ ।’

 

‘ଛୁଟି ଆକ ଦିନ କି ଆକ ଘଣ୍ଟା ବି ପାଓୟା ଯାବେନା ।’

 

‘ଦରକାର ନାଇଁ ମୋର ଏଇ କାମ । ବଞ୍ଚିଥିଲେ ଏଇ ଦୁନିଆ ଭିତରେ ଢେର କାମ ମିଳିବ ।’ ଏତିକି କହି ମହନା ଯନ୍ତ୍ରଚାଳିତ ପରି କାମ ଛାଡ଼ି ଚାଲିଆସିଲା । ବଡ଼ ସହରର ଅଗଣିତ ଜନସମୁଦ୍ର ଭିତରେ ମିଶିଗଲା । ତା’ର ଆଖି ଆଗରେ ନାଚିଉଠିଲା ସହରଠୁ ବହୁ ଦୂରର ଛବି ।

 

ତା’ର ଯେପରି ମନେହେଲା ସେ ସହର ଛାଡ଼ି ଚାଲିଯାଇଛି ବହୁ ଦୂରକୁ । ଆଉ ବହୁଦିନ ପରେ ସେଇ ଗାଁ ମାଟିର ବିଲମାଳ ଭିତରେ ପୁଣି ଆରମ୍ଭ କରିଚି ନୂଆଜୀବନର ଜୟଯାତ୍ରା ।

 

ସେଇଦିନ ରାତିରେ ।

 

ମହନା, ଧନିଆ, ଅନାଦିଆ, କାହ୍ନୁଆକୁ ପାଖକୁ ଡାକିଲା । କହିଲା, ‘ଭାଇମାନେ ତମମାନଙ୍କୁ ଛାଡ଼ି ଆଜି ମୁଁ ଚାଲିଯାଉଚି, ଯେଉଁଠୁ ଦିନେ ଆସିଥିଲି ସେଇ ଅନ୍ଧାରି ଅପନ୍ତରା ମୁଲକକୁ । ରାତିଦିନ ଖଟିଲି, କ’ଣ କଲି । ପେଟକୁ ମୁଠେ ଖାଇବା, ଖଣ୍ତେ ପିନ୍ଧିବା ଆଜି ଭଲ କରି ଜୁଟିଲା ନାହିଁ । କାମ ଆଉ କାମ । ଯେପରି ଗୋଟାଏ ଗୋଟାଏ କଳ ଆମେ । ଖଟି ଖଟି ଅଣ୍ଟାପିଠି ନହକି ଯିବ । ମାଟିପିଣ୍ତ ଢଳି ପଡ଼ିବ । ତଥାପି ବି ମାଲିକର ତୁଣ୍ତରେ ଆସିବନି ଆହା ବୋଲି ପଦିଏ କଥା । ସେମାନେ ଚାହାନ୍ତି କାମ । ସେଇ କାମର ପେଷଣରେ ଦଳି ହେଇଯାଉ ଆମର ଜୀବନ, ଆମର ପିଲାକବିଲା ମରନ୍ତୁ ଭୋକ ଉପାସରେ, ସେମାନଙ୍କର ଯାଏ କେତେ ଆସେ କେତେ ? ଏଇଆ ଦେଖି ଦେଖି ଆଉ ସହି ପାରିଲି ନାହିଁ, ଭାବିଲି ଚାଲିଯିବି ସେଇ ଗାଁକୁ । ସେଇଠି ଖଟିବି–ମାଟି ସଙ୍ଗେ ମାଟି ହେଇ ଯେପରି ଖଟୁଚନ୍ତି ମୋ’ରି ଦେଶର କୋଟି କୋଟି ଭାଇ-। ଗାଁ ମାଟିରେ ସୁନା ଫଳାଇବି–ଖଟି ଖଟି ରକତ ଢାଳି ଦେଲେ ବି ହସ ଫୁଟାଇବି ମୋ’ରି ଦେଶର କୋଟି କୋଟି ଜନତା ମୁହଁରେ ।’

 

ଧନିଆ କହିଲା, ‘ଏତେ ଦିନ ହେଲା ଆସିଲଣି, ଗାଁରେ ତମର ଘରଦୁଆର ଭାଙ୍ଗିଯିବଣି–ରହିବ କେଉଁଠି ମହନା ଭାଇ ?’

 

‘ଘର ସିନା ନ ଥିବ–କିନ୍ତୁ ପଡ଼ି ହିଥିବ ସାତପୁରୁଷର ଜାଗାବୋଲି ବକଟେ । ତା’ରି ଉପରେ କୁଡ଼ିଆଟିଏ ଠିଆ କରିବି । ଗାଁରେ ମୂଲ ଲାଗିବି–ଚାଷ କରିବି । ପେଟ କ’ଣ ଅପୋଷା ରହିବରେ ଧନିଆ ! ଆମେ ମାଟିର ମଣିଷ । ଚାଲ ଆମେ ସମସ୍ତେ ଫେରିଯିବା ସେଇ ଗାଆଁକୁ । ସମସ୍ତଙ୍କ ଜୀବନର ବ୍ରତ ହେବ ଏଇ ଗୋଟିଏ ।’

 

ଧନିଆ, ଅନାଦିଆ, କାହ୍ନୁଆ ସମସ୍ତେ ଭାବିଥିଲେ ସବୁଦିନ ପରି ଦୁଃଖସୁଖ ହେବାକୁ ବୋଧହୁଏ ଡାକିଚି ମହନାଭାଇ, କିନ୍ତୁ ମହନାଭାଇର ଏ କଥାଶୁଣି ସମସ୍ତେ ଅବାକ୍ ହେଲେ । ଗାଁକୁ ଯିବା ପ୍ରସ୍ତାବଟା କାହାର ହୃଦୟକୁ ସ୍ପର୍ଶ କରିବ କ’ଣ ମନକୁ ବି ଆଡ଼େଇ ହେଇ ରହିଲା । ସମସ୍ତେ କିଛି ନକହି ତୁନି ହେଇ ରହିଲେ ।

 

ମହନା କହିଲା, ‘ମୋ କଥାଟା ଆଜି ମନକୁ ଘେନିଲା ନାହିଁ । ହଉ ଭାଇ, ପୁଣି ଦିନେ ଭାବିବ ମହନା କଥାଟା ନିଜର କେଡ଼େ ଆପଣାର । ମୋ କଥାକୁ ତମେମାନେ ଆଜି ଭୁଲ ବୁଝିଲ-। କିନ୍ତୁ ମହନା ଠିକ୍ ବୁଝିଚି । ସେ ଯିବ–ଗାଁ ମାଟି ତାକୁ ଆଜି ଡାକିଲାଣି । ସେ ଆଉ ମୁହୂର୍ତ୍ତେ ବି ରହି ପାରିବନାହିଁ ।

 

ସେଇଦିନ ରାତି ଗାଡ଼ିରେ ମହନା ଗାଁକୁ ବାହୁଡ଼ିଲା ।

 

ମହନା ଗାଁକୁ ଆସିଚି କଥାଟା ଖେଳିଗଲା କ୍ଷଣିକ ଭିତରେ । ଅନେକ କଥାଟାକୁ ସତ ମଣିଲେ ବି ଆଖିରେ ନ ଦେଖିବାଯାଏ ବିଶ୍ଵାସ କରି ପାରିଲେ ନାହିଁ । ଶନିଆ, ପାଣୁଆ, ଦାମା, ଭୀମା, ଗୋଟି ଗୋଟି ହୋଇ ଆସିଲେ । ମହନା ସମସ୍ତକୁ ଆଲିଙ୍ଗନ କଲା ।

 

ଅତୀତ ଜୀବନର ସାଥୀ କୁହ, ଗାଁର ଭାଇ କୁହ, ଘରର ପଡ଼ିଶା କୁହ, ସବୁ ଏଇମାନେ–ଏଇମାନଙ୍କର ସ୍ନେହ ଭରିରହିଚି ଗାଁର ପ୍ରତି ଧୂଳିକଣାରେ । ଦୀର୍ଘ ଚାରିବର୍ଷର ବ୍ୟବଧାନ ଏଇମାନଙ୍କଠାରୁ କରଛଡ଼ା କରି ଦେଇଥିଲା । ଗୋଟି ଗୋଟି କରି ସମସ୍ତଙ୍କୁ ଛାତିରେ ଜାକି ଧରିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା । କିରେ ମହନା ! ଏତେ ଦିନେ ଗାଁ ମନେ ପଡ଼ିଲା ? ମହନା ଉତ୍ତର ଦେବା ପୂର୍ବରୁ ଆଖିରୁ ଝରିପଡ଼ିଲା ଆବେଗଭରା ଅଶ୍ରୁ ।

 

ଗାଁର ଗୋଟି ଗୋଟି ହୋଇ ସମସ୍ତେ ତାକୁ ଘେରିଗଲେ । ମହନା ଆଖି ଆଗରେ ଭାସି ଉଠିଲା, ଏଇ ଗାଁର ସମସ୍ତେ ଯେପରି ତା’ର– ଆଉ ସେ ଯେପରି ସମସ୍ତଙ୍କର । ସମସ୍ତେ ଗୋଟିଏ କୁଟୁମ୍ଵ । କିଏ କହେ, ତାର କେହି ନାହିଁ । ବାପା, ମା, ଭାଇ, ଭଉଣୀ, ବନ୍ଧୁବାନ୍ଧବ ସମସ୍ତେ ଯେପରି ତାକୁ ଘେରି ରହିଛନ୍ତି । ବହୁବର୍ଷ ପରେ ଏଇମାନଙ୍କର ଉଚ୍ଛ୍ୱସିତ ହୃଦୟର ଅନାବିଳ ସ୍ନେହ ଯେପରି ଝରି ପଡ଼ୁଛି ତା’ରି ଉପରେ । ପ୍ରତିଦାନରେ ମହନା ଆଖିରୁ ଝରି ପଡ଼ିଲା ଖାଲି ଧାର ଧାର ଲୁହ ।

 

ଶନିଆ, ଭୀମା, ଦାମା ଗାଁର ଆଉ କେତେକଙ୍କ ଯତ୍ନରେ ସାତଦିନ ଭିତରେ ସାତପୁରୁଷର ମାଟି ଉପରେ ମହନାର ନୂଆ ଘର ହସି ଉଠିଲା । ଜାଗା ବୋଲି ଦି’ଗୁଣ୍ଠ । ବାପା ପୁନ ରାଉତ ଅଭାବ ଚାପାରେ ତା’ ଜୀବନ ଭିତରେ କିଛି କରିପାରି ନ ଥିଲା । କୌଣସିମତେ ମାଟି ଚଷି ସଂସାର ଚଳେଇ ଆଖି ବୁଜିଥିଲା । ବୁଢ଼ା ବାପ ଅମଳର ଧାନ ଜମି ଥିଲା ମାଣେ ସାତଗୁଣ୍ଠ । ପାଟରେ ସାତଗୁଣ୍ଠ–ବିଲରେ ମାଣେ । ସେତିକି ଥିଲା ଜୀବନର ସମ୍ଵଳ । ମହନା ଚାଲିଯିବା ପରେ ସେଇ ଜମିତକ ତାର ଦାଦି ଚାଷ କରି ଖାଉଥିଲା । ରକ୍ତର ସମ୍ପର୍କ ଦାଦି ସିନା–କିନ୍ତୁ ସାତପରଠୁ ବି ହୀନ ।

 

ମହନା ଭୀମାକୁ ସାଙ୍ଗରେ ନେଇ ମଧୁପୁର ହାଟରୁ ହଳେ ବଳଦ କିଣିଲା । ସପନି ସାହୁ ଘରୁ କାଠଖଣ୍ତେ ମାଗି ଆଣି ଲଙ୍ଗଳ ତିଆରି କରେଇଲା ।

 

ସେଦିନ ସକାଳର ଦରହସିଲା ଆଲୁଅ ମାଟି ଉପରେ ଧୀରେ ଧୀରେ ଆଗଉଥିଲା । ସୁଲୁସୁଲିଆ ପବନ ଗଛ ଗହଳି ଭିତରୁ ଝାଡ଼ି ଦେଉଥିଲା କାକର ପାଣି । ଶାନ୍ତ ଆକାଶର ନୀରବତା ଭଙ୍ଗ କରି ଦଳଦଳ କାଉ ରାବି ରାବି ଗଲେ କା’ କା’ ।

 

ମହନା ହଳ ନେଇ ବାହାରି ପଡ଼ିଲା । ଆଜି ତା’ର ପାଦ ନୂଆ ଜୀବନର ପହିଲି ପାହାଚରେ । ଗାଁ ଡେଇଁ ଦଣ୍ତା ଭିତରେ ରାସ୍ତାଏ ରାସ୍ତାଏ ହଳ ନେଇ ଚାଲିଲା । ସେତେବେଳକୁ ଚାରିଆଡ଼େ ଆଲୁଅ ହସୁଥିଲା ମନଖୋଲା ହସ । ଭୀମା, ଶନିଆ, ପଛରୁ ଡାକ ଛାଡ଼ିଲେ–ମହନା ଭାଇ ଟିକିଏ ରୁହ ମ–ଏତେ ତରତର କିଆଁ ହେଉଚ । ମହନା ହଳ ଠିଆକଲା । ଟିକିଏ ପରେ ସମସ୍ତେ ଏକାଠି ହେଲେ । ଦଣ୍ତା, ଗାଁ, ଗୋହିରି ଜୋର ଡେଇଁ ହଳ ଚାଲିଲା ବିଲଆଡ଼େ । ବନ୍ଧ ଉପରକୁ ଉଠିଲାରୁ ମହନା ଆଖି ଆଗରେ ଦିଶିଲା ଦୂର ବିଲମାଳର ଛବି । କେଇଟା ହଳ ବୁଲିଲାଣି ନିଛାଟିଆ ବିଲ ଉପରେ । ମହନା ଭାବିଲା ସେ ଆଜି ଫେରି ଆସିଚି ମଣିଷ ସମାଜ ଭିତରକୁ । ସେ ଆଉ କଲିକତାର କୁଲି ନୁହେଁ । ହାଡ଼ଭଙ୍ଗା ଖଟଣୀ ଭିତରେ କୌଣସିମତେ ବଞ୍ଚି ରହିବାର ଯେଉଁଠି ଥିଲା ତା’ରି ଭରସା–ସେଦିନ ଆଜି ଅପସରି ଯାଇଚି । ସେ ଫେରି ଆସିଚି ଯୁଗ ମାନବ ହୋଇ । ବଞ୍ଚି ରହିବା ଭିତରେ ଜୀବନର ସ୍ଵାଦ ସେ ଖୋଜି ପାଇଚି ।

 

ଖଇଫୁଟା ଖରା ଝାଞ୍ଜି ଭିତରେ ଉଦୁଉଦିଆ ଦି’ପହରେ ଏଇ ବିଲମାଳ ଭିତରେ ମହନା ମାଟି ତାଡ଼ିଚି । ପୁଣି ମାଟିର ପାଗଦେଖି ବୁଣି ଦେଇଛି ବିହନ । ଖରା ଯାଇଚି–ଜ୍ୟେଷ୍ଠ ଶେଷରେ ବରଷି ଯାଇଚି ଅସରାଏ ଅସରାଏ ପାଣି । ଧାନ ସଞ୍ଚା ବାହାରିଚି–ପୁଣି ଝରଝର ବରଷାର ବାରିଧାରା ଭିତରେ ଧାନ ଗଛ ଧୀରେ ଧୀରେ ମୁଣ୍ତ ଟେକିଚି । ରୁଆ, ବେହୁଡ଼ା, ବଚ୍ଛା, ଖେଳା, ବାଳୁଙ୍ଗା କଟା ଲାଗିଚି ଗୋଟିଏ ପରେ ଗୋଟିଏ । କାମର ତାଡ଼ନାରେ ମହନା ଭୁଲି ଯାଇଚି ନିଜକୁ-

 

ଶରତ ଆସିଚି । ବଉଦମାନ ହଜାଇ ଦେଇ କୁଆଁର ପୁନେଇଁ ଜହ୍ନ ହସିଉଠିଚି । ବିଲ ପଡ଼ିଆରେ ସବୁଜ ଧାନ କ୍ଷେତରେ ପବନ ଲହରୀ କାଟି ଯାଉଚି । ଦୂରକୁ ଦିଶୁଚି, ଧରଣୀରାଣୀ ସତେ ଯେପରି ସବୁଜ ରଙ୍ଗର ଶାଢ଼ି ପଣତତଳେ ଲୁଚାଇ ଦେଇଚି ତା’ର ସପନମିଶା ସରାଗିଆ ଲପନ ।

 

ହେମନ୍ତ ପାଖାପାଖି ଧାନ ଶିଷା ବାହାରେ । ଶୀତ ଅଧାଅଧିକି ଧାନ ପାଚିଆସେ । ଦିନ କେଇଟା ପରେ ଗାଁ ଗାଁ ଚାଲେ ଧାନକଟା । ସମସ୍ତେ ମାତି ଯାଆନ୍ତି ଧାନକଟାରେ–କି ନାରୀ କି ପୁରୁଷ ।

 

ବସନ୍ତ ଆସିଚି କୋଇଲିର କୁହୁତାନରେ ଛନ୍ଦ ମିଳାଇ । ଧରଣୀର ରଙ୍ଗ ପାଲଟିଚି ନୂଆ-। ଗାଁ ଖଳାରେ ଚାଲିଚି ଧାନ ବାଡ଼ା–ତା’ପରେ କେତେ ଅମଳ ହିସାବ କରି ଚାଷୀ ଦେଖେ ତା’ର ସାରାବର୍ଷର ପରିଶ୍ରମର ଫଳ ।

 

ମହନା ଦେଖିଲା ତା’ରି ହାତର କରାମତିରେ ମାଟି ଉପରୁ ଦାନା ଆଉ କନା ସାରା ବରଷ ପାଇଁ କମାଇ ନେଇଚି । ଆଉ ତା’ର ବା ଅଭାବ କ’ଣ ? ସେ ଢେର ଆରାମରେ ଅଛି । ଶାଗ ଭାତରେ ଯେଉଁ ଶାନ୍ତି ଆଉ ଆନନ୍ଦ ଭରି ରହିଚି–ତା’ ସୁଦୂର ପରବାସ ଖିରିପୁରିରେ ବି ନାହିଁ-। ଗାଁ ପରି ସେଠି ପରସ୍ପର ପ୍ରତି ସ୍ନେହ, ସହଯୋଗ ନାହିଁ । ନିଜକୁ ହାତେ ମାପି ଚାଖଣ୍ତେ ଚାଲିବା ସେଠିକାର ନୀତି ।

 

ଗାଁରୁ ଦି’କୋଶ ଛଡ଼ାରେ ଗାଁଟିଏ । ମଧୁପୁର । ବୁଧବାର, ଶନିବାର ହାଟ ବସେ । ଆଖପାଖ ଅଞ୍ଚଳରେ ମଧୁପୁର ହାଟ ଖୁବ୍ ଡାକ । ସେଥିପାଇଁ ପ୍ରତି ହାଟ ପାଳିରେ ବହୁତ ଲୋକ ଠୁଳ ହୁଅନ୍ତି । ଗରାଖ ଗହଳିରେ ବାଟ ମିଳେନା । ଶନିବାର ପାଳି ଗୋରୁହାଟ ବସେ । ସେଥିପାଇଁ ବୁଧବାର ପାଳିଠୁଁ ଶନିବାର ପାଳି ବେଶି ଲୋକ ହୁଅନ୍ତି ।

 

ମହନା ଶନିବାର ପାଳି ଭୀମାକୁ ସାଙ୍ଗରେ ନେଇ ଆସିଚି ହାଟକୁ ସଉଦା ପାଇଁ । ହାଟ ଗହଳି ଭିତରେ ମହନା ଭୀମାର ହାତଧରି ଠେଲି ଚାଲିଚି ।

 

ମହନି ଭାଇ ।

 

କିଏ ଡାକିଲା । ମହନା ବୁଲି ପଛକୁ ଅନାଇଲା । ଦେଖିଲା ଆଗରେ ଧନିଆ । ଧନିଆ, ମହନି ଭାଇକି ଓଳଗି ହେଲା । ମହନା ଆବେଗରେ ଧନିଆକୁ କୁଣ୍ଢାଇ ପକାଇ ପଚାରିଲା, କି’ରେ, କେବେ କଲିକତାରୁ ଫେରି ଆସିଲୁ ।

 

ଗଲା ରବିବାର ।

 

କେତେଦିନ ଛୁଟି ।

 

ସବୁଦିନ ପାଇଁ ଛୁଟି ନେଇ ଆସିଚି ମହନା ଭାଇ ।

 

କି’ରେ କଥା କଣ ? ଚାକିରିରୁ ସାହେବ ଛୁଟି ଦେଲା ନା କ’ଣ ?

 

ନାଁରେ ଭାଇ, ଚାକିରି ମୋତେ ଛୁଟି ଦେଇନି–ମୁଁ ଚାକିରିକୁ ଛୁଟି ଦେଇ ଆସିଚି । ବିନା ଦୋଷରେ ସାହେବ ଦିନେ ମୋତେ ଭାରି ଗାଳିଦେଲା । ସହ୍ୟ ହେଲାନି–ମୁହେଁ ମୁହେଁ ଜବାବ ଦେଇ ଚାଲି ଆସିଲି । ଯୋଉ ଚପରାସି ଚାକିରି । ତିରିଶ ଟଙ୍କା ଦରମା । ପେଟରୁ କାଟି କେତେଦିନ ପିଲାକବିଲାକୁ ବଞ୍ଚାଇବି ।

 

ଚାଲିତ ଆସିଲୁ ପୁଣି ଏଠି କରିବୁ କ’ଣ ? ଦି’ ଦି’ଟା ପିଲା, ସ୍ତ୍ରୀ ଚଳିବେ କିପରି ?

 

କାହିଁକି ଚଷାପୁଅ ବାହୁରେ ବଳଥିଲେ ପେଟ କ’ଣ ଅପୋଷା ରହିବ । ତମେତ ପୁଣି କଲିକତା ଛାଡ଼ି ବେଶ୍ ସୁଖରେ ଅଛ । ଅନାଦିଆ ପୁଣି କଲିକତା ଛାଡ଼ି ଗାଁରେ ଛୋଟ ଦୋକାନଟିଏ କରି ବେଶ ଚଳି ଯାଉଚି ବୋଲି ଲେଖିଥିଲା ! ଏଇ ଗାଁରେ ମୋ’ରି ପରି ଶହ ଶହ ଭାଇ ଚଳି ଯାଉଛନ୍ତି–ଆଉ ମୁଁ ଚଳି ପାରିବି ନାହିଁ ।

 

ମହନି କହିଲା, ଧନିଆ, ଏଇପରି ମନର ବଳ ଥିଲେ ଗାଁ ମାଟିରେ ପୁଣି ତୋର ସୁନାର ସଂସାର ହସି ଉଠିବ । ମୁଁ ଆସିଛି, ଅନାଦିଆ ଆସିଲା, ପୁଣି ତୁ ଆସିଲୁ ଏଇ ଗାଁ ମାଟିକୁ ବାହୁଡ଼ି । ଆମରି ପରି ପୁଣି ଶହ ଶହ ଓଡ଼ିଆ ଦୂର ବିଦେଶରୁ ବାହୁଡ଼ି ଆସିବେ ହାତ ଧରାଧରି ହୋଇ, ଯେଉଁଦିନ ସେମାନଙ୍କର ହୃଦୟରେ ବାଜି ଉଠିବ ଏଇ ଗାଁ ମାଟିର ଡାକ । ଦେଶର ଲକ୍ଷ ଲକ୍ଷ ପଡ଼ିଆ ଜମି ସୁନା ଫସଲରେ ହସି ଉଠିବ । ଅଭାବ, ଅନାଟନ, ରୋଗ, ଶୋକ ବହୁ ଦୂରକୁ ଆଡ଼େଇ ଯିବ । ପୁଣି ସେଇ ପୁରୁଣା ଦିନପରି ସୁନା ଭାରତ ହସି ଉଠିବ ।

 

ଧନିଆ କହିଲା, ମହନା ଭାଇ ସତେ ସେଦିନ କଣ ଆସିବ ?

 

ଆଉ ବେଶି ଡେରି ନାହିଁରେ ଧନିଆ ! ହେଇପରା ସେ ଦିନ ପାଖେଇ ଆସିଲାଣି । ଚାଷ ଅଭାବରୁ ଲକ୍ଷ ଲକ୍ଷ ଏକର ଜମି ରହିଚି ପଡ଼ିଆ, ଦେଶରେ ଲାଗି ରହିଚି ଚିରଦିନ ଅଭାବ, ଅନାଟନ । ଧୋଇ ମରୁଡ଼ି ଭୋକ ଉପାସରେ ଗାଁରେ ଉଠୁଚି ବୁକୁଫଟା କରୁଣ ଚିତ୍କାର । ଆମମାନଙ୍କୁ ଏହା ବିରୁଦ୍ଧରେ ଅଭିଯାନ କରିବାକୁ ପଡ଼ିବ । ଆମରି ଆଦର୍ଶରେ ଦୂର ବିଦେଶୀ ଭାଇମାନଙ୍କୁ ଅନୁପ୍ରାଣିତ କରିବାକୁ ହେବ । ତେବେ ଯାଇଁ ଏଇ ଗାଁ ମାଟି ସରଗର ଫୁଲ ପରି ହେବ ସରସ, ମନୋହର ।

☆☆☆

 

ଉତ୍ସର୍ଗ

 

ସୁଷମା,

 

କ’ଣ ?

 

ଗୋଟିଏ କଥା ।

 

କହୁ ନାହାନ୍ତି ।

 

କିନ୍ତୁ ତା’ ପୂର୍ବରୁ ତୁମେ କୁହ, ମୋ କଥାଟି ଆଜି କାଟି ଦେବ ନାହିଁ ।

 

କେବେ ତ ତମ କଥାର ବାହାରେ ଆସିନି–ଆଜି ପୁଣି ଏ ପ୍ରଶ୍ନ କାହିଁକି ?

 

କହିବି କହିବି ବୋଲି ବହୁଦିନ ଅତୀତ ହୋଇଗଲାଣି । ଦେଖୁ ଦେଖୁ ଆମର ବିବାହିତ ଜୀବନର ସାତୋଟି ବରଷ ହସାଇ କନ୍ଦାଇ ମୁହଁକୁ ଲୁଚାଇଲଣି ଅତୀତର ଓଢ଼ଣା ତଳେ । ସମୟର ଅବାଧ ଗତିରେ ଆଜି କଥା କାଲିକୁ ଯାଉଛି ବଦଳି—ଗତ କାଲି ଯା’ ଥିଲା ସ୍ଵପ୍ନ, କଳ୍ପନା; ଆଜି ପୁଣି ତା’ ବାସ୍ତବରେ ରୂପ ନେଲାଣି । ଆ’ରି ଭିତରେ ଆମ ଜୀବନ ବସନ୍ତର ପହିଲି ମଳୟ ବହି ଗଲାଣି । ସେହି ମଳୟର ଶୀତଳ ସୁରଭି ରୂପରେ ରୂପାନ୍ତରିତ ହେଲାଣି ତମ କୋଳରେ ଗୋଟିଏ ନବଜାତ ଶିଶୁ । ତାକୁ ଆଜି ପାଞ୍ଚ ବରଷ । ମାତୃତ୍ଵର ସ୍ନେହ ନେଇ ତମେ ତାକୁ ମଣିଷ କରିବାକୁ ସବୁବେଳେ ବ୍ୟସ୍ତ । ମୁଁ ବି ସେହିପରି ରୋଗୀ ସେବାରେ ପାଉନାହିଁ ମୁହୂର୍ତ୍ତେ ଅବସର । ପହିଲୁ ବିବାହିତ ଜୀବନର ସ୍ଵପ୍ନ, ମୋହ ଦୂରେଇ ଗଲାଣି । ତମେ ଗୋଟିକୁ ନେଇ ବ୍ୟସ୍ତ । ମୁଁ ଗୋଟିଏ ଜୀବନର ସେବାନେଇ ବ୍ୟସ୍ତ । ତଥାପି ଏଠି ମୋତେ ଭଲ ଲାଗୁନି ।

 

ତେବେ ଚାଲୁନା କିଛିଦିନ ବାହାରେ କଟାଇ ଆସିବା । ଜଳବାୟୁ ପରିବର୍ତ୍ତନ ବି ହେବ-। ତା’ ସଙ୍ଗେ ସଙ୍ଗେ ତମ ମନର ବି…

 

ନାଁ ସୁଷମା, ମୁଁ ଚାହୁଁଚି ଫେରିଯିବାକୁ ମୋର ସେଇ ଶାନ୍ତ ସୁବିମଳ ଶସ୍ୟଶ୍ୟାମଳା ଗାଁ ଭୂଇଁକୁ । ସେଇଠି ହୁଏତ ମୋ ଜୀବନର ଶାନ୍ତି ଫେରି ପାଇବି ।

 

ଡାକ୍ତର ତମେ ! କଟକ ସହରରେ ତମର ବେଶ ଖ୍ୟାତି ହେଲାଣି । ଗାଁକୁ ଫେରିଗଲେ ଏଇ ଧନ, ମାନ, ଗୌରବ କ’ଣ ଆଉ ଫେରି ପାଇବ ?

 

ଭୁଲ କହୁଚ ସୁଷମା ! ଡାକ୍ତର ମୁଁ ନୁହେଁ । ଏ ସହରରେ ଅଛନ୍ତି ଶହ ଶହ ଡାକ୍ତର ମୋ’ଠୁ ବଳି–କିନ୍ତୁ ସେଠି ନାହିଁ ଗୋଟିଏ ବୋଲି ଡାକ୍ତର । ସେଠିକା ଲୋକଗୁଡ଼ା ମରନ୍ତି ପ୍ରତିବର୍ଷ ଗଦାଗଦା ପୋକମାଛି ପରି । ସେଇଠିକି ଗଲେ ହୁଏତ ଡାକ୍ତର ବୋଲି ମୁଁ କହି ପାରିବି । ମାନ, ଗୌରବ ଏ ସହରଠାରୁ ସେଠି ବେଶି ମିଳିବ ସୁଷୀ–ଖାଲି ମିଳିବ ନାହିଁ ଧନ । ସାତୋଟି ବରଷ ଏଇ ସହରରେ କଟିଗଲା । ବାପା ଡାକ୍ତରୀ ପଢ଼ାଇଲାବେଳେ ତାଙ୍କର ସ୍ଵପ୍ନ ଥିଲା, ମୁଁ ଗାଁକୁ ଫେରିଯିବି–ଆଉ ନିଜକୁ ଉତ୍ସର୍ଗ କରିଦେବି ଗାଁ ଭୂଇଁର କର୍ମ ବେଦୀମୂଳେ । କିନ୍ତୁ କାଳସ୍ରୋତରେ ବାପା ହଜିଗଲେ କୁଆଡ଼େ । ତମ ବାପାଙ୍କ ସୌଜନ୍ୟରେ ମୁଁ ଏମ୍. ବି. ବି. ଏସ୍ ପାଶ କଲି ।

 

ତା’ପରେ ତମରି ହାତଧରି ବାଛି ନେଲି ଜୀବନର ସାଥୀ । ମୋ ଜୀବନ ବିକାଶ ହେଉଚି ବାପାଙ୍କର ଅଯାଚିତ ଦାନ ଆଉ ଅନୁରାଗରେ । ବଞ୍ଚାଇ ରଖିଚି ମୋତେ ତୁମରି ସ୍ନେହ, ଆଉ, ପ୍ରଗାଢ଼ ଯତ୍ନ । ବଡ଼ଲୋକ ଝିଅ ହୋଇ ମୋ ପରି ଗରିବକୁ ତମେ ଦିନେ ଆପଣାର କରିଚ–ଜୀବନକୁ ସରସ ସୁନ୍ଦର କରିବାକୁ ରାତିଦିନ ମୋ ପାଖେପାଖେ ତପସ୍ୟା କରି ଆସିଚ । ତମ ଋଣ ମୁଁ ଜୀବନରେ ଶୁଝି ପାରିବିନି ସୁଷୀ !

 

ତଥାପି ସୁଷୀ, କାଲି କାଗଜରେ ଯେତେବେଳେ ପଢ଼ିଲି ଆମ ଗାଁରେ ମ୍ୟାଲେରିଆ ଲାଗି ରହିଚି ଅନବରତ । ସେହି ଅନ୍ଧାରି ମୁଲକରେ ନାହିଁ ଡାକ୍ତର, ବଇଦ, କବିରାଜ । ଚିକିତ୍ସା ଅଭାବରୁ ମରୁଛନ୍ତି ଗୋଟିଏ ପରେ ଗୋଟିଏ । ତେତିକିବେଳେ ବାପାଙ୍କର କଥା କେଇପଦ ଯେପରି ଗୁରୁ–ଗମ୍ଭୀର ଭାବରେ ବାଜି ଉଠିଲା, ରମେଶ ସହର ଛାଡ଼ି ଚାଲିଆ ଏଇ ଗାଁ ମାଟିକି–ଚାହାଁ ଥରେ ତୋର କାଙ୍ଗାଳ ଭାଇଭଉଣୀଙ୍କୁ । ସହରରେ ଅଛନ୍ତି ବଡ଼ ବଡ଼ ଡାକ୍ତର–ସେଠି ରୋଗହେଲା, ଚିନ୍ତା ନାହିଁ । କିନ୍ତୁ ଏଠି ପିଲାଟିକି ଜର ଟିକେ ହେଲେ ମାଆର ଆଖି ଲୋତକ ବନ୍ୟାରେ ଭାସିଯାଏ–ନିଦ ଆସେନା । ରାତିଦିନ ତା’ରି ସେବାକରି ହୁଏତ ସେ ଦିନେ ସେଇ ଜରରେ ପଡ଼େ । ଜୀବନ ଥାଇ ଗାଁର ଲୋକେ ମରନ୍ତି । ଜୀବନ ନଥାଇ ବି ସହରରେ ଲୋକେ ଓଷଦ ପିଅନ୍ତି ।

 

ଏଇଆ ଦେଖି ଦେଖି ତୋର ମରୁ ହୃଦୟରେ ଟିକିଏ ଝରଣାର ସ୍ରୋତ ବହି ଯାଉନାହିଁ-। ବାପାଙ୍କର ଏଇଟା ହୃଦୟର କଥା ସୁଷୀ । ମୁଁ ଆଉ ଏଠି ରହି ପାରିବି ନାହିଁ । ଯିବି ସେଇ ଗାଁ ଭୂଇଁକି । ମୃତ୍ୟୁମୁଖରୁ ଫେରାଇ ଆଣିବି ମୋର ଶହ ଶହ ଭାଇ ଭଉଣୀଙ୍କି । ତାଙ୍କରି ସେବାରେ ଜୀବନ ଉତ୍ସର୍ଗ କରିବି । ସାରା ଗାଁଟା ହେବ ମୋର କର୍ମକ୍ଷେତ୍ର । ତମେ ମୋ ପାଖେପାଖେ ଥାଇ ଦେବ ପ୍ରେରଣା । ମୁଁ ରାତିଦିନ ଲାଗିବି ଗାଁର ଭାଇ ଭଉଣୀଙ୍କ ମୁହଁରେ ଫୁଟାଇବାକୁ ଟିକିଏ ବୋଲି ହସ । ତେବେ ଯାଇ ବାପାଙ୍କ ହୃଦୟ ପର ପାରରେ ଶାନ୍ତି ଲଭିବ । ପାରିବ ସୁଷୀ ?

 

ସୁଷମା ସ୍ଵାମୀଙ୍କ କଥା ଶୁଣି ଟିକିଏ ଭାବିଲା । ବାପା ମା’ଙ୍କର ସେ ଗୋଟିଏ ବୋଲି ଝିଅ । ତା’ ଛଡ଼ା ତାଙ୍କର ସନ୍ତାନ ବୋଲି କେହି ନାହାନ୍ତି । ତା’ରି ଶିକ୍ଷକରୂପେ ପ୍ରତିଦିନ ସଂଧ୍ୟାରେ ଦି’ଘଣ୍ଟା ପଢ଼ାଇବାକୁ ଦିନେ ଏ ଘରେ ପାଦ ଦେଇଥିଲେ ରମେଶ । ତାଙ୍କର ମଧୁର ବ୍ୟବହାର, ସରଳତାରେ ବାପା ତାଙ୍କପ୍ରତି ସନ୍ତୁଷ୍ଟ ଥିଲେ । ମୁଁ ତାଙ୍କୁ ଭାରି ଭଲ ପାଉଥିଲି । ଭୟ ଭକ୍ତି ମଧ୍ୟ ଥିଲା ତାଙ୍କ ପ୍ରତି ଯଥେଷ୍ଟ । ମେଡ଼ିକାଲ କଲେଜରେ ପଢ଼ୁଥିବାବେଳେ ବାପା ତାଙ୍କର ଆଖି ବୁଜିଲେ । ମା’ ଆଗରୁ ମରିଥିଲେ । ଘର ତାଙ୍କର ଖାଲି ପଡ଼ିଲା । ବାପାଙ୍କର ମୃତ୍ୟୁ ସମ୍ଵାଦରେ ରମେଶ ବାବୁ ବିଚଳିତ ହୋଇ ପଡ଼ିଲେ । କିନ୍ତୁ ବାପା ତାଙ୍କର ସବୁ ଦାୟିତ୍ଵ ମୁଣ୍ତକୁ ନେଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ ଦିନେ ତାଙ୍କ ହାତରେ ଝିଅଦେଇ ତାଙ୍କୁ ପୁଅ ରୂପରେ ପାଇଲେ । ବିବାହ ପରେ ଥରେ ଗାଁକୁ ଯିବା ପ୍ରଶ୍ନ ଉଠାଇଥିଲେ ରମେଶ ବାବୁ । ସେତେବେଳେ ବାପା ଛାଡ଼ିଲେ ନାହିଁ । କହିଲେ, ‘ଏ କ’ଣ ତମର ଘର ନୁହେଁ–ମୋର ବା କିଏ ଅଛି ।’ ଆଜି ପୁଣି ସେ କ’ଣ ଛାଡ଼ିବେ । ଆଉ ବି ତାଙ୍କର ତ ନିଜର ହୋଇ କେହି ନାହାନ୍ତି ଗାଁରେ । ଅଛନ୍ତି ଦି’ଦାଦା । ସେମାନେ ପୁଣି ଅଲଗା । ଏତେଦିନ ପରେ ସେ ସେମାନଙ୍କ ପାଖରେ ଜନ୍ମସ୍ଥାନ ଏଇ ସହର ଛାଡ଼ି ନିପଟ ମଫସଲରେ କଣ ଚଳି ପାରିବ ? ମନର ଭାବ ଗୋପନ ରଖି କହିଲା, ‘ବାପା ବୋଉ ଅନୁମତି ଦେଲେ ମୁଁ ଅମତ ହେବିନି–ଆଗେ ତାଙ୍କ ମତ ନିଅ ।

 

ତାଙ୍କଠାରୁ ମୁଁ ମତ ନେଇ ସାରିଚି ସୁଷୀ । ସେମାନେ ଦିନ କେତେକ ପାଇଁ ବୁଲି ଆସିବାକୁ ଅନୁମତି ଦେଇଛନ୍ତି–ତମରି ମତ ଖାଲି ଲୋଡ଼ା । ମୁଁ ଜାଣେ ସୁଷମା ତମେ ମୋ କଥାରେ ଅରାଜି ହେବ ନାହିଁ । ଗାଁର ଦୃଶ୍ୟରାଜି କେଡ଼େ ସୁନ୍ଦର–ଗାଁର ଲୋକେ କେଡ଼େ ନିରୀହ, ଶାନ୍ତ, ସରଳ–ସେ ସବୁର ନିକଟରେ ଆସିଲେ ତମେ ଭୁଲିଯିବ ଏଇ ସହରର ନାଲିମାଟି, ବଡ଼କୋଠା । ଥରେ ସେମାନଙ୍କୁ ଆପଣାର କରି ଦେଖ, ସେମାନେ ତମକୁ କିପରି ଭଲ ପାଉଛନ୍ତି-

ବାପା ବୋଉ ଯେତେବେଳେ ମତ ଦେଇ ସାରିଚନ୍ତି ତେତେବେଳେ ସୁଷମା ସ୍ଵାମୀର କଥାରେ ଆରାଜି ହେବାର ଉପାୟ ଖୋଜି ପାଇଲା ନାହିଁ । ଅନିଚ୍ଛାସତ୍ତ୍ୱେ କହିଲା, ‘ସ୍ଵାମୀର କଥାରେ ବାହାରି ଯିବାର ଶକତି ସ୍ତ୍ରୀର କାହିଁ–ମୁଁ ଯିବି ।’

ରମେଶ ସୁଷମାର ହାତଧରି ସରାଗରେ କହିଲା, ‘ସୁଷମା ତମେ କେଡ଼େ ମହତ ।’

ରମେଶ ଗାଁରେ ପାଦ ଦେଲାଦିନୁ ଲୋକ ଗହଳିରେ ଘର ପୂରି ଉଠିଛି । ରୋଗୀ ସେବାରେ ତାକୁ ଟିକିଏ ହେଲେ ନାହିଁ ଅବସର । ସୁଷମା ନୂଆ ଘରଟିକୁ ସୁନ୍ଦର କରି ସଜାଡ଼ିବାରେ ଲାଗିଚି । ଯେଉଁ ଘରେ ଦିନେ ନୀରବତା ରାଜତ୍ଵ କରୁଥିଲା–ସେଠି ଆଜି କୋଳାହଳରେ ଫାଟି ପଡ଼ୁଚି ।

ଗାଁ ଗୋଟାକଯାକର ବହୂ ଝିଅ ଆସୁଛନ୍ତି ଟିକିଏ ଦେଖିବାକୁ ପଟ୍ଟନାୟକ ବଂଶର କୁଳବହୂକୁ । କ୍ଷଣିକର ପରିଚୟ, ଦି’ପଦ କଥାରେ ସୁଷମା ସମସ୍ତଙ୍କୁ ଆପଣାର କରିଚି । ସମସ୍ତଙ୍କ ମୁହଁରେ ସୁଷମାର ପ୍ରଶଂସା । ଆହା ସରଗର–ଶିରୀ ଯେପରି ଠୁଳ ହୋଇଛି ପଟ୍ଟନାୟକ ଘରେ ।

ରମେଶ ଆଜି ଗାଁ ଗୋଟାକର ଦୀପ । ନିଜେ ଜଳି ପୋଡ଼ି ସେ ଅପରକୁ ସୁନ୍ଦର କରିବାକୁ ସବୁବେଳେ ବ୍ୟସ୍ତ । ଗାଁରେ ମ୍ୟାଲେରିଆରେ ସମସ୍ତଙ୍କର ଶିରୀ ତୁଟିଚି । ବୁଢ଼ାମାନେ ଅସ୍ଥି କଙ୍କାଳସାର–ଗାଁର ଯୁବକଙ୍କ ଦେହରେ ରକ୍ତ ନାହିଁ, ଶୀର୍ଣ୍ଣତନୁ, ଦୁର୍ବଳ ଦେହ, ପିଲାମାନଙ୍କର ପେଳେଇ ପେଟ, ହାତଗୋଡ଼ ସଳିତା ପରି–ଆଖି ରକ୍ତହୀନ, ବିଷନ୍ନବଦନ । ପଲ୍ଲୀବଧୂ ଲଳନା ମୁହଁରେ ହସ ନାହିଁ, ରୋଗ ଖାଇଚି ରୂପର ସମ୍ଭାର, ଆଖିର ଧାରେଧାରେ ଝରି ପଡ଼ୁଛି ବେଦନାର ବାରି । ଗାଁ ଗୋଟାକଯାକ ଖାଁ ଖାଁ–ଯେପରି ମେରୁଦଣ୍ତ ଯାଇଛି ଭାଙ୍ଗି ।

ରମେଶ ଘରଘର ବୁଲି ସମସ୍ତଙ୍କୁ ଔଷଧ ଦିଏ–ବଦଳରେ ସେ ପଇସା ନିଏନା । କୁହେ ତୁମ୍ଭେମାନେ ଯେତେବେଳେ ଭଲ ହୋଇଯିବ–ତମର ଏଇ କରୁଣଭରା ମୁହଁରେ ଯୋଉଦିନ ହସ ଫୁଟିବ–ସେଇଦିନ ମୁଁ ପଇସା ନେବି, ଆଜି ନୁହେଁ । ସମସ୍ତେ ରମେଶ କଥା ଶୁଣି ଅବାକ୍ ହୁଅନ୍ତି । ଭାବନ୍ତି କାଲିକା ପିଲାଟା ଏଇ ରମେଶ–ଏହାଠି ପୁଣି ଏତେ ଗୁଣ । ଏତେ ପୁଅ ଅଛନ୍ତି ଏଇ ଗାଁରେ–ରମେଶ ପରି ସରଳ ହୃଦୟ, ମଧୁର ବଚନ କାହିଁ କାହାଠିତ ନାହିଁ ।

ତାରି ଉଦ୍ୟମରେ ଗାଁର ତରୁଣମାନଙ୍କର ଆଳସ୍ୟ ଭାଙ୍ଗେ । ରାସ୍ତାଘାଟରୁ ଅଳିଆ, ଆବର୍ଜନା, ପୋଖରୀର ପଚାଦଳ ସଫା ହୁଏ । କ୍ରମଶଃ ଗାଁ’ଟିରୁ ମ୍ୟାଲେରିଆର ପ୍ରାଦୁର୍ଭାବ କମି ଆସେ । ପରିବାର ପରିବାର ଭିତରେ ଶାନ୍ତି ଆସେ ଫେରି । ରମେଶର ଆପ୍ରାଣ ସେବା ଯତ୍ନରେ ଗାଁଟି ନବଜୀବନ ଲାଭ କରେ ।

 

କେଇଟା ଦିନ ପରେ ଗାଁ ମୁଣ୍ତରେ ଗୋଟିଏ ଡାକ୍ତରଖାନା ବସେ । ରମେଶ ଡାକ୍ତର ନିଜ ଗାଁର–ପୁଣି ଆଖପାଖ ଦଶଖଣ୍ତି ଗାଁର । ରମେଶର ସୁନାମ ଶତମୁଖରେ ମୁଖରିତ ହୋଇଉଠେ । ଗାଁ ଗାଁ ବ୍ୟାପିଯାଏ ।

 

କିଛିଦିନ ପାଇଁ ସେ ଶାଶୁ ଶଶୁରଙ୍କ ଅନୁମତି ନେଇ ଗାଁକୁ ଆସିଥିଲା ସିନା–କିନ୍ତୁ ଆଜି ଦେଖୁଛି ତା ପକ୍ଷରେ ଗାଁ ଛାଡ଼ିବା ସମ୍ଭବପର ନୁହେଁ । ମୁକ୍ତ ଆକାଶ ତଳେ କେଡ଼େ ଛୋଟ ଏଇ ଗାଁଟି–ଏହାରି ଲୋକେ କେଡ଼େ ସରଳ, ଉଦାର ପୁଣି ଧର୍ମପରାୟଣ । ଘଡ଼ିଘଡ଼ିକି ପ୍ରକୃତି ଏଠି ନୂଆବେଶ ଧରେ । ସରଗର ଶୋଭାଫୁଲ ଝରିପଡ଼େ ଏଇ ଗାଁରେ । ଚାରିଆଡ଼େ ବିସ୍ତୃତିର ସବୁଜ କ୍ଷେତ । ତା’ରି ଭିତରୁ ଭାସିଆସେ ମାଟି ମାନବର ଗୀତ । ସେ ଗୀତର ଭାବରେ ଯେପରି ଫୁଟିଉଠେ, ଆମ ସମସ୍ତଙ୍କର ଜୀବନଯାତ୍ରା ଏଇ ମାଟି ଉପରେ…ଏଇ ମାଟିର ସରଗରେ ଲାଗି ରହିଛି ଆମ ହସଖେଳର ସଂସାର–ଏଇ ମାଟି ଦୟାକଲେ ଆମର ରାଜା ଜମିଦାରକୁ ଖାତିର ନାହିଁ–ତେଣୁ ଆସ ସମସ୍ତେ ମାଟିମାଆ କୋଳରେ ନିଜକୁ ହଜାଇ ଦେଇ ଗାଇବା ନୂଆ ଜୀବନର ଗାନ ।

 

ସେଇ ଗୀତରେ କେତେ ଆନ୍ତରିକତା ଭରି ରହିଥାଏ ଏଇ ମାଟିପ୍ରତି । ସେହି ଗୀତର ପ୍ରେରଣା ହୃଦୟରେ ବାଜି ଉଠେ ବାରବାର । ଯେପରି ମନେହୁଏ ସରଗ ରୂପ ନେଇଚି ଏଇ ଗାଁରେ–ସରଗର ଦେବତା ଜିଇ ରହିଛନ୍ତି ଏଇ ସରଳ ନିରୀହ କୃଷକ ସମାଜ ପ୍ରାଣରେ ।

 

ଦିନ ପରେ ଦିନ କଟିଯାଏ ।

 

ସେଦିନ ସକାଳେ କାହିଁକି ଅନାହୂତି ବସନ୍ତକୁ ଜର ଆସିଲା । ସୁଷମାର ସଜଫୁଲ ପରି ହସହସ ମୁହଁଟି କ୍ଷଣିକରେ ବିଷାଦରେ ଭରିଗଲା । ରମେଶ କହିଲା, ‘ସୁଷୀ ଗାଁରେ ଘର କରି ଏଇ ସାମାନ୍ୟ ଜର ଟିକେ ଦେଖି ଭାଙ୍ଗି ପଡ଼ୁଚ ।’ ଛି....ମୁଁ ଔଷଧ ଦେଉଚି । ଦି’ଦିନ ପରେ ଜର ଛାଡ଼ି ଯିବ ଯେ । ତଥାପି ସୁଷମାର ମାତୃ ହୃଦୟ ବୁଝିଲା ନାହିଁ ।’

 

ଦେଖୁ ଦେଖୁ ନଅ ଦିନ କଟିଗଲା । ବସନ୍ତକୁ ଜର ଛାଡ଼ିଲା ନାହିଁ । ମ୍ୟାଲେରିଆ ଜରର ବିଷ ଚାପିଚି ବସନ୍ତ ଠେଇଁ—ସହଜରେ ଛାଡ଼ୁଚି । ରମେଶ ରାତିଦିନ ଜଗି ରଖି ବସନ୍ତର କରେ ଚିକିତ୍ସା । ସୁଷମା କରେ ସେବା ।

 

ଦିନରାତି ବିତିଯାଏ ।

 

ସେଦିନ ସକାଳ ବଡ଼ ଅଶୁଭ ମୁହୂର୍ତ୍ତରେ ଆସିଲା । କୋଟି କୋଟି ଜୀବନର ଉଦୟ ହେବାକ୍ଷଣି ଗୋଟିଏ ଜୀବନର ଅସ୍ତ ହୋଇଗଲା । ସୁଷମା ଢଳି ପଡ଼ିଲା ତଳେ । ରମେଶ ହାତରୁ ଔଷଧ ପାତ୍ର ଖସି ପଡ଼ିଲା । ଗାଁରେ ପାଦ ଦେଲାଦିନୁ ଶହ ଶହ ରୋଗୀଙ୍କି ସେ ଭଲ କରିଚି–କୌଣସି ବେମାର କତିରେ ସେ ହାର ମାନିନି । ଏତେଦିନେ ଆଜି ତା’ର ପ୍ରଥମ ପରାଜୟ ଘଟିଲା-

 

ସୁଷମା ଆଖିରେ ଲୁହ ଧାର ଶୁଖେନା । ନିଜେ ଖାଏନା–ପିଏନା । ଭଲକରି ଖଣ୍ତେ ପିନ୍ଧେନା । ନିଜପ୍ରତି ନିଜେ ଅଯତ୍ନ କରେ । ତା’ର ଅଭିମାନ ରମେଶ ପ୍ରତି, ତା’ରି ପାଇଁ ବସନ୍ତ ତାର କୋଳ ଛାଡ଼ି ଅଲଗା ହୋଇ ଯାଇଚି । ସହରରେ ଥିଲେ ପୁଅ ତା’ର ମରି ନ ଥାନ୍ତା–ଏଇ ମ୍ୟାଲେରିଆ ରାଇଜରେ ପାଦ ଦେଇ ଜାଣୁ ଜାଣୁ ପୁଅକୁ ତାର ଠେଲି ଦେଇଚି ମରଣର ଅତଳ ଗଭୀରକୁ ।

 

ସେଦିନ ସନ୍ଧ୍ୟାରେ କାନ୍ଦି କାନ୍ଦି ସୁଷମା ଆସି ରମେଶ ପାଦତଳେ ଲୋଟିପଡ଼ି କହିଲା, ‘ଆଉ ମୁଁ ଏଠି ରହି ପାରିବି ନାହିଁ ।’

 

ରମେଶ ସୁଷମାର ହାତଧରି କୋଳକୁ ଟାଣିନେଲା । ତା’ ଆଖିରୁ ଲୁହ ପୋଛୁ ପୋଛୁ କହିଲା, ସୁଷୀ ! ଦୁନିଆରେ ବଞ୍ଚି ରହିବାକୁ ହେଲେ ଏଇ ଦୁଃଖକୁ ସହ୍ୟ କରିବାକୁ ହେବ । ଭଗବାନ ଦିନେ ତମ କୋଳରେ ତୋଳି ଦେଇଥିଲେ ସରଗର ଫୁଲ । ଝଡ଼ି ପଡ଼ିଲା ଅକାଳରେ–ସେ’ବି ସେହି ଅଦୃଶ୍ୟ ହାତର କରାମତି । ଯିବା ଆସିବା, ଫୁଟି ଝଡ଼ିବା–ଲାଗି ରହିଚି, ଲାଗିଥିବ ଚିରନ୍ତନ । ସବୁ ଭୁଲିଯାଅ । ଏଇ ଲୋକଗୁଡ଼ାଙ୍କର ମମତା ଏତେ ବେଶି ହେଲାଣି ଛାଡ଼ି ଯିବାକୁ ଆଉ ମନ ହେଉନାହିଁ ।

 

ନାଁ ନାଁ ଏ ରୋଗ ରାଇଜରେ ଜାଣୁଜାଣୁ ବସନ୍ତ ମୋର ମରିଚି । ତା’ରି କାନ୍ଦ ଭାସି ବୁଲୁଚି ଗଗନ ପବନରେ । ଆଉ ଏଠି ରହିବି ନାହିଁ । ଏ ଗାଁ ଛାଡ଼ି ଯିବାକୁ ହେବ ।

 

ବୁଝି ତମେ ଅବୁଝା ହେଉଚ ସୁଷମା ! ପାଠ ପଢ଼ିଚ ଶିକ୍ଷିତା ନାରୀ । ଏଇ ଗାଁରେ ତୋ’ରି ପରି ଶହ ଶହ ମାଆ ଅଛନ୍ତି । ବସନ୍ତ ପରି ତାଙ୍କ କୋଳରେ ହସି ଉଠୁଚି ଗୋଟିଏ ଗୋଟିଏ । ଏଇ ଗାଁରେ ଚିକିତ୍ସା ଅଭାବରୁ କେତେ ମାତୃହୃଦୟ ଅକାଳରେ ଖାଲିହୁଏ–ତା’ର ହିସାବ ରଖେ କିଏ ? ତଥାପି ସେମାନେ ଅଛନ୍ତି ଏଇ ଗାଁରେ ବର୍ଷ ବର୍ଷ ଧରି । ସହରରେ ଥିଲେ ପୁଅ ତୋର ବଞ୍ଚିଥାନ୍ତା, ଏ ତୋର ଭୁଲ ଧାରଣା ସୁଷମା । ସମସ୍ତେ ମରିବା ସହରରେ, ପୁଣି ଏଇ ଗାଁରେ, ପୃଥିବୀର ଯେଉଁ କୋଣରେ ଥିଲେ ବି ।

 

ବସନ୍ତ ଚାଲିଗଲା । ସେ କା’ର କଣ ! ତଥାପି ଏଇ ଗାଁ ଗୋଟାକ ଲୋକ ଛୁଟି ଆସିଥିଲେ ଆମକୁ ପ୍ରବୋଧ ଦେବାକୁ । ସମସ୍ତଙ୍କ ଆଖିରୁ ଝରି ପଡ଼ିଥିଲା ଧାରଧାର ଲୁହ । ଏଠି ସମସ୍ତଙ୍କ ପାଇଁ ସମସ୍ତେ, ସେଠି ପ୍ରତ୍ୟେକଙ୍କ ପାଇଁ ପ୍ରତ୍ୟେକ । ସେଠି ମରିଗଲେ ବି କେହି ଟିକେ ପଚାରିବେ ନାହିଁ । ସହର, ଗାଁ ଭିତରେ କେତେ ତଫାତ୍ ଦେଖୁଚ ସୁଷମା । ଆଉ କିଛିଦିନ ଏଠି ରହିବା, କୁଆଡ଼େ ଯିବା । ଏ କଣ ଆମର ଘର ନୁହେଁ । ନାରୀର ସ୍ଵାମୀ ଘରଠୁ ପବିତ୍ର ଜାଗା ଆଉ କେଉଁଠି ଅଛି !

 

କେତେ ବୁଝାଇ ରମେଶ ସେଦିନ ସୁଷମାକୁ ଶାନ୍ତି ବାଟକୁ ଫେରେଇ ଆଣିଲା ।

 

ଦେଢ଼ମାସ ପରେ ସୁଷମା ପୁତ୍ରଶୋକ ଏବେ ବି ଭୁଲି ପାରିନାହିଁ । କର୍ମ କୋଳାହଳ ଭିତରେ ବି ଛପିଛପି ଆସେ ତା’ର ହସହସ ମୁହଁଟି । କାନପାଖରେ ବାଜିଉଠେ ତା’ର ଦରୋଟି କଥା କେଇପଦ । ସୁଷମା ମନଟା କ୍ଷଣିକରେ ପରାଶ ହୋଇ ଉଠେ । ମନ ପରାଶ ହେବା ସଙ୍ଗେ ସଙ୍ଗେ ଆଖିରୁ ଝରେ ଲୁହ ।

 

ସେଦିନ ପୁନେଇଁ । ଆକାଶରେ ଜହ୍ନ ହସି ଉଠିଲାଣି । ପବନରେ ଦୋହଲି ଦୋହଲି ଜୋଛନାର ଲହଡ଼ି ବାଜିଉଠୁଚି ଧରଣୀ ବକ୍ଷରେ । ଡାକ୍ତରଖାନାରୁ ଫେରି ରମେଶ ଘର ଭିତରକୁ ପଶି ଯାଉଁଯାଉଁ ଡାକିଲା, ସୁଷମା, ସୁଷମା ! ସୁଷମା ରୋଷେଇଘରୁ ଦଉଡ଼ିଆସି ପଚାରିଲା, କାହିଁକି ଡାକିଲେ । ରମେଶ ଅସ୍ଥିର ଗଳାରେ କହିଲା, ମୋ ଦେହଟା କାହିଁକି ଭଲ ଲାଗୁନି, ବିଛଣା ପାରିଦେଲ । ଟିକିଏ ବିଶ୍ରାମ ନିଏ । ସୁଷମା କାଳବିଳମ୍ଵ ନ କରି ବିଛଣା ପାରିଦେଲା । ରମେଶ ଶୋଇ ପଡ଼ିଲା ।

 

ସ୍ଵାମୀ କତିରେ ସୁଷମା ବସିପଡ଼ିଲା । ଦେହରେ ହାତମାରି ଦେଖିଲା ଅସମ୍ଭବ ତାତି । ଭାବିଲା, ମ୍ୟାଲେରିଆ ଜରଛଡ଼ା କିଛି ନୁହେଁ । ତା’ ମନଟା ଖାଲି ପାପ ଛୁଇଁଲା । ଏଇ ଜରରେ କାଲି ପରି ତା’ରି ପୁଅ ହଜିଗଲା–ପୁଣି ସର୍ବଗ୍ରାସୀ ଜର ଛୁଟି ଆସିଚି ସ୍ଵାମୀ କତିକି । ଭାବନାରେ ଅସ୍ଥିର ହୋଇ ଉଠିଲା ତା’ର ମନ—ଆଖିରୁ ଝରି ଆସିଲା ଲୁହ ।

 

ରମେଶ ଡାକିଲା, ସୁଷମା !

 

ସୁଷମା ଲୁହ ଢଳଢଳ ଆଖିରେ ଚାହିଁଲା ।

 

କାନ୍ଦୁଚ ନାଁ ! ମୁଁ ଭଲ ହୋଇଯିବି ଯେ । ସାମାନ୍ୟ ଟିକେ ସର୍ଦି ଜର । ଭୟର କିଛି କାରଣ ନାହିଁ ।

 

ସୁଷମା କରୁଣଭରା କଣ୍ଠରେ କହିଲା, ମତେ ଭୁଲ ବୁଝୁଛନ୍ତି କାହିଁକି ? ମୋତେ କଣ ପର ବୋଲି ମନେ କରନ୍ତି ।

 

ରମେଶ ଅନୁଭବ କଲା ସୁଷମା ବସନ୍ତ ଅଭାବର ଦୁଃଖ ହାଡ଼େ ହାଡ଼େ ଜିଇ ରହିଚି । ଆଜି ତାକୁ ଆଉ ଭୁଲାଇ ପାରିବା ସମ୍ଭବପର ନୁହେଁ । ଖାଲି ମନ ଭୁଲାଇ ସବୁ କହିଲା, ଛି ସୁଷମା-! ଏ କ’ଣ କହୁଚ, ତୁମକୁ ଯଦି ମୁଁ ପରବୋଲି ଭାବିବି ତେବେ ବଞ୍ଚି ପାରିବିନି ମୁହୂର୍ତ୍ତେ-। ମୁଁ ଚାହେଁ ତମେ ପାଖେପାଖେ ଥିବ ଚିରଦିନ ଛାଇପରି ।

 

ଯଦି ମୋତେ ପର ବୋଲି ଭାବୁ ନଥାନ୍ତି–ତେବେ ମୋର ଗୋଟିଏ ଅନୁରୋଧ ଏଡ଼ି ଦିଅନ୍ତୁ ନାହିଁ । ଚାଲନ୍ତୁ, କିଛିଦିନ ପାଇଁ ପୁଣି ସହରକୁ ଚାଲିଯିବା । ତେବେ ଯାଇଁ ମୋତେ ସବୁ ଦୁଃଶ୍ଚିନ୍ତାରୁ ଛୁଟି ମିଳିବ । ଏଇ ମ୍ୟାଲେରିଆ ରାଇଜରେ ବଞ୍ଚି ରହିବା ବଡ଼ କଷ୍ଟକର । ଜଣକୁ ହରାଇଲି–ସେ ଦୁଃଖ ନ ଲିଭୁଣୁ ପୁଣି ତମେ ପଡ଼ିଲଣି ଜରରେ । ମୋ ମନଟା ଖାଲି ଭୟ ଛୁଉଁଛି । ମୁଁ ଏଠି ରହି ପାରିବି ନାହିଁ । କୁହନ୍ତୁ ମୋର ଅନୁରୋଧ ରଖିବେ ନାହିଁ ? ସୁଷମା ରମେଶ ହାତ ଧରି କହୁ କହୁ କାନ୍ଦି ପକାଇଲା ।

 

ରମେଶ ଅନୁଭବ କଲା ସୁଷମାର ଦୁଃଖ । କେଡ଼େ ନିରୀହା, ପୁଣି ସରଳା ତାର ଏଇ ସୁଷମା । ଜୀବନର ପ୍ରଥମ ପରିଚ୍ଛେଦରୁ ସେ ଭଲ ପାଇଚି–ସ୍ନେହ ଦେଇ ମଣିଷ କରିଚି । ପୁଣି ଦିନେ ହାତ ଧରି ଛିଡ଼ା ହେଉଚି ସଂସାରର ଅସରନ୍ତି ଚଲା ବାଟରେ । ପୁତ୍ର ବିୟୋଗରେ ତା ମନରୁ ଅଶାନ୍ତ–ଝଡ଼ ଏବେ ବି ଥମି ନାହିଁ । ତା’ର ଅନୁରୋଧ କାଟିବା ଆଜି ରମେଶ ପକ୍ଷରେ କଷ୍ଟକର ହୋଇ ଉଠିଲା ।

 

ତା’ ଆଖିରୁ ଲୁହ ପୋଛି କହିଲା, ସୁଷମା, ଏ ଗାଁରେ ବହୁତ କାମ ବାକି ଅଛି । ମ୍ୟାଲେରିଆର ଦାଉ ଏବେ ବି କମି ନାହିଁ । ମୁଁ ଏ ଗାଁ ଛାଡ଼ି ଚାଲିଗଲେ ଡାକ୍ତରଖାନା ଭାଙ୍ଗିଯିବ । ପୁଣି ଚିକିତ୍ସା ଅଭାବରୁ ମରିବେ ଗଦାଗଦା । ଏତେ ଦିନର ପରିଶ୍ରମ ଭୁଷୁଡ଼ି ପଡ଼ିବ । ଏତିକି ଦୁଃଖ ମୋର ସୁଷମା । ତେବେ ଆଜି ଦେଖୁଚି ମୋ ଦୁଃଖଠୁ ତମ ଦୁଃଖ ବହୁଗୁଣରେ ବେଶି । ଦେହ ଭଲ ହେଲେ ତମରି ଅନୁରୋଧ ରଖି ପୁଣି ମୁଁ ଫେରିଯିବି ସୁଷମା ! ତମ ଆଖିରୁ ଲୁହ ଝରାଇ ଭଲ କାମ କିଛି କରିପାରିବି ନାହିଁ ।

 

କହୁ କହୁ ରମେଶର ଆଖି ଅଶ୍ରୁସିକ୍ତ ହେଲା ।

 

ପାଞ୍ଚଦିନ ପରେ ରମେଶ ସମ୍ପୂର୍ଣ୍ଣ ଭଲ ହୋଇଗଲା । ସୁଷମାର ସେଇ ଏକା ଜିଦ୍–ଯିବା, ଆଉ ଏଠି ରହିବ ନାହିଁ । ରମେଶ ଯେତେ ବୁଝାଇଲା, ସୁଷମା, ଏ ଗାଁ ଛାଡ଼ି କୁଆଡ଼େ ଯିବା-! ଆ’ରି ଭିତରେ ଖୋଜି ପାଇଚି ଜୀବନର କଳ୍ପିତ ଶାନ୍ତି–ଶହ ଶହ ଦୀନ ଦରିଦ୍ରଙ୍କ ସେବା କରି ତାଙ୍କରି ପାଖେପାଖେ ରହି ଆସିଚି । ସବୁବେଳେ ବୁଝିଛି ତାଙ୍କରି ମନର କଥା । ଗରିବ ଭାଇ, ପୁଣି ସରଳତାର ଉତ୍ସ ଏଇ ଗାଁ ଭୂଇଁ ଛାଡ଼ି ସହରର ସେଇ ମିଥ୍ୟା ଆବରଣ ତଳେ ନିଜକୁ ଛପାଇବାକୁ ଆଉ ଭଲ ଲାଗିବ ନାହିଁ । ଏଇଠି ରହିବା ।

 

ରମେଶ ଯେତେ ବୁଝାଇଲେ ସୁଷମା ବୁଝେନା । ଖାଲି ଅଝଟ ପିଲାଙ୍କ ପରି କୁହେ, କେବେ ଯିବା–ଆଉ କାନ୍ଦେ ।

 

ସୁଷମାର ଜିଦ୍ ରହିଲା । ଆସନ୍ତା ରବିବାର ରମେଶ ଗାଁ ଛାଡ଼ି କଟକ ଫେରି ଯିବାର ସ୍ଥିର କଲା । ଡାକ୍ତରବାବୁ ଗାଁ ଛାଡ଼ି ଚାଲି ଯାଉଥିବା କଥା କ୍ଷଣିକରେ ଗାଁସାରା ବ୍ୟାପିଗଲା ।

 

ଆଜି ରବିବାର । ରାତିରୁ ସବୁ ଜିନିଷ ସଜଡ଼ା ସରିଥିଲା । ଭୋର ହେବାକ୍ଷଣି ରମେଶ କହିଲା, ସୁଷମା, ଶୀଘ୍ର କାମ ସାରିଦିଅ, ବଳଦ ଗାଡ଼ି ଆସିଗଲାଣି ।

 

ଟିକିଏ ପରେ ନୂଆ ଆଲୁଅ ବିଛାଡ଼ି ହୋଇ ପଡ଼ିଲା । କାଉ ଗୁଡ଼ାକ କା’ କା’ ଡାକ ଛାଡ଼ି ସରଗ ଦରିଆରେ ତରଙ୍ଗ କାଟି ଗଲେ । ସକାଳ ହେବାକ୍ଷଣି ଗାଁର ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ଆସି ରମେଶର ଘର ସାମନାରେ ରୁଣ୍ତ ହୋଇଗଲେ । ସୁଷମା ଦେଖିଲା ସମସ୍ତଙ୍କ ଆଖିରେ ପୂରି ରହିଚି ଲୁହ, ଆଉ ଆକୁଳ ଆବେଦନ । ଡାକ୍ତରବାବୁ, ତମେ ଏ ଗାଁ ମାଟିରେ ପାଦ ଦେଲାଦିନୁ ଆମେ ଜୀବନ ଫେରି ପାଇଚୁ । ପୁଣି ଆଜି ଆମକୁ ଛାଡ଼ି ଯାଉ ନାହାନ୍ତି ଯେ, ଜୀବନ୍ତ ସମାଧି ଦେଇ ଯାଉଚନ୍ତି ।

 

ମା, ଭଉଣୀ, ଖୁଡ଼ୀ, ଅପା, ନୂଆବୋଉ ବୋଲି ଯାହାଙ୍କୁ ଡାକି ସୁଷମା ଆପଣାର କରିଥିଲା, ସେଇମାନେ ଆଜି ତାକୁ ବିଦାୟ ଦେବାକୁ ଅନିଚ୍ଛୁକ । ସମସ୍ତଙ୍କ ଆଖିରୁ ଝରି ପଡ଼ୁଚି ଲୁହ, ସମସ୍ତେ କହୁଛନ୍ତି, ଆମ ପିଲାପିଲି ମରିଯିବେ ମା–କିଏ ଆଉ ଦୁଃଖବେଳେ ସାହା ହେବ । ଆମମାନଙ୍କୁ କନ୍ଦାଇ କନ୍ଦାଇ ଇମିତି ଚାଲିଯିବା ଯଦି ତମ ମନରେ ଥିଲା, ତେବେ ଆସୁଥିଲ କାହିଁକି ଏ ଗାଁ ଭୂଇଁକି ! ଖାଲି କଣ ସରାଗ କଣିକାଟିକ ଦେଇ ଯିବାକୁ । ଯଦି ସ୍ନେହଦେଇ ଆପଣାର କରିଚ, ତେବେ ସବୁଦିନ ପାଇଁ ଆମ କତିରେ ରହିବାକୁ ହେବ । ଯଦି ଆଖିର ଲୁହ ଦିନେ ନିଜ ପଣତ କାନିରେ ପୋଛି ଦେଇଥିଲ–ପୁଣି ଆଜି ଲୁହ ଭରି ଦେଉଚ କାହିଁକି ?

 

ସୁଷମା ଭାବିଲା, କୋଟିଏ ଜୀବନଠାରୁ ଗୋଟିଏ ଜୀବନ କ’ଣ ଏତେ ମୂଲ୍ୟବାନ । ଗୋଟିକର ଆହୁତିରେ ଯଦି କୋଟିକର ମୁକ୍ତିହୁଏ ତେବେ ଦୁଃଖ କଣ ? ସ୍ଵାମୀ ତା’ର ଡାକ୍ତର । ଗୋଟିଏ ଗାଁ’ର ନୁହେ–ଦଶଖଣ୍ତି ଗାଁ’ର । ସେଇ ଗୋଟିଏ ଲୋକଦ୍ଵାରା ଯଦି ଏତେଗୁଡ଼ିଏ ଲୋକଙ୍କର ଦୁଃଖ ଦୂରହୁଏ, ତେବେ ସେ କାହିଁକି ତାଙ୍କୁ ଦୂରେଇ ନେଉଛି । ନିଜର ସୁଖ ପାଇଁ ଏତେ ତଳକୁ ସେ କଣ ଓହ୍ଲାଇ ଯାଉଚି ! ନା ନା, ସେ ଏଇ ଗାଁରେ ରହିବ । ସ୍ଵାମୀଙ୍କ ନିକଟରେ ରହି ସେ ଏଇ ଦୀନ ଦରିଦ୍ର ସରଳ ଗାଁ ଲୋକଙ୍କର ସେବା କରିବ । ସେ ପାଠ ପଢ଼ିଚି । ଅନେକ କଥା ଶିଖିଚି, ଦେଶପାଇଁ ତାର ବହୁତ କାମ କରିବାକୁ ଅଛି । ଏଇ ଛୋଟିଆ ଗାଁର କର୍ମପରିସର ଭିତରେ ସେ ନିଜକୁ ଆଜିଠୁ ହଜାଇ ଦେବ ।

 

ରମେଶ ଆସି ଡାକିଲା, ଆସ ସୁଷମା !

 

ସୁଷମା ଆଖିରୁ ଝରି ପଡ଼ିଲା ଦି’ ଧାର ଲୁହ ।

 

ଆଜି ପୁଣି କାହିଁକି କାନ୍ଦୁଚ ସୁଷମା । ଯିବାବେଳ ହେଲା–ଆସ ।

 

ମୁଁ ଯିବି ନାହିଁ–ଏଇଠି ରହିବି । ମୋର ଭୁଲ ହୋଇଚି–ମୋତେ କ୍ଷମାକର । ସୁଷମା ରମେଶ ପାଦତଳେ ଲୋଟି ପଡ଼ିଲା । ଆଖିର ଲୁହରେ ରମେଶର ପାଦ ବତୁରିଗଲା ।

 

ସୁଷମାକୁ ଉଠାଇ ରମେଶ କହିଲା, ସୁଷମା ! ଏତେଦିନେ ତମେ ପ୍ରକୃତ ମଣିଷ ହେଇଚ । ଦୂର ସହରର ମମତା ତୁଟାଇ ଫେରି ଆସିଚ ଏଇ ଗାଁ ଗହଳି ଭିତରକୁ । ଗୋଟିକର ସୁଖ ସରାଗ ପାଇଁ ଦିନେ ଜୀବନ ଉତ୍ସର୍ଗ କରିଥିଲ, ଆଜି କୋଟିକ ପାଇଁ ପୁଣି ଜୀବନ ଉତ୍ସର୍ଗ କରିଚ । ତମେ ମହତ ସୁଷମା ! ଏଇ ମନୋଭାବ ନେଇ ଯେଉଁଦିନ ଶହଶହ ନାରୀ ସହରର ଉଚ୍ଚ ବାରଣ୍ତାରୁ ଓହ୍ଲାଇ ଆସିବେ ସରଗ ରାଇଜ ଏଇ ଗାଁ ମାଟିକୁ–ସେଇଦିନ ଏଇ ଗାଁ କେତେ ସୁନ୍ଦର ଆଉ ଆଦର୍ଶ ନ ହେବ କହିଲ ? ଯେଉଁ ଅନ୍ତରଭରା ଶ୍ରଦ୍ଧା ତମେ ଏଇମାନଙ୍କ ପ୍ରତି ଆଜି ଢାଳି ଦେଇଚ ସେଇ ଶ୍ରଦ୍ଧାର ପ୍ରତିଦାନରେ ସମସ୍ତଙ୍କର ବୁକୁଭରା ପ୍ରୀତି ଗ୍ରହଣ କର ସୁଷମା ! ସମସ୍ତଙ୍କ ମୁହଁରେ ଫୁଟିଉଠିଚି ତମରି ପ୍ରଶଂସା–ତମରି ଜୟଗାନ ।

 

ସୁଷମା ଆଖିରୁ ଲୁହ ପୋଛି ଦେଖିଲା, ସମସ୍ତଙ୍କ ମୁହଁରୁ ବିଷାଦ ଅପସରି ଯାଇଚି । ସମସ୍ତେ ଗାଉଚନ୍ତି ତାଙ୍କରି ଜୟଗାନ । ସମସ୍ତଙ୍କ ହୃଦୟର ସ୍ନେହ, ପ୍ରୀତିଧାରା ଅଲକ୍ଷିତରେ ବହି ଆସୁଚି ତାଙ୍କରି କତିକି ।

☆☆☆

 

ଦୀପ ଶିଖା

 

ତାଙ୍କର ପୂର୍ବପୁରୁଷ ଥିଲେ କର୍ମଠ, ଦୟାଳୁ, ଧାର୍ମିକ । ନିଜ ଚେଷ୍ଟାରେ ସେମାନେ ବଡ଼ ହୋଇଥିଲେ, ପୁଣି ବଡ଼ କରିଥିଲେ ଏଇ ଜନ୍ମମାଟିକି । ଶହ ଶହ ଲୋକ ମୁଣ୍ତ ନୋଇଁଥିଲେ ସେଇ ପ୍ରତିଭାବାନ୍ ଲୋକଙ୍କର ଚରଣ ତଳେ । ସେମାନେ ଗାଁ ମାଟି ଉପରେ ଦିନେ ସମ୍ଭବ ହେଇଥିଲେ । ହସିଥିଲେ–ହସାଇଥିଲେ; କାନ୍ଦିଥିଲେ, କନ୍ଦାଇଥିଲେ । ନିଜେ ପେଟପୂରା ଖାଇ ସେମାନେ ପରକୁ ଉପାସ ରଖି ନ ଥିଲେ । ପର ଦୁଃଖରେ ସେମାନେ ଭୁଲି ଯାଇଥିଲେ ନିଜକୁ । ପୁଣି ଆଗେଇ ଯାଇଥିଲେ ‘ଭାଇ’ କହି ପୋଛି ଦେବାକୁ ଦି’ଟୋପା ଲୁହ । ସେମାନେ ନିଜର ଗାଁଟି ନେଇ ବ୍ୟସ୍ତ ରହୁଥିଲେ । ଗାଁଟିରେ ସମସ୍ତେ ରହିବେ ସୁଖରେ–ରାମରାଜ୍ୟ ହେବ–ଏଇ ସ୍ଵପ୍ନ ଦେଖୁଥିଲେ । ସ୍ଵପ୍ନ ତାଙ୍କର ସାର୍ଥକ ହୋଇଥିଲା । ଏଇ ଯତନପୁର ଗାଁ ଦାଣ୍ତରେ ବାରମାସରେ ତେର ପରବ ଲାଗି ରହିଥିଲା । ଗାଁ’ଟି ସବୁବେଳେ ହସି ଉଠୁଥିଲା–ନୀଳ ଦରିଆରେ ଲହଡ଼ି କାଟି ଫେରି ଆସୁଥିବା ସାଧବର ଭରା–ବୋଇତ ପରି ।

 

ଆଲୋକ ଲିଭିଗଲା । ଘନ ଅନ୍ଧକାର ଭିତରେ ସେମାନେ ହଜିଥିଲେ । ଉତ୍‍ଥାନପତନ ଭିତରେ ଖାଲି ରହିଲେ ରାଉତରା ବଂଶର ପାଞ୍ଚଭାଇ ଭିତରୁ ଗୋଟିକର ପୁଅ ଭଗବାନ ରାଉତରାୟ ।

 

ଭଗବାନ ରାଉତରାୟକୁ ଆଜି ଷାଠିଏ ଟପି ଗଲାଣି । କିନ୍ତୁ ଦେଖିବାକୁ ପୂର୍ବପରି ହସହସ । ବଳ ବୟସ ନଇଁ ପଡ଼ିଚି ସିନା–କିନ୍ତୁ ଜୀବନର ଆଶା ଆକାଂକ୍ଷା ଆଜି ବି ନଇଁ ନାହିଁ । ସମୟର ଅବିରାମ ଲହଡ଼ି ତଳେ ଅତୀତ ମୁହଁ ଛପାଇଚି ସିନା–କିନ୍ତୁ ଭଗବାନ ରାଉତରା ଅତୀତରେ ଥିଲା ଯେମିତି ଆଜି ବି ସେମିତି ଏଇ ଯତନପୁର ଗାଁ ଗୋଟିକରେ ।

 

ରାଉତରା ପ୍ରଭାବ ଖାଲି ଏଇ ଯତନପୁର ଗାଁଟାରେ ନୁହେଁ, ଆଖପାଖ ପାଞ୍ଚଖଣ୍ତି ଗାଁରେ ମଧ୍ୟ ପଡ଼ିଚି । ଲୋକେ ତାକୁ ଖାତିରି କରନ୍ତି । ତାର ଲମ୍ଵା ବଳିଷ୍ଠ ଚେହେରା ଦେଖିଲେ ଶତ୍ରୁମ୍‍ାନେ ମଧ୍ୟ ଶଙ୍କି ଯାଆନ୍ତି ।

 

ରାଉତରା ଜୀବନ ଦେଇ ଏଇ ଗାଁର ରୂପ ବଦଳାଇ ଦେଇଚି । ତା ଜୀବନକାଳ ଭିତରେ ଏ ପର୍ଯ୍ୟନ୍ତ ଗାଁର ଗୋଟିଏ କେହି ମାଲି–ମକଦ୍ଦମାର ଦୁଆର ମାଡ଼ି ନାହାନ୍ତି । ଗାଁରେ ମଧ୍ୟଇଂରାଜୀ ବିଦ୍ୟାଳୟକୁ ହାଇସ୍କୁଲରେ ପରିଣତ କରାଇଚି । ଗାଁରେ ଡାକ୍ତରଖାନା, ହାଟ ବସାଇଚି । ତା’ର ଯତ୍ନରେ ଗାଁରେ କେଉଁଠି ନୂଆ ରାସ୍ତା ହୋଇଚି । ରାଉତରା ଉଦ୍ୟମରେ ପୋଖରୀଟିଏ ଖୋଳା ହୋଇ ଗାଁ ଲୋକଙ୍କର ବହୁ ଅସୁବିଧା ଦୂର ହୋଇଚି । ଗାଁରେ ଯାନିଯାତ୍ରା ମେଳା ମହୋତ୍ସବ ଲାଗି ରହିଚି ।

 

ରାଉତରା ଏ ଗାଁ ଗୋଟିକର ଜମିଦାର ଏ କଥା ଭୁଲି ଯାଇଚି । ଅନ୍ତରର ଅନାବିଳ ସ୍ନେହ ଦେଇ ସମସ୍ତଙ୍କୁ ସେ ଗୋଟିଏ ଆଖିରେ ଦେଖି ଆସିଛି । ସମସ୍ତଙ୍କ ଉପରେ ବଡ଼ ଏ କଥା ସେ କଳ୍ପନାରେ ଆଣିନାହିଁ । ସମସ୍ତଙ୍କୁ ସ୍ନେହ ବିନିମୟରେ ଆପଣାର କରିଚି । ଏଇ ଗାଁଟିକୁ ସେ ଆଦର୍ଶରେ ପରିଣତ କରିବାକୁ ନିଜର ସ୍ଵପ୍ନ ଓ ସାଧନା ଦେଇ ଲାଗି ଆସିଅଛି ।

 

ତା’ର ବାପ ଦାଦି ନିଜ ଶିଙ୍ଗରେ ମାଟି ଖୋଳି ବଡ଼ ହୋଇଥିଲେ । ନିଜ କର୍ମନିଷ୍ଠାରେ ସେମାନେ ଲକ୍ଷ୍ମୀଙ୍କର ବରପୁତ୍ର ହୋଇ ପାରିଥିଲେ । ବେଳ ଆସିଥିଲା ସେମାନଙ୍କ ଜୀବନର ଦୁଃଖ ଅବସାଦ ପରିବର୍ତ୍ତେ ସୁଖର ଜୁଆର ମାଡ଼ି ଆସିଲା । ଚାହୁଁଚାହୁଁ ଗୋଟାଏ ବରଷ ଭିତରେ ସବୁ ବଢ଼ିଗଲା । ରାଉତରୁ ହେଲେ ରାଉତରାୟ । ଜମିଦାରୀ କିଣା ହେଲା । ମହାଜନୀ କାରବାର ହେଲା । ଧନରେ ବଡ଼ ହେଇଥିଲେ–ପୁଣି ମାନରେ ବଡ଼ ହେଲେ ଏଇ ଗାଁ ଗୋଟିକରେ ।

 

ସେହିପରି ଭଗବାନ ରାଉତରା ବଂଶର ପୂର୍ବ ଗୌରବକୁ ତଳେ ପକାଇ ଦେଇନାହିଁ । ଗାଁର ଭଲ କରିବାକୁ ଯାଇ ତା’ ଜୀବନକାଳ ଭିତରେ ଏ ପର୍ଯ୍ୟନ୍ତ ବହୁତ ଦୁଃଖ ଘନେଇଚି । କିନ୍ତୁ ସବୁ ସେ ଏଡ଼ି ଦେଇଚି ହସିହସି–ପୁଣି ଛାତି ଫୁଲାଇ ଚାଲିଚି ଏଇ ଗାଁ ଦାଣ୍ତରେ ପାଞ୍ଚ ପଚିଶିକି ମଣିଷ କରି ।

 

ସେ କୁହେ, ଆମେ ଆସିଚେ ଏଇ ସୁନ୍ଦର ପୃଥିବୀକୁ ମଣିଷ ଜନମ ନେଇ । ଖାଲି କ’ଣ ଖଟିଖଟି ପେଟେ ଖାଇ ନିଶ୍ଚିନ୍ତ ହୋଇ ରହିବାକୁ ? ନିଜର ସ୍ଵାର୍ଥ ନେଇ ସବୁବେଳେ ଲିପ୍ତ ରହିବା–ଆଉ ବାହାର ଦୁନିଆକୁ ଟିକିଏ ଆଖି ଖୋଲି ଚାହିଁବା ନାହିଁ । ଜନ୍ମମାଟିର ସେବାପାଇଁ ନିଜର କଣିକାଏ ଦାନ ବି ଦେବା ନାହିଁ । ସାରା ଦିନର ଚବିଶି ଘଣ୍ଟା ଭିତରୁ ଯଦି ପାଞ୍ଚ ମିନିଟ ନିଜକୁ ଜନ୍ମମାଟି ଭାବନାରେ ନ କଟାଇବା ତେବେ ମଣିଷ ଜନମ ପାଇ ବୃଥା ।

 

ରାଉତରା ପ୍ରତିଦିନ ଶୋଇବା ପୂର୍ବରୁ ପାଞ୍ଚମିନିଟ ଜନ୍ମମାଟିର ଚିନ୍ତା କରେ । ଭାବୁଭାବୁ ଜନ୍ମମାଟି ଚିନ୍ତାରେ କେତେବେଳେ ସେ ହସେ–ପୁଣି କେତେବେଳେ କାନ୍ଦେ । ତା’ ଆଖି ଆଗରେ ଦିଶେ ଜନ୍ମମାଟିର ମଳୀନ ବେଶ–ବିକଳ ବଦନ । ଜନ୍ମମାଟି ମୁହଁରେ ହସ ଫୁଟାଇବାକୁ ସେ କେତେ ନୂଆ ନୂଆ ପରିକଳ୍ପନା କରେ । ସେହି ପରିକଳ୍ପନାରେ ଗାଁ ଲୋକଙ୍କୁ ଅନୁପ୍ରାଣିତ କରାଏ ।

 

ରାଉତରାୟ ଘରେ ଆଜି ଆଉ କେହି ନାହାଁନ୍ତି । ଦିନେ ଜଣେ ଥିଲା, ତା’ ପଛେପଛେ ସମସ୍ତେ ଯାଇଚନ୍ତି–ଘରର ଶିରୀ ତୁଟି ଯାଇଚି–ଜୀବନର ସ୍ନେହ, ପ୍ରେମ, କରୁଣା ତା’ ପଛେପଛେ ସବୁ ମରିଯାଇଚି । କାଲିପରି ଲାଗୁଚି–ଅତୀତର କଥାଗୁଡ଼ା ମନ ଗହୀରରେ ଘୁମେଇ ପଡ଼ିଲାଣି । ବେଳେବେଳେ ସେ ଅଲକ୍ଷିତରେ–ସପନ ରୂପରେ ଆସେ । ରାଉତରା ମନ ଉପରେ ନିଜର ରଙ୍ଗ ଟିକେ ଅଜାଡ଼ି ଦେଇ ଚାଲିଯାଏ । ହୃଦୟ ଚବରଚବର କରି ଉଠେ । ରାଉତରା ଚାହିଁ ଦେଖେ କିଛି ନାହିଁ । ସବୁ ଲିଭିଗଲାଣି ଭଙ୍ଗା ଜୀବନର ପାଚେରୀ ସେ ପଟରେ । ଭାବେ ଅସ୍ତଗାମୀ ସୂର୍ଯ୍ୟର ହଳଦିଆ କିରଣ ଟିକରେ ଆଉ ବା ଲାଭ କଣ ? ଜୀବନର ମଧୁରିମା ହଜିଚି–ଆଉ ବା ସେ କେତେ ଦିନ । ଲକ୍ଷ୍ମୀକି ସେ କେବେ କରଛଡ଼ା କରି ନ ଥିଲା । କିନ୍ତୁ ସେ ଦିନେ ତାକୁ ଦଦରା ନାବରେ ଏକଲା ଭସାଇ ଦେଇ ହଜିଗଲା ଦିଗନ୍ତ ସେପାରିରେ । ସବୁ ଫାଙ୍କି । ଆଜି ଯେ ଅତି ଆପଣାର–କାଲିକୁ ସେ ପର–ସାତପରଠୁ ବି ହୀନ ।

 

ସବୁ କାଲିପରି ଲାଗୁଛି । ବାହାଘର–କେତେ ଜାକଜମକ ରୋଷଣୀ, ଭଳିକିଭଳି ବାଣ, ଅସୁମାରି ଲୋକଗହଳି ଭିତରେ ବିଜିପୁର ଗାଁ ଦାଣ୍ତ କମ୍ପି ଉଠିଥିଲା । ପଟ୍ଟନାଏକ ବଂଶର ଅଲିଅଳୀ ଜେମା ଲକ୍ଷ୍ମୀକି ସେ ସାଥିରେ ଧରି ଫେରି ଆସିଥିଲା । କି ସୁନ୍ଦର ହଳଦୀ ଗରଗର ରୂପ–ସରୁସରୁ ଭ୍ରୂଲତା ତଳେ ଢଳଢଳ ଚାହାଣି । ଓଠରେ ଲାଗି ରହିଚି ହସ–ଆଖିରେ ଆବେଗ–ମୁଖମଣ୍ତଳରେ ଭରି ରହିଚି ଅପୂର୍ବ କମନୀୟତା । ରୂପରେ ଦିନେ ମୋହିଥିଲା ତାର ଯଉବନର ଚଞ୍ଚଳ ମନ–ଗୁଣରେ ପୁଣି ଦିନେ କିଣିଲା ଏଇ ଗାଁ ଗୋଟିକର ଆଉ ସାଇପଡ଼ିଶାଙ୍କର ମନ । ଗାଁର ଦୁଃଖୀ ଦରିଦ୍ରଙ୍କର ଅଭାବ, ଅନାଟନ ସେ ବୁଝୁଥିଲା । ସବୁବେଳେ ତାଙ୍କ ପାଇଁ ଲକ୍ଷ୍ମୀଭଣ୍ତାର ପରିପୂର୍ଣ୍ଣ ଥିଲା ।

 

କେଇଟା ଦିନପରେ ଲକ୍ଷ୍ମୀର ଖାଲି କୋଳ ପୂରି ଉଠିଲା । ପୁଅଟିଏ । ରାଉତରାୟ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଥିଲା । ଭୋଜିଭାତ ହେଲା–ଗାଁ ଲୋକ ଖାଇଲେ । ଗରିବ–ଗୁରୁବାଙ୍କୁ କେତେ କଣ ଦିଆନିଆ ହେଲା । ଠିଆପାଲା ହେଲା । ରାଧା ଗୋବିନ୍ଦ ଜିଉ ମନ୍ଦିରରେ କେତେ କଣ ଆରାଧନା ହେଲା । ପୁଅଟିକୁ ତମେ ଆଶିଷ ଦିଅ ଠାକୁରେ, ସେ ବଞ୍ଚିରହୁ ଏ ଦୁନିଆରେ ।

 

ପୁଅଟିକୁ ଠାକୁରେ ଆଶିଷ ଦେଇ ବଞ୍ଚାଇ ରଖିଲେ । କିନ୍ତୁ ମଝିବୟସରୁ ଲକ୍ଷ୍ମୀ ପରପାରିର ଯାତ୍ରୀ ହେଲା । ସଂସାର ସାଗରରୁ ଗୋଟିଏ ବୋଇତ ଡୁବିଗଲା । ଲକ୍ଷ୍ମୀର ବିୟୋଗରେ ରାଉତରା ଭାଙ୍ଗି ପଡ଼ିଲେ । କିନ୍ତୁ ଦିନ କେଇଟା ପରେ ସବୁ ଦୁଃଖ ଗ୍ଳାନି ଭୁଲି ନିଜକୁ ସଜାଡ଼ି ପୁଅଟିକୁ ମଣିଷ କରିବାକୁ ଲାଗିଲେ ।

 

ରାଉତରା ଭାବେ, ଅତୀତକୁ ଭାବି ଆଉ ଲାଭ କଣ ? ଲକ୍ଷ୍ମୀ ଯାଇଛି–ସେ ବି ଯିବ । ଆଖି ସାମନାରେ ଏଇ ଆକାଶଟା ଦିଶୁଚି କେଡ଼େ ସ୍ଵଚ୍ଛ, ସୁନ୍ଦର । ହାଲୁକା ବଉଦର ତଳେତଳେ ଫୁଟି ଉଠିଚି କି ସୁନ୍ଦର ଜହ୍ନ । ସୁଲୁସୁଲୁ ପବନ ଦେଉଚି । ଘୁରିଘୁରି ଟେଟେଁଇ ଚଢ଼େଇ ବୋବାଉଚି-। ଟିକିଏ ପରେ ପୁଣି ଘୋଟିଆସିବ ଅନ୍ଧାର । ଜହ୍ନ ଲିଭିଯିବ–ପବନ ହଜିଯିବ-। ଟେଟେଁଇ ଚଢ଼େଇର କରୁଣ ରାଗିଣୀ ଭାସି ବୁଲିବ ଆକାଶର ଦେହରେ । ଜୀବନଟା ଠିକ୍ ଏଇ ଆଖି ସାମନାର ଆକାଶ ପରି । କେତେବେଳେ ଆଲୁଅ–ପୁଣି କେତେବେଳେ ଅନ୍ଧାର ।

 

ଅତୀତ ଓ ବର୍ତ୍ତମାନର ଭାବନା ମଝିରେ ଗଡ଼ିଯାଇଚି କେତୋଟି ବର୍ଷ । ପୁଅ ତାର ବହୁତ ପାଠପଢ଼ି ଫେରିଆସିଚି ସହରରୁ । ଦିନ କେଇଟା ପରେ ପୁଅର ବାହାଘର । ରାଉତରା ଭାବୁଚି ଏତକ କରିଦେଲେ ନିଶ୍ଚିନ୍ତ ହୋଇଯିବ । ତେଣିକି ସେ ପୁଅ ବୋହୂର ସୁଖ ସଂସାର ଦେଖି ଆଖି ବୁଜିବ ।

 

ଅନ୍ତରର ଅଭିଳାଷ, ମନର ଆଶା ଯଦି ଠିକ୍‍ଭାବେ ପୂରଣ ହୁଅନ୍ତା ତେବେ ସରଗ ପାଲଟନ୍ତା ଏଇ ମରତ ଭୂଇଁ । ପୁଅ ବାହା ହେଲା । ରାଉତରା ଶହ ଶହ ଟଙ୍କା ଅଜାଡ଼ି ଦେଲା । ବାଛି ବାଛି ଆଣିଲା ସୁନାର ପ୍ରତିମା ବୋହୂଟିଏ । କିନ୍ତୁ କଣ ହେବ, ପୁଅ ବୋହୂ ନେଇ ଦିନ କେଇଟା ବି ରହିପାରିଲା ନାହିଁ ।

 

ଗୋଟିଏ ବୋଲି ପୁଅ ଏଇ ପ୍ରତାପ । ସେ’ବି ବାପର ହୃଦୟ ବୁଝିଲା ନାହିଁ । ବାପର ଆଦର୍ଶ ଦଳି ଦୂର ସହରର ଚାକିରି ରାଇଜକୁ ଫେରି ଆସିଲା । କେଇଟା ଦିନ ପରେ ପୁଣି ରାଉତରା ଘରର କୁଳବଧୂ ସହରର ଭଡ଼ାଘରେ ଆସି ଆଶ୍ରୟ ନେବାକୁ ପଡ଼ିଲା ।

 

ଜମିଦାରୀ ଖବର କିଛି ବୁଝିହେଲା ନାହିଁ । ଘରର ବିଲବାଡ଼ି ଉଜୁଡ଼ି ଯିବାରେ ଲାଗିଲା-। କିନ୍ତୁ ପୁଅ ତାର କେଇଟା ଟଙ୍କା ନେଇ ସହରର ଚାକିରି ଜୀବନ ଅତିବାହିତ କଲା । ନିଜେ ଗଲା-। ପୁଣି ରମାକୁ ବି ସାଙ୍ଗରେ ନେଇଗଲା ।

 

ବୋହୂକୁ ନେଇଯିବା ଦିନ ରାଉତରା ପଦୁଟିଏ ବି କଥା ପୁଅକୁ କହିନାହିଁ । କିନ୍ତୁ ରମା ଯେତେବେଳେ ଆସି ଗୋଡ଼ତଳେ ପଡ଼ି ଅନୁମତି ମାଗିଲା–ତେତେବେଳେ ରାଉତରା ଆଖିରୁ ଧାରଧାର ଲୁହ ବହିଗଲା । ଦୁଃଖମିଶା ଗଳାରେ କହିଲା, ବୁଢ଼ା ପୁଅକୁ ଛାଡ଼ି ଯିବାକୁ ତମର କିମିତି ସତ ବଳୁଚି ମା’ ! ନାଁ ନାଁ ମା, ତମର ଦୋଷ କଣ ? ପୁଅ ତ ମୋର ନୁହେଁ, ଯା ମା—ସମସ୍ତେ ଯାଅ । ରାଉତରା ବଂଶର ମିଞ୍ଜିମିଞ୍ଜି ହୋଇ କେଇଟା ଦୀପ ଜଳିବା ଅପେକ୍ଷା ଲିଭିଯିବା ତା’ଠୁ ସତଗୁଣେ ଭଲ ।

 

ପ୍ରତାପର ପଥର ମନ ତଥାପି ଟଳିଲା ନାହିଁ ।

 

ପୁଅ ବୋହୂ ସହର ଯିବା ଦିନୁ ବୁଢ଼ାର ବେଶି ସମୟ ରାଧା ଗୋବିନ୍ଦ ଜିଉ ମନ୍ଦିରରେ କଟେ । ଘରକୁ ଲାଗି ମନ୍ଦିର । ରାଧା ଗୋବିନ୍ଦ ଜିଉ ଯୁଗର ମୂର୍ତ୍ତି ବିଦ୍ୟମାନ । ରାଉତରା ବଂଶର ପୂର୍ବପୁରୁଷ ଏଇ ମନ୍ଦିର ସ୍ଥାପନା କରିଥିଲେ । ସେ ଆଜକୁ କେତେବର୍ଷ ତଳର କଥା । ବଂଶର ଉତ୍‍ଥାନପତନ, ସୁଖ-ଦୁଃଖ ସବୁ ଏଇ ରାଧାଗୋବିନ୍ଦ ଜିଉଙ୍କର କରାମତି । ତେଣୁ ତାଙ୍କ ଉପାସନାରେ ଯେପରି ତ୍ରୁଟି ନ ହୁଏ ସେଥିପାଇଁ ପୁରୁଷାନୁକ୍ରମେ ଖଞ୍ଜା ହୋଇଛି କେତେ ବାଟି ଜମି । ସେହି ଜମିର ଆୟରୁ ମନ୍ଦିର ପରିଚାଳନା ହୁଏ । ପୂଜାରୀ ଚାକର ଛଡ଼ା ନିଜେ ବୁଢ଼ା ଠାକୁରଙ୍କ ସବୁ ଖବର ବୁଝେ ।

 

ପୁଅ ବୋହୂଙ୍କ ଦୁଃଖ ରାଉତରା ଏଇ ରାଧାଗୋବିନ୍ଦ ଯୁଗଳ ମୂର୍ତ୍ତିକୁ ଚାହିଁ ଭୁଲି ଯାଇଚି-। ସାରାଦିନ ଏଇ ମନ୍ଦିରରେ କଟେ । ପ୍ରସାଦ ସେବା ଏଇଠି ହୁଏ । ଘର ସାଙ୍ଗରେ ସମ୍ପର୍କ ଖୁବ୍ କମ୍ ।

 

ଏଇ ମନ୍ଦିର ବେଢ଼ା ଭିତରେ ପୂର୍ବପରି ଗାଁର ନ୍ୟାୟନିଶାପ ବସେ । ରାଉତରା ଗାଁର ସବୁ କଳହ, ବାଦବିବାଦ ଏଇଠି ତୁଟାଇ ଦିଅନ୍ତି । କାହାରି ମନରେ ସେ କେବେ ଦୁଃଖ ଦେଇ ନାହାନ୍ତି । ସମସ୍ତେ ରାଉତରା ମୁହଁରୁ ପଦେ ନ୍ୟାୟ କଥା ଶୁଣିବାକୁ କେଡ଼େ ଆଗ୍ରହରେ ଚାହିଁ ରହିଥାନ୍ତି । ନ୍ୟାୟ କଥା କହିଲେ କିଏ ଯଦି କେବେ ତା’ ପ୍ରତି ଅଭିମାନ କରେ ସେ ପ୍ରକାରାନ୍ତରେ ତାକୁ ପାଖକୁ ଡାକିଆଣେ । କୁହେ, ଭାଇ ରାଉତରା ବଂଶର ଦୀପ ଲିଭିବା ଉପରେ–ଆଉ କାହିଁକି ଏ ବୁଢ଼ା ପ୍ରତି ଅଭିମାନ । ତମେମାନେ ସୁଖରେ ରହିଲେ ମୁଁ ଶାନ୍ତିରେ ଆଖି ବୁଜିବି । ଜୀବନଟା ଖାଲି ହା’ହୁତାଶରେ କଟିଲା । କିଛି କରି ପାରିଲି ନାହିଁ ତମପାଇଁ । ପ୍ରତାପ ତମମାନଙ୍କର ଆଶାରେ ଧୂଳିଦେଇ ଚାଲିଗଲା । ପୁଣି ଯଦି କେବେ ମୁଁ ଆର ଜନ୍ମରେ ମଣିଷ ହୋଇ ଆସେ–ତେବେ ଏକଲା ଆସିବି । ଗରିବର ଦୁଃଖରେ ଆଜିପରି ଖାଲି ଲୁହ ଟିକେ ଦେବିନାହିଁ–ଦେବି ରକ୍ତ ପୁଣି ଜୀବନ । ଭାଇ, ବନ୍ଧୁ, ସ୍ତ୍ରୀ, ପୁତ୍ର ସବୁ ମିଛ । ଖାଲି ଜୀବନକୁ ଜାଳିପୋଡ଼ି ଦେବାପାଇଁ ଏମାନେ ଯେପରି ଘେରି ରହିଛନ୍ତି ସ୍ଵାର୍ଥଲୋଲୁପ ଦୃଷ୍ଟିରେ ।

 

କଥାକଥାକେ ଆଜି ରାଉତରାର ଅଭିମାନ । ମଣିଷ ଜୀବନଟା ଯେତେବେଳେ ଖାପଛଡ଼ା ହୁଏ–ତେତେବେଳେ ସବୁ କଥାରେ ଅଭିମାନ ଆପେଆପେ ଆସେ ।

 

ରାଉତରା ହୃଦୟର ପରାଶ ଅନୁଭବ କରିଥିଲା ତାର ପୁତ୍ରବଧୂ ରମା । ଚାରୋଟି ମାସ ପରେ ରମା ପୁଣି ଫେରି ଆସିଲା ଦୂର ସହରରୁ ଗାଁକୁ । ରାଉତରା ନିକଟରେ ତାର ଅଳି, ବାପା ଏଥର ମୁଁ ତମକୁ ସାଙ୍ଗରେ ନେଇଯିବି । ଏକଲା କାହିଁକି ଏଠି ପଡ଼ି ହଇରାଣ ହେବ । କ’ଣ ବୋହୂ ହୋଇ ଆସିଥିଲି ଦୂର ସହରରେ ରହିବାକୁ । ତମର ସେବା କଣ ମୋ ଭାଗ୍ୟରେ ନାହିଁ ।

 

ରାଉତରା ବୋହୂକୁ ପାଖକୁ ଡାକି କହିଲା, ରମା, କାହିଁକି ତୋତେ କଷ୍ଟଦେବି । ଏଠିତ ବେଶ୍‍ ସୁଖରେ ଅଛି । କତିରୁ ତମେ ଦିହେଁ ସିନା ଚାଲି ଯାଇଚ–କିନ୍ତୁ ରାଧାଗୋବିନ୍ଦ ଏବେ ବି ମୋ ପାଖେପାଖେ ଅଛନ୍ତି । ଯେଉଁଦିନ ସେ ମୋତେ ଛାଡ଼ି ଚାଲିଯିବେ–ସେଇଦିନ ମୁଁ ତମରି ଆଶ୍ରୟ ନେବି । ଆଜି ନୁହେଁ ।

 

ରାଉତରା ଯେତେ ଭୁଲାଇଲେ ବି ରମା ଭୁଲିଲା ନାହିଁ । ତା’ର ସେଇ ଗୋଟିଏ ଜିଦ୍ ସେ ତାଙ୍କୁ ସାଥୀରେ ନେଇଯିବ । ବୁଢ଼ା ଦେଖିଲା ଆଜି ରମାର ଆଗ୍ରହ କାଟିଦେଲେ ଚିରଦିନ ପାଇଁ ସେ ଗୋଟିଏ ସରଳ ସୁନ୍ଦର ହୃଦୟକୁ ହରାଇ ବସିବ । ଭାରି ସରଳା ନିରୀହା ରମା । ବାଛି ବାଛି ରୂପ ଆଉ ଗୁଣ ଦେଖି ତାକୁ ବୋହୂ କରି ଆଣିଥିଲା । ବୋହୂ ହୋଇ ସିନା ଆସିଲା କିନ୍ତୁ ରାଉତରା ଦୁଃଖ ହରିଲା ନାହିଁ ।

 

ତଥାପି ରମା ପ୍ରତାପ ପରି ତାକୁ ଅଶ୍ରଦ୍ଧା କରିନାହିଁ । ଏକା ଡେମ୍ଫରେ ଦୁଇଟି ଫୁଲ । ଗୋଟିଏ ନଇଁ ପଡ଼ିଚି ତାର ଚରଣ ତଳେ । ଆରଟି ଆଭିଜାତ୍ୟ ନେଇ ଦୂରେଇ ଯାଇଚି । ବହୁତ ଭାବିଭାବି ରାଉତରା ରମାର ଅନୁରୋଧ ଆଜି ଏଡ଼ିଦେଇ ପାରିଲା ନାହିଁ । ଦିନ କେଇଟା ପରେ ରମା ସାଙ୍ଗରେ ସହରକୁ ଆସିଲା । ପଡ଼ିଶା ଲେଖାରେ ଭାଇ ସୁଦାମ ଜିମା ଘର ବାହାର ପୁଣି ମନ୍ଦିରର ସବୁ ଭାର ଲଦି ଦେଇ ଆସିଲା ।

 

କିନ୍ତୁ ଦିନ କେଇଟା ଯାଇନି । ରାଉତରା ଏଇ ସହରର ବିଜୁଳି ଆଲୁଅ ତଳେ ଝୁରି ବସିଲା ଦୂର ଗାଁ ଗହଳର କଥା । ପୁଅ ତାର ବଡ଼ ଅଫିସର । ସହରର ସମସ୍ତେ ତାକୁ ଖାତିର କରନ୍ତି । ବଡ଼ଲୋକି କାଇଦାରେ ଘରର ସାଜସଜ୍ଜା ବଡ଼ ମନୋରମ । ବିଜୁଳି ଆଲୁଅ ଜଳୁଚି । ପଙ୍ଖା ଘୂରୁଚି । ନିଇତି ବନ୍ଧୁବାନ୍ଧବ ଗହଳିରେ ଘର ପୂରି ଉଠୁଚି । ଖାନାପିନାର ଧୂମ ଉଡ଼ୁଚି ।

 

କିନ୍ତୁ ରାସ୍ତା କରର ଉପାସୀଟା ଯଦି ଆସି ହାତ ପତାଉଚି, ପୁଅ ତାର ନାସିକା କୁଞ୍ଚନ କରି ହଟି ଯିବାକୁ ନିର୍ଦ୍ଦେଶ ଦେଉଚି । ବିଚରା ଫେରି ଯାଉଚି ନିରାଶ ହୋଇ–ଆଖି ଲୁହରେ ବଡ଼ ଆଶା ତାର ଭାସି ଯାଉଚି କୁଆଡ଼େ । ରାଉତରାର ମନେ ପଡ଼ୁଚି ଘରକଥା । କାହିଁ କେବେତ ଦିନେ ସେ କାହାରିକି ନିରାଶ କରି ଫେରାଇ ଦେଇନାହିଁ । ଏଇ ବଡ଼ ସହରର ଦୟା, ଧର୍ମ କିଛି ନାହିଁ । ସମସ୍ତେ ନିଜର ସ୍ଵାର୍ଥ ନେଇ ବ୍ୟସ୍ତ । କାରଖାନାର କଳପରି ଏଠିକାର ମଣିଷଗୁଡ଼ା । କୁଆଡ଼ୁ ଆସନ୍ତି କୁଆଡ଼େ ଯାଆନ୍ତି କିଛି ଜଣା ପଡ଼େନାହିଁ । ମଣିଷ ଭିଡ଼ଠୁ ରାସ୍ତାରେ ଗାଡ଼ି ଭିଡ଼ ଆହୁରି ବେଶି । ବଡ଼ ଲୋକର ବଡ଼ ଗାଡ଼ିଗୁଡ଼ାକ ଗରିବଙ୍କୁ ଉପହାସ କରି ଯେପରି କହନ୍ତି ଆମରି ଚକ ତଳେ ତମରି ଜୀବନର ଖାଲି ପୂର୍ଣ୍ଣଛେଦ ।

 

ବିଳାସିତାରେ ଏଠି ପଇସା ଉଡ଼ୁଚି । କିନ୍ତୁ ଗାଁରେ ମୁଠେ ଖାଇ ଦଣ୍ତେ ଜିଇବାକୁ ପାଖରେ କାଣି କଉଡ଼ିଟିଏ ବି ନାହିଁ । ଏଠି ଖାଇସାରି ଯା’ ଫୋପାଡ଼ି ଦିଅନ୍ତି ସେଇତକ ଗରିବ ପତରରେ ବି ଦେବାକୁ କୁଣ୍ଠିତ । ଏଠି ପଇସା ବିନିମୟରେ ସ୍ନେହ କିଣାଯାଏ–ସ୍ନେହ ବିନିମୟରେ ପରକୁ ଆପଣାର କରିବା ଏଠି ଅସମ୍ଭବ ପରି ମନେହୁଏ ।

 

ରାଉତରାକୁ ସହରର ଏଇ ଦୃଶ୍ୟଗୁଡ଼ା ଆଉ ଭଲ ଲାଗିଲାନାହିଁ । ନିଜକୁ ଯେପରି ସେ ଅସହାୟ ପରି ଭାବିଲା । ସହରର ବିଜୁଳି ଆଲୁଅ ତଳେ ଦିଶି ଯାଉଥିଲା ଦୂର ଗାଁର ମିଞ୍ଜିମିଞ୍ଜି ଡିବିରି ଆଲୁଅର ରୂପ । ଧନୀ, ମହାଜନ, ବଡ଼ଲୋକଙ୍କ ଭିତରେ ସେ ଭୁଲି ପାରିଲା ନାହିଁ ଅସ୍ଥିକଙ୍କାଳସାର ମାଗିଖିଆ ଓ ଗାଁର ଦୀନ-ଦରିଦ୍ରଙ୍କୁ । ବିଳାସିତାର ପଛପଟେ ଦିଶିଲା ଗାଁ ଗହଳିର ନଗ୍ନ କରୁଣ ଚିତ୍ର । ସହରର ବିଷାକ୍ତ ବାୟୁମଣ୍ତଳ ଭିତରେ ଦିଶୁଥିଲା ଦୂର ଗାଁର ସ୍ନିଗ୍‍ଧ ମଧୁର ଛବି-

 

ରାଉତରା ଦିନେ ସପନରେ ଦେଖିଲା, ଆସିଲା ପରଠାରୁ ରାଧାଗୋବିନ୍ଦ ସେବାରେ ତ୍ରୁଟି ହୋଇଚି । ଗାଁରେ ବାଦବିବାଦ ବଢ଼ି ଉଠିଚି । ମନ୍ଦିର ବେଢ଼ା ଭିତରେ ଗାଁର କଳହ ତୁଟାଇବାକୁ ଆଉ ନ୍ୟାୟନିଶାପ ବସୁନାହିଁ । ଗାଁ ତା’ର ଆଦର୍ଶ ହରାଇ ଧୀରେଧୀରେ ଭୁଷୁଡ଼ି ଯିବାକୁ ବସିଚି । ଗାଁର ଦୁର୍ଦ୍ଦଶା ଦେଖି ରାଉତରା ଆଖିରୁ ଧାରଧାର ଲୁହ ବୋହି ଯାଉଚି ।

 

ତା’ପରଦିନଠାରୁ ରାଉତରାକୁ ସହର ଜୀବନ ଅସହ୍ୟବୋଧ ହେଲା । ବଡ଼ଲୋକି ଖାନା ଆଉ ପାଟିକୁ ରୁଚିଲା ନାହିଁ । ରମା ଯେତେ ବୁଝାଇଲା ରାଉତରା ତେତେ ଅଝଟ ପିଲାପରି ହେଲା । ବୋହୂକୁ କହିଲା, ରମା ମୁଁ ଏଠିକି ଆସିଲା ଦିନୁ ଦିନେହେଲେ ଶାନ୍ତିରେ କଟିଲା ନାହିଁ । ଏଇ ବଡ଼ଲୋକି ବାତାବରଣ ନିଜର ଆଦର୍ଶଟିକ ବି ମାରି ଦେବାକୁ ବସିଲାଣି । ମୁଁ ଯିବି–ଆଉ ଏଠି ମୁହୂର୍ତ୍ତେ ରହି ପାରିବିନାହିଁ । ଗାଁ ଭୂଇଁ ଅଜଣାରେ ଛପିଛପି ଆସି ମୋ ମନକୁ ଅସ୍ଥିର କଲାଣି-। ଗାଁ ଲୋକଙ୍କର ମାୟା ମୁଁ ଚିରଦିନ ପାଇଁ ତୁଟାଇ ପାରିବି ନାହିଁ ।

 

ଦୀର୍ଘ ପଅଁଷଠି ବର୍ଷର ବ୍ୟବଧାନ ଭିତରେ ଏଇ ଗାଁ ପ୍ରତି ଯେଉଁ ସ୍ନେହ, ମମତା ଠୁଳ ହୋଇ ରହିଥିଲା–ତା’ରି ଆକର୍ଷଣ ରାଉତରାକୁ ଫେରାଇ ଆଣିଲା ପୁଣି ଏଇ ଗାଁ ମାଟିକୁ ।

 

ଯତନପୁର ଗାଁ ଦାଣ୍ତରେ ଗୋଡ଼ଦେବାକ୍ଷଣି ଗାଁ ଲୋକେ ଅନ୍ତରର ଶ୍ରଦ୍ଧାଟିକ ଅଜାଡ଼ି ଦେବାକୁ ଦଉଡ଼ି ଆସିଲେ । ଏଇ ଗାଁ ଲୋକଙ୍କର ସରଳ ମନର ଅମୃତ ଭରା କଥା ଦି’ପଦ ଶୁଣିଲାକ୍ଷଣି ରାଉତରା ହୃଦୟର ବ୍ୟଥାଟିକ ଲିଭିଗଲା ।

 

ତା’ ଯିବାପରେ ଗାଁରେ ବାଦବିବାଦ ଲାଗି ଦି’ସାହି ଭିତରେ ମନାନ୍ତର ସୃଷ୍ଟି ହୋଇଚି । ରାଉତରା ସବୁ ଘଟଣା ଶୁଣି ଭାବିଲା, ସେ ଯେପରି ଏ ବିବାଦର ମୂଳରେ ସବୁ । ସେ ସହର ଯାଇ ନ ଥିଲେ ସାହି ସାହି ଭିତରେ ଏତେବଡ଼ ମନୋମାଳିନ୍ୟ ଘଟି ନଥାନ୍ତା ।

 

ତା’ଆରଦିନ ରାଉତରା ଦି’ସାହିର ଲୋକଙ୍କୁ ଡାକିଲା । ରାଧା ଗୋବିନ୍ଦ ଜିଉ ବେଢ଼ା ଭିତରେ ବିଚାର ବସିଲା । ପୁଣି କଳହ ତୁଟିଗଲା । ମନ୍ଦିରରେ ସମସ୍ତେ ଠାକୁରଙ୍କ ପ୍ରସାଦ ପାଇ କୋଳାକୋଳି ହେଲେ । ସାହି ସାହି ଭିତରେ ପୂର୍ବ-ସୌଜନ୍ୟ ଫେରି ଆସିଲା ।

 

ସେହିଦିନଠୁ ରାଉତରା ନିତି ରାଧାଗୋବିନ୍ଦଙ୍କୁ ଜଣାଇ କହେ, ତୁମେ ଏ ଗାଁ ଗୋଟିକର ଦେବତା । ତମରି କରୁଣାର ବାରି ଯେପରି ଏ ଗାଁ ଗୋଟାକ ମନକୁ ସିକ୍ତ କରୁ । ଆଉ ପ୍ରେମବନ୍ଧନରେ ସମସ୍ତଙ୍କ ହୃଦୟକୁ ଏକ କରି ଐକ୍ୟର ବାଣୀ ପ୍ରଚାର ହେଉ । ତମରି ଆଶିଷର ରେଣୁ ଝଡ଼ିପଡ଼ୁ ଆକାଶରୁ ଶୀତଳ ଜୋଛନା ଧାରା ସମ ଏଇ ଗାଁ ଭୂଇଁ ଉପରେ ।

 

ରାଧାଗୋବିନ୍ଦଙ୍କ ଆରାଧନା, ଗାଁ ଭୂଇଁର ସେବା ନେଇ ରାଉତରା ଦିନ କାଟିବାକୁ ଲାଗିଲା ।

 

ହଠାତ୍ ସେ ବର୍ଷ ଫସଲ ସବୁ ଅନାବୃଷ୍ଟି ହେତୁ ନଷ୍ଟ ହୋଇଗଲା । ଯେଉଁମାନଙ୍କର ପୂର୍ବବର୍ଷର ଫସଲ କିଛି ବଳକା ଥିଲା, ସେମାନଙ୍କର ଚଳିଗଲା । କିନ୍ତୁ ଗରିବଗୁରୁବାଙ୍କ ଭାବନା କହିଲେ ନ ସରେ । କାଲିକୁ ଦାନା ନାହିଁ । ଚଳିବେ କିପରି ? ଭୋକ ଉପାସରେ ସେଇମାନେ ଛଟପଟ ହେଲେ । ତିନିଦିନରେ ଦିନେ ବି ତାଙ୍କ ଚୁଲିକି ନିଆଁ ଗଲାନାହିଁ । ଅନାହାରରେ ଜୀବନଶକ୍ତି ଭାଙ୍ଗି ପଡ଼ିଲା । ସମସ୍ତଙ୍କର ଆଖି ଲୁହରେ ଦିନ କଟିଲା ।

 

ଗାଁର ଏ କରୁଣ ଦୃଶ୍ୟ ଦେଖି ରାଉତରା ବିଚଳିତ ହୋଇ ପଡ଼ିଲା । ସେ ଆଉ ସହି ପାରିଲା ନାହିଁ ଏଇ ଗରିବଙ୍କର ଦୁଃଖ । ଗରିବଙ୍କ ଆଖି ଲୁହରେ ତା ଆଖି ଛଳଛଳେଇ ଉଠିଲା । ଗରିବ ହୃଦୟର କରୁଣ ରାଗିଣୀର ମୂର୍ଚ୍ଛନାରେ ତା ହୃଦୟ ଥରି ଉଠିଲା ।

 

ରାଉତରା ନିଜକୁ ପର ପାଇଁ ଅଜାଡ଼ି ଦେଇଥିଲା । ଆଜି ଲକ୍ଷ୍ମୀ ଭଣ୍ତାର ମଧ୍ୟ ପର ପାଇଁ ମୁକ୍ତ ହସ୍ତରେ ଅଜାଡ଼ି ଦେଲା । କେତେବର୍ଷର ସଞ୍ଚିତ ଧାନ ଅମାର ଖୋଲା ହେଲା । ସବୁ ଗରିବ ଭାଇମାନଙ୍କୁ ସେ ପ୍ରତିଦିନ ଦାନ କରିବାକୁ ଲାଗିଲା ।

 

ତା’ ଆଖି ଆଗରେ ଏତେ ଫସଲ ସାଇତା ଥାଉଁଥାଉଁ ଗାଁର ଏତେ ଲୋକ ଅକାଳ ମୃତ୍ୟୁବରଣ କରିବେ ଏହା ସେ ନିଜ ଆଖିରେ ଦେଖି ପାରିବ ନାହିଁ । ସବୁ ଯାଉ–ରାଉତରା ପଥର ଭିକାରି ହେଉ । କିନ୍ତୁ ଧର୍ମପରାୟଣ ବଂଶର ବିଭବଟିକ ଲିଭି ନ ଯାଉ । ଲୋକେ ଜାଣନ୍ତୁ ରାଉତରା କାଙ୍ଗାଳ ହୋଇଚି ସେଇମାନଙ୍କ ପାଇଁ ।

 

ବାପାଙ୍କର ଏଇ ମତିଗତିର ଖବର ପାଇ ସହରରୁ ଆଜି ଦଉଡ଼ି ଆସିଚି ପ୍ରତାପ । ନିଜେ ଆସି ନ ଥିଲେ ବାପା ସବୁ ସମ୍ପତ୍ତି ଇମିତି ଅଜାଡ଼ି ଦେବେ । ବାପାଙ୍କର ସିନା ଦିନକାଳ ପୂରି ଆସିଲା—କିନ୍ତୁ ତା’ର ଓ ତା’ ପିଲାପିଲିଙ୍କର ଭବିଷ୍ୟତ ତ ପୁଣି ଆସୁଚି ! ତାଙ୍କ ପାଇଁ ବାପା କଣ ଏଇଆ କରୁଛନ୍ତି ।

 

ପ୍ରତାପ ବାପାଙ୍କ କାମରେ ବାଧା ଦେଲା । ମୁହେଁ ମୁହେଁ ସେ ଆଜି ବାପାଙ୍କୁ ଦି’କଥା ବତେଇଲା । ବାପା ଗରିବଙ୍କ ପାଇଁ ଏତେ ଭାଙ୍ଗି ପଡ଼ୁଚନ୍ତି–କିନ୍ତୁ ମୋ ପିଲାପିଲିଙ୍କ ମୁହଁ ଚାହିଁ କଣ କରୁଚନ୍ତି ।

 

ରାଉତରା ହସିଲା । କହିଲା, ପ୍ରତାପ ! ଏଇ ଗାଁର ଗରିବଗୁଡ଼ା କଣ ମୋର ପୁଅ, ଝିଅ, ତୋର ଭାଇ, ଭଉଣୀ ନୁହନ୍ତି । ସେମାନେ ଆଜି ବଞ୍ଚିଲେ କାଲି ସକାଳେ ଆମରି ପିଲାକବିଲାଙ୍କୁ ବଞ୍ଚାଇ ରଖିବେ । ଗରିବ ଏମାନେ ସତ–କିନ୍ତୁ ସହରର ଲୋକଙ୍କ ପରି ଏମାନେ ଏଡ଼େ ଅକୃତଜ୍ଞ ନୁହନ୍ତି । ସବୁ ସମ୍ପତ୍ତି ଚାଲିଗଲେ ଦୁଃଖ ନାହିଁ ପ୍ରତାପ–କିନ୍ତୁ ଗୋଟିଏ ଜୀବନ ହଜିଗଲେ ଏତେବଡ଼ ଦୁଃଖ ମୁଁ ସହି ପାରିବି ନାହିଁ । ଆଉ ତୋର ପିଲାପିଲିତ ଆଜି ଉପାସରେ ଶୋଇ ନାହାନ୍ତି । ତାଙ୍କ ପାଇଁ ତୋର ଏତେ ଭାବନା କାହିଁକି ?

 

ପ୍ରତାପ ମନରେ ଟିକିଏ ହେଲେ କରୁଣାର ଉଦୟ ହେଲା ନାହିଁ । ସେ ଅମାର ଘରେ ତାଲା ପକାଇବାକୁ ବସିଲା । ରାଉତରା ବାଧା ଦେବାକୁ ଆଗରେ ଠିଆହେଲା । କହିଲା, ପ୍ରତାପ ଏ କଣ କରୁଛୁ ! ଗରିବଙ୍କ ଦାନାରେ ଧୂଳି ଦେଲେ ନିଜ ଦାନାରେ ଭଗବାନ ଧୂଳିଦେବେ । କୌଣସି କଥାକୁ କାନ ନ ଦେଇ ପ୍ରତାପ ବାପାଙ୍କୁ ଦୂରକୁ ଠେଲିଦେଲା । ଜୋରକରି ଅମାରରେ ଚାବି ପକାଇଲା ।

 

ପ୍ରତାପର ଧକ୍କାରେ ରାଉତରା ତଳେ ପଡ଼ିଗଲା । ତା’ ଆଖିରୁ ଛୁଟିଲା ଧାର ଧାର ଲୁହ-। ସେ ପାଗଳଙ୍କ ପରି ଦଉଡ଼ିଲା ରାଧା ଗୋବିନ୍ଦ ଜିଉ ମନ୍ଦିର ଆଡ଼େ ।

 

ମନ୍ଦିର ଭିତରେ ପଶିଯାଇ ରାଉତରା କବାଟ କିଳି ଦେଲା । ଆଉ ନିଜେ ଲମ୍ଵ ହୋଇ ଠାକୁରଙ୍କ ପାଦତଳେ ଲୋଟି ପଡ଼ିଲା । ଆଖିର ଲୁହରେ ଠାକୁରଙ୍କ ସିଂହାସନ ସିକ୍ତ ହୋଇ ଉଠିଲା-। ରାଉତରା ଭୋ ଭୋ ହୋଇ କାନ୍ଦିଉଠି କହିଲା, ଠାକୁରେ ଆଉ କାହିଁକି ମୋତେ ବଞ୍ଚାଇ ରଖିଚ-। ପ୍ରତାପ ଆଜି ରାଉତରା ବଂଶରେ କାଳିମା ବୋଳିଚି । ବାପାକୁ ତା’ର ଉପଯୁକ୍ତ ପୁରସ୍କାର ଦେଇଚି-। ମୋତେ ଏଥର ମୁକ୍ତି ଦିଅ । ତମରି ଚରଣତଳେ ମୋତେ ସ୍ଥାନ ଦିଅ ।

 

ରାଉତରାଙ୍କ କାତର ପ୍ରାର୍ଥନାରେ ପାଷାଣ ଦିଅଁ ଥରି ଉଠିଲା । ପୂଜାଦୀପ ଲିଭିଗଲା । ଘର ଭିତରଟା ଘୋଟିଗଲା କିଟିକିଟି ଅନ୍ଧାରରେ । ରାଉତରା ଦେଖିଲା, ସେହି ଅନ୍ଧାରରେ କିଏ ଆଲୋକ ବର୍ତ୍ତିକା ଧରି ତାକୁ ଡାକୁଚି । ଆସ–ତମରି ହୃଦୟରେ ମୁଁ ଦିନରାତି ରହିଥିଲି–ଏଣିକି ତମେ ମୋ ହୃଦୟରେ ମିଶିଯାଅ । ରାଉତରା ଧୀରେ ଧୀରେ ସେହି ଅଦୃଶ୍ୟ ମୂର୍ତ୍ତିର ପଥ ଅନୁସରଣ କଲା ।

 

ସନ୍ଧ୍ୟାବେଳେ ଯେତେ କବାଟ ବାଡ଼େଇଲେ ଖୋଲିଲା ନାହିଁ । ତା’ପରଦିନ ବି କବାଟ ଖୋଲିଲା ନାହିଁ । ଠାକୁରଙ୍କ ପୂଜାପାଠ ଇତ୍ୟାଦି ସବୁ ବନ୍ଦ । ପୁଅପ୍ରତି ଅଭିମାନ କରି ରାଉତରା କବାଟ କିଳିଚି ବୋଲି ଗାଁରେ ଜନରବ ବ୍ୟାପିଗଲା । ଚାହୁଁଚାହୁଁ ଲୋକ ଜମା ହୋଇଗଲେ ।

 

ଯେତେ ମନ୍ଦିର ଦରଜା ନିକଟରେ ଡାକିଲେ ଉତ୍ତର ମିଳିଲା ନାହିଁ । ସନ୍ଦେହରେ ସମସ୍ତେ ପଡ଼ି କବାଟ ତାଡ଼ି ବାହାର କଲେ । ଦେଖିଲେ ରାଉତରା ଠାକୁରଙ୍କ ପାଦତଳେ ଲୋଟି ପଡ଼ିଚନ୍ତି । ପ୍ରାଣବାୟୁ ହଜି ଯାଇଚି କେତେବେଳୁ । ରାଉତରାଙ୍କ ଆଖିରୁ ଲୁହ ଦାଗ ଏବେ ବି ଶୁଖିନାହିଁ । ରାଧା ଗୋବିନ୍ଦ ଜିଉଙ୍କର ବେନିନୟନରୁ ଲୁହଧାର ଗଡ଼ି ପଡ଼ୁଚି ।

 

ସୂର୍ଯ୍ୟ ବୁଡ଼ିଗଲା । ଅନ୍ଧାର ଘୋଟିଗଲା କ୍ଷଣିକରେ । ଗାଁ ସାରା ଦୁଃଖରେ ଭାଙ୍ଗି ପଡ଼ିଲେ । କାନ୍ଦି କାନ୍ଦି ଯେତେ ଡାକିଲେ ରାଉତରା ଆଜି ଆଉ ଲୋକଙ୍କର ଦୁଃଖ ଶୁଣି ପଦେ କଥା କହିଲେ ନାହିଁ ।

 

ଗାଁ ଲୋକେ ବୁଝିଲେ ରାଉତରା ଆଜି ଖାଲି ପ୍ରତାପ ପ୍ରତି ଅଭିମାନ କରିନାହିଁ–ସେ ଆଜି ସମସ୍ତଙ୍କ ପ୍ରତି ଅଭିମାନ କରିଚି । ତାର ହୃଦୟର ଭାଷା ଏବେ ବି କେହି ବୁଝି ନାହାନ୍ତି । ତା’ର ଆଦର୍ଶକୁ ପୁଅ ତା’କୁ ଦଳି ଦେଇଚି । ଗାଁ ଭୂଇଁକୁ ରାମରାଜ୍ୟରେ ପରିଣତ କରି ପାରିନାହିଁ । ବୁଢ଼ାର ଜୀବନସାରା କର୍ମ ଯୋଜନା ଶେଷ ଜୀବନରେ ବିଫଳ ହୋଇଚି ।

 

ମହାପୁରୁଷ ସେ–ସେଥିପାଇଁ ବୋଧେ ରାଧାଗୋବିନ୍ଦ ତାକୁ କୋଳକୁ ନେଇ ସ୍ଵାର୍ଥ, ହିଂସା, ମାୟା ଜଡ଼ିତ ଏଇ ଦୁନିଆ ଜଞ୍ଜାଳରୁ ଛୁଟି ଦେଇଛନ୍ତି ।

☆☆☆

 

ଚିନ୍ତେଇ ସଇଁ

 

ବିଲମାଳ ଭିତରେ ଛୋଟିଆ ବୋଲି ବକଟେ ଗାଁ ଶରଦେଈପୁର । ଗାଁରେ ତିରିଶ ଚାଳିଶଟି ଘର । ସମସ୍ତେ ନିର୍ଭର କରନ୍ତି ସାରାବର୍ଷ ଏଇ ଚାଷ ଉପରେ । ମାଟି ସାଙ୍ଗରେ ମାଟି ହୋଇ ସେମାନେ ମିଶି ଯାଆନ୍ତି । ତାଙ୍କରି ଟାଣୁଆ ହାତର କରାମତିରେ ଏଇ ମାଟି ଉପରେ ହସିଉଠେ ସୁନାର ଫସଲ । ଖରା, ବରଷାର ନିୟମିତ ଆଶୀର୍ବାଦ ଝରିପଡ଼େ ବର୍ଷ ବର୍ଷ ଧରି ଏଇ ଗାଁ ଉପରେ । ସେଇଥିପାଇଁ ଗାଁରେ ଅନାହାରରେ କା’ର ଗୋଟିଏ ଦିନ ବି କଟିନି । ସମସ୍ତଙ୍କ ମୁହଁରେ ହସ, ଆଖିରେ ଆବେଗ, ହୃଦୟରେ ମମତା, ଆଉ ମନରେ କାମ କରିବାର ସ୍ପୃହା ଯେପରି ଭରି ରହିଚି । ଖୁସିରେ ଦି’ଟା ଖାଅ, ମୋଟାସୋଟା ଖଣ୍ତେ ପିନ୍ଧ, ଆଉ କାମ କରିଯାଅ, ଏଇ କଥା ଯେପରି ଗାଁର ପ୍ରତ୍ୟେକ ଲୋକ ଅନୁଭବ କରନ୍ତି ।

 

ଗାଁରେ କେହି ବିଦେଶ ମାଟି ମାଡ଼ି ନାହାନ୍ତି । କି କେହି କେବେ ଭୁଲରେ ବିଦେଶ ବାହାରିଲେ ଗାଁର ପୁରୁଖା ଲୋକ ଚିନ୍ତେଇ ସଇଁ ଆକଟି କରି କହେ, କିରେ ହିଡ଼ମାଟି ହିଡ଼ରେ ଲଦିବାକୁ ଗନ୍ଧେଇଲା କିରେ ? ସାତପୁରୁଷର ଭିଟାମାଟି ଛାଡ଼ି ଯିବୁ ବିଦେଶରେ କୁଲିଗିରି କରିବାକୁ ? ନିଜର ଖାଇବା ପତର ଛାଡ଼ିଯିବୁ ପରର ଅଇଁଠା ପତର ଚାଟିବାକୁ । ଛି, ଛି, ଚିନ୍ତେଇ ସଇଁ ବଞ୍ଚି ଥାଉଁଥାଉଁ ଆ କଦାପି ହେବ ନାହିଁ ।

 

ସତକୁସତ ଚିନ୍ତେଇ ସଇଁ କଥା କେହି କାଟି ଦେଇ ପାରନ୍ତି ନାହିଁ । ଯେତେହେଲେ ପୁରୁଖା ଲୋକ–ପୁଣି ଏଇ ଗାଁ ଗୋଟାକର ସବୁ ଅରଦଳି ତା’ରି କତିରେ । ଗାଁର ଭଲମନ୍ଦ, ନ୍ୟାୟ–ନିମନ୍ତ, ସବୁକଥାକୁ ଚିନ୍ତେଇ ସଇଁ ଆଗ । ସମସ୍ତଙ୍କ ପ୍ରତି ତାର ସମାନ ବିଚାର । ତା ଆଖିରେ ଏଇ ଗାଁ ଗୋଟାକଯାକ ଗୋଟିଏ–ସମସ୍ତେ ଗୋଟିଏ ପରିବାର । ଛୋଟ ବଡ଼ କେହି ନାହାନ୍ତି । ସମସ୍ତେ ଯେପରି ଗୋଟିଏ ରକତ ଧାରରେ ଗଢ଼ା ।

 

ଚିନ୍ତେଇ ସଇଁକି ବୟସ ହେଲାଣି ଆସି ଚାରିକୋଡ଼ି ପାଞ୍ଚ । ମୁଣ୍ତ ବାଳଗୁଡ଼ା ପାଚିଗଲାଣି–ଅଣ୍ଟା ନଇଁ ପଡ଼ିଲାଣି । ଆଖିର ଜ୍ୟୋତି କମି କମି ଆସିଲାଣି । ତଥାପି ବୁଢ଼ା ହଟି ନାହିଁ । ଆଜି ବି ଏଇ ବୟସରେ ସେ ହାତରେ ଦାଆ ଧରି ବଗିଚା କାମ କରେ । ଗାଈଗୋରୁ ଧନ୍ଦା କରେ । ଗୁହାଳ ପୋଛେ । ପୁଣି ବଗିଚା ଯାକ ଘୂରିଘୂରି ଘାସ ବାଛେ । ଘରର ହାନିଲାଭ ବୁଝେ ।

 

ମଝିରେ ମଝିରେ ନିଜେ ଯାଇ କ୍ଷେତର ଫସଲ କଣ ହେଲା ଦେଖେ । ବୁଢ଼ାର ଜମି ପନ୍ଦରମାଣ । ନିଜେ ସେ ଜମି ଚଷି ବୁଢ଼ା ହୋଇଚି । ଶେଷରେ ଯେତେବେଳେ ଏ ବୟସରେ ଖଟଣି ସହ୍ୟ ହେଲା ନାହିଁ–ଜ୍ଵର, ମୁଣ୍ତବ୍ୟଥା, ଗୋଡ଼ହାତ ଘୋଳାବିନ୍ଧା, ବରାବର ଲାଗି ରହିଲା । ତେତେବେଳେ ସେ ଅନିଚ୍ଛାସତ୍ତ୍ୱେ ଚାଷ କାମଠୁ ଦୂରେଇ ରହିଲା । ଦୁଇଟି ଲୋକ ରଖିଛି । ସେମାନେ ଚାଷବାସର ତତ୍ତ୍ଵ ନିଅନ୍ତି । ଖାଲି ମଝିରେ ମଝିରେ ବୁଢ଼ାର ପ୍ରାଣ ଯେତେବେଳେ ଛଟପଟ ହୋଇ ଉଠେ–ସେ ଦଉଡ଼ିଯାଏ ବହୁଦିନର ପୁରୁଣା ବାଉଁଶ ବେଣ୍ଟର ଛତାଟି ହାତରେ ଧରି କିଆରି ମୁଣ୍ତକୁ । ଭଲକରି ଥରେ କିଆରିକୁ ଚାହେଁ । ମୁକୁଳା ପବନରେ ପିଟିହୋଇ ଧାନଗଛଗୁଡ଼ା ନଇଁପଡ଼େ ଚିନ୍ତେଇ ସଇଁଆଡ଼େ । ସତେ ଯେପରି ଶସ୍ୟଭରା କେଦାର ଏଇ ମାଟିର ମଣିଷଟିକୁ ଜଣାଇଦିଏ ହୃଦୟର ଶ୍ରଦ୍ଧା ନିବେଦନ । ଚିନ୍ତେଇ ସଇଁ ହିଡ଼ ମୁଣ୍ତରେ ବସିପଡ଼େ । ହାତଟା ଖଜବଜ ହୁଏ । ସେ ବସୁ ବସୁ କିଆରିରେ ହାତ ବୁଲାଇ ନିଏ–କେଇଟା ବାଳୁଙ୍ଗା କିବା ଅନାବନା ଗଛ ଉପରେ ।

 

ଏଇ ଚାଷରୁ ବୁଢ଼ା ଖାଇପିଇ ଆରାମରେ ଚଳି ଆସିଚି । ବଳକା ପଇସା କିଛି ହାତପାଣ୍ଠି କରିଚି ବୋଲି ଗାଁରେ କେହି କେହି କହନ୍ତି । ବୁଢ଼ାର ଆପଣାର ହୋଇ ସଂସାରରେ ସ୍ତ୍ରୀ, ଝିଅ ଆଉ ଗୋଟିଏ ପୁଅ । ଝିଅଟି ବାହା ହୋଇଛି ଗଲା ବରଷ ପାଖ ଗାଁ ଜୟପୁରରେ–ଗୋଟିଏ ଚାଷୀ ଘରେ । ଝିଅଟିକୁ ଛାଡ଼ିଦେଲେ ଆଉ ପୁଅ ଜଗୁ । ଜଗୁ କଟକ କଲେଜରେ ବି. ଏ. ପଢ଼ୁଛି । ଆଉ ସ୍ତ୍ରୀ ସୀତା । ସୀତା ଭାରି ଗରିବର ଝିଅ । ରୂପ ଦେଖି ବାପ ତାର ତୋଳି ଆଣିଥିଲା ସରାଗରେ । ସୀତାକୁ ପାଇ ଚିନ୍ତେଇ ସଇଁ ସୁଖୀ ହୋଇଚି । ବୟସ ସତୁରି ଟପି ଗଲାଣି ।

 

ଗାଁ ଭିତରେ ସୀତା ପରି ସ୍ତ୍ରୀ ନାହିଁ । ଗାଁରେ କା’ର ଦୁଃଖ ଦେଖିଲେ ସୀତାର ଅନ୍ତର ତରଳି ଯାଏ । ସେ ତାକୁ ଆପଣାର ପରି ଯତ୍ନ ନିଏ । ରାସ୍ତା କରର ନିତି ଉପାସି ଗରିବ–ଗୁରୁବା ପୁଣି ଭିକାରି ଭିକାରୁଣୀ କେହି ଦିନେ ନିରାଶ ହୋଇ ତା’ କତିରୁ ଫେରି ନାହାନ୍ତି । ବୁଢ଼ୀ ହେଲାଣି–କିନ୍ତୁ ଏ ଯାଏ ଗାଁରେ ଅନେକ ତା’ର ରୂପ ଦେଖି ନ ଥିବେ । ଭାରି ସରଳା, କୋମଳମତି ନାରୀସେଇ ଚିନ୍ତେଇ ସଇଁର ସ୍ତ୍ରୀ ।

 

ଗାଁରେ କେହି ଟୋକା ଅଳସୁଆ ହେଲେ କାମ ନ କଲେ ମୁରବୀମାନେ ନଜିର ଦେଖାଇ କହନ୍ତି, ପଞ୍ଚାଅଶୀ ବରଷର ବୁଢ଼ା ଚିନ୍ତେଇ ସଇଁକି ଦେଖୁଛୁ ନାଁରେ ପୁଅ । ଏ ବୟସରେ ବି ତାକୁ ଖଟିବାକୁ ବେଳ ମିଳୁନାହିଁ । ଆଉ ତମେମାନେ ଦିନକୁଦିନ ଅକର୍ମଶିଳା ପାଲଟୁଚ । ଲାଜ ଲାଗୁନାହିଁ । ତମରି ଆଖି ଆଗରେ ବାପ ଖଟିବ–ପୁଅ ବସି ବସି ଦିନ କାଟିବ । ତମରିମାନଙ୍କପରି ଦେଶର ଯୁବକମାନେ ଯଦି ଇମିତି ଦିନ କାଟନ୍ତି–ତେବେ ଦେଶ ଉଧେଇବ କିପରି ? ଗାଁର ଟୋକାମାନେ ଲଜ୍ଜିତ ହୁଅନ୍ତି–ପୁଣି କାମରେ ଲାଗନ୍ତି । ଆଖି ଆଗରେ ତାଙ୍କରି ଗାଁର ଆଦର୍ଶ ଏଇ ଚିନ୍ତେଇ ସଇଁ–କି ମୂର୍ତ୍ତିମନ୍ତ, ବିଚକ୍ଷଣ ପୁରୁଷ । ଶ୍ରଦ୍ଧାରେ ମୁଣ୍ତ ନଇଁପଡ଼େ ତା’ରି ପାଦତଳେ ।

 

ସହରଠାରୁ ବହୁଦୂରରେ ଏଇ ଗାଁ । ଚାରିଆଡ଼େ ଖାଲି ବିଲ ଆଉ ବିଲ । ନାହିଁ ଏଠି ସହରର କୋଳାହଳ–ନାହିଁ ଏଠି ଲୋକ ଦେଖାଣିଆ ଚାକଚିକ୍କଣ–ବଡ଼ଲୋକର ଦୟା, ଗର୍ବ, ଅଭିମାନ–ପୁଣି ପଶିନାହିଁ ଏଠି ବିଂଶ ଶତାବ୍ଦୀର କ୍ଷୀଣାଲୋକ ।

 

ଗାଁରେ ସମସ୍ତେ ସରଳ ନିରୀହ ଚାଷୀ । ସମସ୍ତେ କର୍ମ ଚଞ୍ଚଳ । ସେଇଥିପାଇଁ ମାଟିର ସରାଗ ତାଙ୍କ ପ୍ରତି କେବେ ଊଣା ନ ଥାଏ । କାହାରି ଶତ୍ରୁତା ନାହିଁ । ସମସ୍ତେ ଯେପରି ଭାତୃତ୍ଵ ବନ୍ଧନରେ ହୋଇଛନ୍ତି ଗୋଟିଏ । କାହାରି ମନରେ କେବେ ଆବିଳତା ଛୁଇଁଲେ–କାହାକୁ କେବେ ଭିତରର ସଇତାନ ଚାପିଲେ–ପରିବାର, ପରିବାର, ଭାଇ ଭାଇ ଭିତରେ ଅଶାନ୍ତି ଝଡ଼ର ସୂଚନା ପାଇଲେ ଚିନ୍ତେଇ ସଇଁ ଦଉଡ଼ିଯାଏ । ସେମାନଙ୍କୁ ପାଖକୁ ଡାକି ଆଣେ । କୁହେ, ଭାଇ କେଇଟା ଦିନ ଆମେ ଆସିଚେ ଏଇ ମାଟି ଗୋଡ଼ି ରାଇଜକୁ । ସମସ୍ତେ ଭାଇ ଭାଇ । ସମସ୍ତେ ହାତ ଧରା ଧରି ହୋଇ ଆସିଚେ–ପୁଣି ଯିବା । କେହି ରହିବେ ନାହିଁ । କାହିଁକି କେଇଟା ଦିନ ପାଇଁ ଏ କଳିଗୋଳ । ପରସ୍ପରର ସୁଖ ଶାନ୍ତି ପ୍ରତି ବିମୁଖ । ଛିଃ, ଛିଃ କେଡ଼େ ଦୁଃଖ ଆଉ ଲଜ୍ଜାର କଥା ।

 

ଆମ ଆମ ଭିତରେ ଯଦି ଇମିତି ହେବା ତେବେ ସୃଷ୍ଟି ରହିବ ନାହିଁ । ପୃଥିବୀ ରସାତଳକୁ ଯିବ । ତୁ କିଏ ? ସେ କିଏ ? ମୁଁ କିଏ ? ଏହି ପ୍ରଶ୍ନ ପଚାରିଲୁ ତୋର ହୃଦୟକୁ ଥରେ-। ତା’ରି ପ୍ରତିଧ୍ଵନିରେ ବାଜି ଉଠିବ କେବଳ ଏଇ କଥା–ସମସ୍ତେ ଭିତରର ଗୋଟିଏ । ଏଇ ମାଟି ମାଆର ସନ୍ତାନ । ତେବେ କାହିଁକି ଏ ହିଂସା, ଦ୍ଵେଷ । ସବୁ ମନରୁ ପୋଛି ପକାଅ । ମନର କ୍ଷଣିକ ଆବିଳତାକୁ ହୃଦୟର ଅନୁତାପ ବାରିରେ ଧୋଇ ପୁଣି ଆଗେଇ ଯାଅ । କାନ୍ଧ ଉପରେ କାନ୍ଧ ପକାଇ ପୁଣି ଡାକ ସେଇ ଅମୃତଭରା ଡାକ ଭାଇ । ଦେଖିବ ସେଇ ଡାକରେ ଝରିପଡ଼ିବ ସରଗରୁ ସରାଗ କଣିକା–ଭ୍ରାତୃତ୍ଵର ବନ୍ଧନ ଆହୁରି ହେବ ସୁନ୍ଦର–ଅମୃତମୟ ।

 

ଚିନ୍ତେଇ ସଇଁ କଥା କେଇପଦ ସେମାନଙ୍କର ହୃଦୟକୁ ତରଳାଇ ଦିଏ । ଭୁଲି ଯାଆନ୍ତି ସେମାନେ ବାଦବିବାଦ, ହିଂସା ଦ୍ଵେଷ, ଅଭିମାନ । ପୁଣି ଭାଇ ଭାଇ ଡାକି ପରସ୍ପରକୁ ଆଲିଙ୍ଗନ କରନ୍ତି । ଆଖିରୁ ଝରିପଡ଼େ ଧାର ଧାର ଲୁହ । ସେଇ ଲୁହରେ ସବୁ ଆବିଳତା ଧୋଇ ହୋଇଯାଏ-। ଆଉ ଫୁଟି ଉଠେ ଚିନ୍ତେଇ ସଇଁ ବଳିଷ୍ଠ ବ୍ୟକ୍ତିତ୍ଵର ଅପୂର୍ବ ଆଭା ।

 

ଇମିତି ଏଇ ଗାଁଟି । ଆଲୁଅ, ପାଣି, ପବନରେ ଖେଳି ବୁଲେ ଏଠି ଚିନ୍ତେଇ ସଇଁର ଆଦର୍ଶ । ହେଉପଛେ ସେ ମୂର୍ଖ–ହେଉପଛେ ସେ ଚଷା–ହେଉପଛେ ଦୀନ-ଦରିଦ୍ର–ତଥାପି ସେ ଗାଁ ଗୋଟାକର ମଉଡ଼ମଣି । ତା’ରି ଆଦର୍ଶରେ ଗାଁରେ ଖେଳି ବୁଲୁଚି ଶାନ୍ତିର ଉତ୍ସ, ଭରି ରହିଚି କାମ କରିବାର ଅପୂର୍ବ ପ୍ରେରଣା–ଆଉ ଦୃଢ଼ ହେଉଚି ଦିନକୁଦିନ ଭାତୃତ୍ଵର ବନ୍ଧନ । ତା’ରି ଆଦର୍ଶର ବାଣୀ ସମସ୍ତେ ଏକ–ସମସ୍ତେ ଏଇ ମାଟିମାଆର ସନ୍ତାନ । ଏଇ ମାଟି ଉପରେ ପାଦ ଚାଲି ଆମର ପୂର୍ବପୁରୁଷ ଗଲେ– ଆମେ ଆସିଲେ । ଆମେ ଯିବା–ଆମର ପିଲାକବିଲା ପୁଣି ଖେଳି ବୁଲିବେ ଏଇ ମାଟିରେ । ଏଇ ମାଟି ଉପରେ ଆମର ଯୁଗଯୁଗର ଜୀବନ ପ୍ରବାହ ଗଡ଼ି ଆସୁଚି । ପୁଣି ଗଡ଼ି ଚାଲୁଚି । ଏହାରି ଉପରେ ଯୁଗଯୁଗର ଆହାର ସାଇତା ହୋଇ ରହିଚି । କାମକର, ଖାଅ, ପିଅ । ଏଇ ଗାଁ ମାଟି ନିନ୍ଦି କେହି କୁଆଡ଼େ ଯାଅ ନାହିଁ ।

 

ଦିନ ଗଡ଼ିଯାଇଚି ।

 

ଚିନ୍ତେଇ ସଇଁ ଆଖିରେ ଆଜି ଲୁହ ।

 

ତା’ ହୃଦୟରେ ଦୁଃଖ ଦେଇ ମନର ସରାଗକୁ ନିମିଷକରେ ଭାଙ୍ଗିଦେଇ ଯେଉଁଦିନ ତା’ରି ଆଖି ଆଗରେ ସପନା, ପଦିଆ, ଗଉରା, କାର୍ତ୍ତିକା, ଚେମା, ମୂଷା, ଚଇଁଆ ଗୋଟି ଗୋଟି ହୋଇ ଗାଁ ଛାଡ଼ି ବିଦେଶ ପଳେଇ ଗଲେ ସେଦିନ ବୁଢ଼ା ଆଖିରୁ ଝରି ପଡ଼ିଲା ଧାର ଧାର ଲୁହ ।

 

ସେ ଲୁହର ଧାର ଆଜି ବି ଶୁଖି ନାହିଁ–କି ଶୁଖିବ ବି ନାହିଁ ।

 

ସପନା, ପଦିଆ କଲିକତା ସହର ତଳି ଚଟକଳରେ କାମ କଲେ । ଗଉରା କୋଉ ସାହେବ କତିରେ ବେହେରା କାମ କଲା । କାର୍ତ୍ତିକ କଲିକତା ଡକରେ ବୁଲି କାମ କଲା । ଚେମା ଯାଇଁ ଟାଟାନଗର ଲୁହା କାରଖାନାରେ କାମ କଲା । ମୂଷା ବହୁବଜାରର କୋଉ ବଡ଼ଲୋକ ବାଡ଼ିରେ ପୂଜାରୀ କାମ କଲା । ଚଇଁଆକୁ କାମ ଜୁଟିଲା ନାହିଁ । କାର୍ତ୍ତିକ ପାଖରେ ରହି କାମ ଖୋଜି ବୁଲିଲା ।

 

ଏଇମାନଙ୍କ ପରେ ଚଷା ସାହିରୁ ଦି’ଜଣ, ହାଟୁଆ ସାହିରୁ ତିନିଜଣ ପୁଣି କଲିକତା ବାହାରିଗଲେ । ଚିନ୍ତେଇ କଥା, ଆଉ ଆଦର୍ଶ ଆଜି ସେମାନଙ୍କଠାରୁ ଦୂରରେ ଯାଇଥିଲା ।

 

ଚିନ୍ତେଇ ଭାବିଲା, କ’ଣ ହେଲା ତା’ରି ଗାଁ । ଗାଁ ମାଟି ଛାଡ଼ି ଗୋଟି ଗୋଟି ହୋଇ ଭେଣ୍ତିଆ ପଛକୁ ପଛ ଚାଲିଲେ ବିଦେଶ, ନିଜ ଗାଁର ହସ ଲିଭାଇ–ନିଜ ଗାଁରେ ବାବୁଗିରି ଛାଡ଼ି ସେମାନେ ପରଦେଶରେ କୁଲିଗିରି କଲେ । ଚାଷ ଅଭାବରୁ କ୍ଷେତ ଖାଁ ଖାଁ ଗୋଡ଼େଇଲା । ଗାଁରେ ଯାନି–ଯାତ୍ରା, ପରବ ଇତ୍ୟାଦି ସରଳତାର ଉତ୍ସ ମରିଗଲା । ଗାଁ ପୋଖରୀରେ ଜଳ ବିଲିବିଲା ହେଲା । ରାସ୍ତାଘାଟ ମରାମତି ଅଭାବରୁ ଠାଏଠାଏ ପୋଖରୀ ପାଲଟିଲା । ମ୍ୟାଲେରିଆର କରାଳ ଛାୟା ଘେରି ବୁଲିଲା । ଗାଁର ଶିରୀ ତୁଟିଗଲା । ଗାଁର ଏଇ ଦୁର୍ଦ୍ଦଶା ଦେଖି ଚିନ୍ତେଇ ସଇଁ ଆଖିରୁ ଝରି ପଡ଼େ ବେଦନାର ଲୁହ । ପୁଣି ବେଳେ ବେଳେ ଭାବେ କାହିଁକି ତାର ଏ ଦୁର୍ବଳତା । ସେ ବା ଆଉ କେତେ ଦିନ ?

 

ତଥାପି ବୁଢ଼ା ଆଶା ନେଇ ବଞ୍ଚିଚି, ପୁଅ ତାର ପାଠ ପଢ଼ିସାରି ଯେତେବେଳେ ଏଇ ଗାଁରେ ଆସି ପାଦ ଦେବ–ସେତେବେଳେ ଗାଁର ରୂପ ବଦଳିଯିବ । ଏତେ ପାଠ ଏ ଗାଁରେ କେହି ପଢ଼ି ନାହାନ୍ତି । ତାକୁ ସେ ମଣିଷ କରିଚି–ଆଉ ସେ ମଣିଷ କରିବ ଗାଁର ଶହ ଶହ ଦୀନ–ଦରିଦ୍ରଙ୍କୁ-। ଅଶିକ୍ଷା ଅନ୍ଧକାର ଦୂର କରି ସମସ୍ତଙ୍କ ମନରେ ଆଣିଦେବ ନୂଆ ଚେତନା । ଏ ଗାଁ ସାତଖଣ୍ତ ଆଖପାଖ ମଉଜାରେ ଆଦର୍ଶ ହେବ । ତେତେବେଳେ ପୁଣି ଘରପୁଅ ବାହୁଡ଼ି ଆସିବେ ଘରକୁ । ବୁଢ଼ାର ଦିନକର ସ୍ଵପ୍ନ ନୁହେଁ–ବହୁବର୍ଷର ସ୍ଵପ୍ନ ସାର୍ଥକ ହେବ ତେତେବେଳେ ।

 

ଦିନ ପରେ ଦିନ ଗଡ଼ି ଚାଲିଚି । ବୁଢ଼ାକୁ ପଞ୍ଚାଅଶୀ ପୂରି ଛୟାଅଶୀ ଚାଲିଲା । ପଖାଳ ଭାତ ଶାଗ ଏବେ ବି ବୁଢ଼ାକୁ ବଞ୍ଚାଇ ରଖିଚି । ସ୍ଵପ୍ନ ଦେଖୁଚି ପୁଅ ତାର ଫେରିଆସିବ କାଲି ସକାଳେ । ଏ ଗାଁର ରୂପ ବଦଳିବ । ଆଶା ତାର ସଫଳ ହେବ—ତେବେ ଯାଇଁ ସେ ଏ ପାରିର ମମତା ତୁଟାଇ ପାରିବ ।

 

କିନ୍ତୁ ଯେଉଁଦିନ ବୁଢ଼ା ଶୁଣିଲା ପୁଅ ତାର ଚିଠି ଦେଇଚି, ସେ କଟକରେ ନିଜ ଇଚ୍ଛାରେ ବିଭା ହେବ–ସେଇଠି ରହି ଚାକିରି କରିବ । ଆଉ ଏ କାଦୁଅ ପଚପଚ ଗାଁ ମାଟି ମାଡ଼ିବ ନାହିଁ । ବି. ଏ. ପାଶ କରି ଗାଁରେ ରହିଲେ ତା ଜୀବନର ବିକାଶ ହେବ ନାହିଁ । ତେଣୁ ସେ ସହରରେ ଚିରଦିନ ରହିବାକୁ ସ୍ଥିର କରି ନେଇଚି ।

 

ଚିଠି ଶୁଣି ବୁଢ଼ାର ମୁଣ୍ତଟା ବୁଲାଇ ଦେଲା । ଆଖିରୁ ଛୁଟିଲା ଧାରା ଶିରାବଣ । ମନ ଭିତରୁ କିଏ ଯେପରି କହି ଉଠିଲା ଏଇଥିପାଇଁ ତତେ କ’ଣ ମୁଁ ପାଠ ପଢ଼ାଉଥିଲିରେ ଜଗୁ, ଠିକ୍ କରିଚୁ ଏତେ ପାଠ ପଢ଼ି ଆଗେ ବାପକୁ ବୁଦ୍ଧି ଶିଖାଉଚୁ ।

 

ସେଇଦିନୁ ବୁଢ଼ା ଚିନ୍ତାରେ ବେମାର ପଡ଼ିଲା । ଦେଖିଲା, ବହଳ ଅନ୍ଧକାର ମାଡ଼ି ଆସୁଚି ଚଉଦିଗ ଘେରି । ତା’ରି ଭିତରେ ସେ ଓ ତାର ସବୁ ଆଶା ଆକାଂକ୍ଷା ମିଶି ହୋଇ ଯାଇଚି ଏକାକାର ।

 

ସ୍ତ୍ରୀ ସୀତାର ଯତ୍ନ, ଝିଅ ହାରାର ସେବା ସବୁ ଆଜି ବୁଢ଼ା ନିକଟରେ ହାର ମାନିଲା । ବୁଢ଼ା ଆଜି ଭାବେ, ସେ ଯିବ–ବଞ୍ଚି ଆଉ ଲାଭ କଣ ଏଇ ସ୍ଵାର୍ଥପର ଦୁନିଆରେ ।

 

ବୁଢ଼ାର ଜୀବନ ଦୀପ ଲିଭି ଲିଭି ଆସିଲା ।

 

ଦିନ କେଇଟା ପରେ ।

 

ବାପା !

 

କି…….ଏ……. ?

 

ମୁଁ ଫେରି ଆସିଚି ବାପା ।

 

ବୁଢ଼ା ଦୃଷ୍ଟି ଫେରାଇ ଚାହିଁଲା । ତା’ରି ଅତି ଆଦରର ଜଗୁ ଅତି ନିକଟରେ । ଆଖିରୁ ଶେଷ ନିଗିଡ଼ା ଲୁହଧାର ବହିଗଲା । କ’ଣ କହିବାକୁ ଚେଷ୍ଟା କଲେ ବି ଜିଭ ଲେଉଟିଲା ନାହିଁ । ମୁହଁ ବିକୃତ ହୋଇ ଆସିଲା ।

 

ତା’ପରେ ବହି ଆସିଲା ଦମକାଏ ପବନ ।

 

ସବୁ ଅନ୍ଧାର ।

 

ଜଗୁ ଦେଖିଲା, ସେଇ ଅନ୍ଧାର ଭିତରେ ବାପା ତାର ଯେପରି କହୁଚନ୍ତି ଫେରିଆସିଲୁ ଯେବେ, ତେବେ ଫେରାଇ ଆଣ ତୋର ଶହ ଶହ ଭାଇଙ୍କୁ ଏଇ ଗାଁ ଭୂଇଁକୁ । ଏ ଗାଁ ତୋର । ଏ ଗାଁକୁ ତୁ ଭଲ ପାଇବୁ । ପୁଣି ଭଲ ପାଇବୁ ଗାଁର ଅତି ନିରୀହ ଦୀନ ଦରିଦ୍ରଙ୍କୁ । ଯେଉଁଦିନ ତୁ ନିଜର ନୂଆ ଆଲୋକରେ ଏ ଗାଁ ମାଟିରେ ଜୀବନ ଦେବୁ–ତୋ’ରି ଏ ଗାଁ ଭାଇଙ୍କୁ ମଣିଷ ପରି ମଣିଷ କରିବୁ, ସେଇଦିନ ପୁଣି ମୁଁ ଫେରି ଆସିବି ତୋ କତିକି ଇମିତି ଏକ ଅନ୍ଧକାର ଭିତରେ । କିନ୍ତୁ ସେଦିନର ଅନ୍ଧକାର ଆଜି ପରି ଦୁର୍ଯ୍ୟୋଗଭରା ନଥିବ–ଥିବ ଖୁବ୍ ନିରୋଳା–ଆଉ ତା’ରି ଭିତରେ ବହିଆସୁଥିବ ବହୁ ଦୂରରୁ ଏକ ଶାନ୍ତ ସୁବିମଳ ଆଶିଷର ଧାରା ।

☆☆☆

 

ମାଟିର ମମତା

 

ଧୂଳି ଧୂସରିଆ ସଡ଼କ କରକୁ ଝଙ୍କା ବରଗଛଟିଏ । ତା’ରି ମୂଳେ ନୁଆଁଣିଆ ଚାଳ ଘରଟି ମଧୁଆର ବାପ ସାଆନ୍ତ ବାପ ଅମଳର । ଏଇ ଘରଟିରେ ଦୋକାନ ପାତି ମଧୁଆର ବାପ ସାଆନ୍ତ ବାପ ନିଜର ସଂସାର ଚଳେଇ ମହାଜନର ଦେଣା ସୁଝି ପୁଣି ନ୍ୟାୟ ନିମନ୍ତ କରି ଶାନ୍ତିରେ ପରପାରର ଡାକ ଶୁଣିଛନ୍ତି । ଏଥର ପଡ଼ିଚି ମଧୁଆର ପାଳି ।

 

ମଧୁଆ ଜାତିରେ ଗୁଡ଼ିଆ । ଗୁଡ଼ିଆ ପୁଅର ବେଉସା ସେ ଭୁଲି ପାରିନାହିଁ । ବାପ, ସାଆନ୍ତ ବାପ ପରି ସେ ସଡ଼କ କରର ସେଇ ନୁଆଁଣିଆ ଘରଟିରେ ମୁଢ଼ି, ଉଖୁଡ଼ା, ବରା, ଗୁଲୁଗୁଲା ଇମିତି କେତୋଟି ଶସ୍ତା ଜଳଖିଆ ବିକି ତାର ସଂସାରଟି ଚଳାଇ ଆସିଲାଣି ଆଜକୁ ଦୋ’ଟି ବରଷ ହେବ ।

 

ଆଖି ପଲକରେ ଅତୀତର କଥାଗୁଡ଼ା ଭାଷି ଉଠେ । କାଲି ସକାଳେ ବାପ ମହନୀ ସାହୁ ଆଖି ବୁଜିଲା । ମଧୁଆକୁ ସବୁ ଦିଶିଲା ଅନ୍ଧାର । ବାହା ହେବାର ଦୋ’ଟି ବରଷ ନ ପୁରୁଣୁ ବାପା ଦୁନିଆର ମମତା ତୁଟାଇ ଦେଲେ । ବାପା ଥିଲାବେଳେ ମଧୁଆକୁ ସଂସାର କିମିତି ଚଳେ କିଛି ଜଣା ନ ଥିଲା । ବୋଉ ତା’ର ହେମତ ଦେଇ କହିଲା, ‘ମଧୁଆ ନିଜ ବେଉସା ତୁ ଦେଖ । ଘର ଚଳାଇବା ଭାର ମୋ ଉପରେ । ସେଇଦିନୁ ମଧୁଆ ନିଜ ଦୋକାନଟିକୁ ରାତି ଦିନ ଜଗି ରଖି ଚଳାଏ । ଆଉ ଘରଟିର ସବୁ ଦାୟିତ୍ଵ ମୋ ଉପରେ ।’

 

ଗାଁଟି ନା ନିକିରାଇ । ଧୂଳି ଧୂସରିଆ ସଡ଼କଟି ଗାଁଟିକୁ ମଝିରେ ଦି’ଭାଗ କରି ଦେଇଚି-। ଫାଳେ ପୂର୍ବସାହି, ଆଉ ଫାଳେ ପଶ୍ଚିମସାହି । ପଶ୍ଚିମସାହିରେ ମଧୁ ସାହୁର ଘର । ଦୋକାନଟି ଗାଁର ମଝିରେ–ପୁଣି କେନ୍ଦ୍ରାପଡ଼ା-ଯାଜପୁର ସଡ଼କ କରରେ । ସେଇଥିପାଇଁ ସବୁ ସମୟରେ ଦୋକାନରେ କେହି ନା କେହି ଗରାକ ଥାଏ । ଶଗଡ଼ିଆମାନେ ଦଳଦଳ ହୋଇ ଗାଡ଼ି ନେଇ ଆସି ଛାଇ ଶୀତଳ ଝଙ୍କା ବରଗଛ ତଳେ ଗାଡ଼ିରଖି ବିଶ୍ରାମ ନିଅନ୍ତି । ବରଗଛଠୁଁ ଟିକିଏ ଦୂରରେ ସରକାରୀ କୂଅ । ମଧୁ ସାହୁ ଦୋକାନର ଜଳଖିଆ ସେମାନଙ୍କର ଭୋକ ଓ ସେଇ କୂଅର ଶୀତଳ ପାଣି ସେମାନଙ୍କର ଶୋଷ ମାରିଦିଏ । ଆଉ ବରଗଛ ତଳର ସୁଲୁସୁଲୁ ପବନ ସେମାନଙ୍କର ଝାଳ ପୋଛି ଦେଇଯାଏ । ଘଡ଼ିଏ ବିଶ୍ରାମ ନେଇ ସେମାନେ ପୁଣି ଯେଝା ବାଟ ଧରନ୍ତି । ଘଡ଼ିକ ଭିତରେ ମଧୁ ସାହୁ ଦୋକାନର ଗହଳି ଥମିଯାଏ । ବରଗଛ ମୂଳ ହୋଇଯାଏ ନିଶୂନ ।

 

ପୁଣି ଘଡ଼ିକ ପରେ ଆସନ୍ତି ଭାର କାନ୍ଧେଇ କେତୋଟି ଲୋକ । ଗଛମୂଳ ଜମିଉଠେ ଆଳାପ ଆଲୋଚନାରେ । ମଧୁ ସାହୁ ଦୋକାନରୁ କିଏ କିଣେ ମୁଢ଼ି ଦି’ ପଇସାର–କିଏ କିଣେ ଚୁଡ଼ା ଚାରି ପଇସାର, ତା’ ସାଙ୍ଗକୁ ଗୁଡ଼ ଟିକେ । କିଏ କିଛି ନ କିଣି ମଧୁ ସାହୁ ସାଙ୍ଗରେ ସୁଖଦୁଃଖ ଦି’ପଦ ହୁଏ । ବରଗଛ ତଳ ଦେଇ ଭାସି ଆସେ ଶୀତଳ ମଧୁର ପବନ ଟିକେ ମଧୁ ସାହୁ ଦୋକାନଆଡ଼େ । ବାଟଚଲା ପଥିକର କ୍ଳାନ୍ତି ଯାଏ ମରି ।

 

କିଏ ଦୂର ବାଟ ଭାବି ତରତରରେ ଦି’ଟା ଖାଇଦେଇ ଉଠିପଡ଼େ । ଯିବାବେଳେ ମଧୁ ସାହୁ ତା’ର ପଇସା ଅସୁଲ କରିନିଏ । ଦୂର ଲୋକଙ୍କ ପାଇଁ ଧାର ଉଧାର ତା ଦୋକାନରେ ନାହିଁ । ସେ ଜାଣେ ଆଜିକାଲି ଲୋକଗୁଡ଼ା ଭାରି ହୁସିଆର । ଦିନେ ବାକି ଦେଲେ ଆଉ ଦିନେ ସେମାନଙ୍କର ଦେଖା ମିଳିବ ନାହିଁ । କିଏ ଯିବାବେଳେ ହସି ହସି କୁହେ, ଯାଉଚି ସାହୁପୁଅ, ଗାଳିଦେବ ନାହିଁ । କିଏ ଯିବାବେଳେ ବିଡ଼ିଟାଏ କିମ୍ଵା ପାନ ଖଣ୍ତେ ମାଗି ନେଇ କୃତଜ୍ଞତାରେ କୁହେ, ଯାଉଚି ସାହୁପୁଅ, ଦଣ୍ତବତ । ମଧୁ ସାହୁ ତାର ପାନଖିଆ ଓଠରେ ହସ ଟିକେ ହସି କୁହେ, ପଧାନେ, ଆରଥରକୁ ଆସିଲାବେଳକୁ ଦି’ଟଙ୍କାର ମୁଗ ଆଣିବ । ବେଳଦେଖି ନିଜର ସୁବିଧାଟିକ ମଧୁ ସାହୁ ଆଦାୟ କରିବାକୁ ଛାଡ଼େ ନାହିଁ । ତାର ମଧୁର କଥା ପଦିକ ସମସ୍ତଙ୍କ ମନ କିଣି ଥାଏ । ସେଇଥିପାଇଁ ସମସ୍ତେ ମଧୁ ସାହୁ ପ୍ରତି ସନ୍ତୁଷ୍ଟ ଥାଆନ୍ତି ।

 

କିଏ କୁଆଡ଼ୁ ଚାଲି ଆସନ୍ତି କେତେ ରକମର କେତେ ଜାତିର ଲୋକ । ପୁଣି ଘଡ଼ିକ ପରେ କିଏ କୁଆଡ଼େ ଯାଆନ୍ତି ତାର ହିସାବ ରଖେ ଏଇ ଧୂଳି ଧୂସରିଆ ସଡ଼କ କରର ଝଙ୍କା ବରଗଛ । କିନ୍ତୁ ମଧୁ ସାହୁ ଦେଖେ ଧୂସରିଆ ଏଇ ସଡ଼କ ପରି ଜୀବନର ଅଙ୍କାବଙ୍କା ପଥରେ ମଣିଷ ଚାଲୁଚି ଯୁଗଯୁଗ ଧରି–ଖାଲି ବଞ୍ଚି ରହିବାର ସଂଗ୍ରାମ କରି ।

 

ବେଳେବେଳେ ଦୋକାନ ନିଶୂନ ପଡ଼ିଗଲେ ମଧୁ ସାହୁକୁ କିଛି ଭଲ ଲାଗେନାହିଁ । ସେ ଦୂର ଦିଗ୍‍ବଳୟଆଡ଼କୁ ଚାହିଁଚାହିଁ ଭାବେ ତା’ରି ଘରସଂସାର କଥା । ସାଆନ୍ତ ବାପ ଅମଳର ଘରଖଣ୍ତିକ ବୟସ ନଇଁ ଆସିଲାଣି । ବାପା ମରିବା ପୂର୍ବରୁ ଘରଖଣ୍ତି ନୂଆକରି ଛିଡ଼ା କରିବାର କଳ୍ପନା କରୁଥିଲେ । କିନ୍ତୁ ତାଙ୍କର ସେଇ କଳ୍ପନା ମରଣର ଶୀତଳ ପରଶରେ ଖାଲି ସ୍ଵପ୍ନରେ ପରିଣତ ହୋଇ ରହିଗଲା । ବାପାଙ୍କର ବହୁଦିନର ସ୍ଵପ୍ନକୁ ସାର୍ଥକ କରିବାକୁ ମଧୁ ସାହୁ ବେଳେବେଳେ ଭାବେ ।

 

ଏଇ ଦୋକାନରୁ ଘରସଂସାର ଚଳି କିଛି କିଛି ବଳେ । ସେଇ ଧନତକ ମଧୁ ସାହୁ ତାର ହାତପାଣ୍ଠି କରି ରଖେ । ନିଇତି ଭାବେ ବେଶି ପଇସା ହେଲେ ଆଗ ଘର ଖଣ୍ତି ଛିଡ଼ା କରିବ ସେ ସାହିର ଧୋୟୀ ସାହୁ ଘର ପରି ।

 

ବଳଦ ଘଣ୍ଟି ଶୁଣି ମଧୁ ସାହୁର ଭାବନା ମିଳାଇଯାଏ । ଦେଖେ ବଜାର ଶଗଡ଼ିଆ ଆଗପଛ ହୋଇ ଚାରି ପାଞ୍ଚଜଣ ଆସୁଛନ୍ତି । ମଧୁଆର ହୃଦୟ ଆବେଗରେ ପୂରି ଉଠେ । କାରଣ ବଜାରବାଲା କେବେ କିମିତି ଗାଡ଼ି ନେଇ ଜୁଟିଗଲେ ମଧୁ ସାହୁର ବେଶ ଦି’ପଇସା ଆମଦାନୀ ହୁଏ । ମଫସଲ ଲୋକଙ୍କ ପରି ସେମାନେ ଏତେ ଦିକ୍‍ସିକ୍ କରନ୍ତି ନାହିଁ । ଯା କହିବ, ସେତିକି ପଇସା ଗଣି ଦେଇ ଚାଲି ଯାଆନ୍ତି । ଦିନେ ଦିନେ ଦଶ ପନ୍ଦର ବଜାର ଶଗଡ଼ିଆ ଜୁଟିଗଲେ ମଧୁ ସାହୁ ଦୋକାନ ଘଣ୍ଟାକରେ ଖାଲି ହୋଇଯାଏ । ସେଇଥିପାଇଁ ବଜାରବାଲାଙ୍କ ପ୍ରତି ମଧୁ ସାହୁର ଭାରି ଖାତିର । ଗାଡ଼ିନେଇ ପହଞ୍ଚି ଗଲେ ମଧୁ ସାହୁ ସେମାନଙ୍କର ସମସ୍ତ ଖବର ଘଡ଼ିକରେ ବୁଝିନିଏ । ମଧୁ କଥା ପଦିକ ସାଙ୍ଗକୁ ପାନଟାଏ, ବିଡ଼ିଖଣ୍ତେ ଦେଇ ସମସ୍ତଙ୍କ ମନ କିଣିନିଏ ।

 

ଗାଡ଼ି ଅଟକେଇ ଗୋଟି ଗୋଟି ହୋଇ ଶଗଡ଼ିଆ ମଧୁ ସାହୁ ଦୋକାନଆଡ଼େ ଗଡ଼ିଲେ-। ସେତେବେଳକୁ ଦିନର ପ୍ରଦୀପ ଲିଭି ଆସିଲାଣି । ଆକାଶର ଚଢ଼େଇଙ୍କି ଲାଗିଲାଣି ଘରବାହୁଡ଼ା ନିଶା–ଶେଷ ଆଲୁଅଟିକ ବରଗଛ ଶିଖ ଉପରୁ ଖସି ଖସି ଲମ୍ଵି ଗଲାଣି ଦୂରକୁ ! ଶଗଡ଼ିଆମାନେ ସଞ୍ଜ ଆସିଯିବା ଦେଖି ତରତର ହୋଇ କଣ ଦି’ଟା ଖାଇଦେଇ ଉଠି ପଡ଼ିଲେ । ଅଳ୍ପ ସମୟ ଭିତରେ ମଧୁ ସାହୁର ମନ୍ଦ କାରବାର ହେଲା ନାହିଁ ।

 

ଦିନ ପରେ ଦିନ ଗଡ଼ି ଚାଲିଛି । ମଧୁ ସାହୁ ଏଇ ଦୋକାନ ପଇସାରେ ଘର ଖଣ୍ତେ ନୂଆ କରି ଠିଆ କଲା । ନିଜ ସ୍ତ୍ରୀ ଦୁଃଖୀ ପାଇଁ ବେକକୁ ସୁନା ହାରଟିଏ କିଣିଲା । ପୁଣି କେଇଟା ଦିନପରେ ଜମି ସାତଗୁଣ୍ଠ ବାଉରି ମଳିକଠାରୁ କିଣିଲା । ଦିନକୁଦିନ ମଧୁ ସାହୁର ଅବସ୍ଥା ବଦଳି ଆସିଲା । ଗାଁରେ ମଧୁ ସାହୁର ଖାତିର ବଢ଼ିଲା ।

 

ମଧୁ ସାହୁ ଦୋକାନଠାରୁ ଟିକିଏ ଦୂରରେ ପ୍ରତି ସପ୍ତାହରେ ଦି’ଥର ହାଟ ବସେ । ହାଟପାଳି ଦିନ ମଧୁ ସାହୁ ଦୋକାନଟି ସବୁବେଳେ ଭିଡ଼ଥାଏ । ସପ୍ତାହରେ ଏଇ ଦି’ଦିନ ଯା କାରବାର ହୁଏ । ଅନ୍ୟ ପାଞ୍ଚଦିନ କାରବାର ବି ଆ ସାଙ୍ଗରେ ସମାନ ହୁଏନା । ହାଟପାଳି ଦିନ ସକାଳୁ ମଧୁ ସାହୁ ଦୋକାନକୁ ଭଲରୂପେ ସଜାଇ ଦେଇଥାଏ । ଗରିବ, ବଡ଼ଲୋକ ସମସ୍ତଙ୍କ ପ୍ରତି ମଧୁ ସାହୁ ସମାନ ବ୍ୟବହାର ଦେଖାଏ ଓ ସମସ୍ତଙ୍କ ମନ ନେଇ ଜିନିଷ ବିକିଥାଏ । ମଧୁ ସାହୁ ଭାବେ, ମଣିଷର ବଚନ ଓ ବ୍ୟବହାର ଏଇଟା ହେଲା ବଡ଼–ପଇସାଟା ବଡ଼ ନୁହେଁ । ଏଇଥିପାଇଁ ହାଟ କତିରେ ଏତେ ଦୋକାନ ଥିଲେ ବି ମଧୁ ସାହୁ ଦୋକାନ ପ୍ରତି ସମସ୍ତଙ୍କର ଆଦର ।

 

ଆଜିର ଦିନଗୁଡ଼ା ପୁଣି ବହଳ ଅନ୍ଧାର ଭିତରେ ହଜି ଯାଉଚି । ଏଇ ଅନ୍ଧାର ଭିତରୁ ପୁଣି ନୂଆ ଦିନର ସମ୍ଭବ ହେଉଚି । ଇମିତି କେଇଟା ଦିନପରେ କେଇଟା ରାତି ବିତି ଯାଇଚି । କିନ୍ତୁ ହିସାବ କରି ଦେଖିଲାବେଳକୁ ବରଷକରେ ଆସି ମୁଣ୍ତିମରିବାକୁ ବସିଲାଣି ।

 

ସମୟର ସୁଅ ତୋଡ଼ରେ କେତେ ପୁରୁଣାର ସମାଧି ମରିଚି–ଆଉ କେତେ ନୂଆ କଥାର ସମ୍ଭବ ହେଇଚି । ମଧୁ ସାହୁର ଆଗ କାରବାର ଆଜି ଥମି ଯାଇଚି । ଦୁଇ ମାଇଲ ଦୂର ଇନ୍ଦୁପୁରଠାରେ ଆଉ ଗୋଟିଏ ନୂଆ ହାଟ ହେବାଯୋଗୁଁ ନିକିରାଇ ହାଟ ଏକବାର ଭାଙ୍ଗି ଯାଇଚି । ସଡ଼କ ଉପରେ ବଳଦଗାଡ଼ି ପରିବର୍ତ୍ତେ ବଡ଼ବଡ଼ ଲରି ମାଲ ନେଇ ଛୁଟିଛି । ଯାତ୍ରୀବାହି ବସଗୁଡ଼ା ଛୁଟି ଚାଲିଚି ଏ ପାଖରୁ ସେପାଖକୁ–ସେପାଖରୁ ଏପାଖକୁ । ବାଟଚଲା ପଥିକ କେଉଁଠି କାଁ ଭାଁ ହୋଇ ଦେଖା ଯାଉଚି । ଗାଁରେ କଲେରା ଲାଗି ଅଧେ ଲୋକଙ୍କର ଚିହ୍ନବର୍ଣ୍ଣ ବି ନାହିଁ । ଯେଉଁମାନେ ଅଛନ୍ତି ସେମାନେ ଯେପରି କଲେରା ଦାଉରୁ ବର୍ତ୍ତିଯାଇ ହା’ହୁତାଶରେ ଦିନ କାଟୁଛନ୍ତି-। ମଧୁ ସାହୁର କାରବାର ଏକବାର ବନ୍ଦ ହେଇ ଯାଇଚି । ଦିନକୁ ଆଠଅଣା ପଇସା ବି ବିକିବା ଆଜି କଷ୍ଟକର ।

 

ମଧୁ ସାହୁର ଭାବନା ଆଜି କହିଲେ ନ ସରେ । ଏ ଯେଉଁ ଦିନକାଳ ପଡ଼ିଲାଣି କିମିତି ତାର ସଂସାର ଚଳିବ ଏଇ କଥା ସେ ନିତିଦିନ ଭାବେ । ସେଦିନ ସକାଳର ସୁନା କିରଣ ତାର କଅଁଳ ତେଜଟିକୁ ମଧୁ ସାହୁ ଦୋକାନ ଉପରେ ଦେଖାଇ ଦେଉଚି । ବରଗଛ ଉପରେ କେତେ ଜାତିର ଚଢ଼େଇ ସକାଳ ଶାନ୍ତି ପବନର ମୃଦୁ ହିଲ୍ଲୋଳ ଭିତରେ ହଜେଇ ଦେଇଚନ୍ତି ସଜ ସକାଳର ଗୀତ । ମଧୁ ସାହୁ ସକାଳୁ ଦୋକାନ ଖୋଲି ବସିଚି । ମନ ଭିତରେ କେତେ କେଜାଣି ଭାବନା ଧାଁ ଧପଡ଼ କରୁଚି ।

 

ଏତିକିବେଳେ ଗାଁର ନିଧି ସଇଁ ଆସି ପହଞ୍ଚିଲା । ନିଧିଆ କଲିକତାରେ ଚାକିରି କରେ । କୋଉ ଅଫିସରେ ପିଅନ କାମ–ମାସକୁ ପଚାଶ ଟଙ୍କା ଦରମା । ନିଧି ସଇଁ, ମଧୁ ସାହୁର ପିଲାଦିନର ସାଙ୍ଗ । ନିଧିଆ ଛୁଟି କରି ଏଇ କେଇଦିନ ହେଲା ଗାଁକୁ ଆସିଚି । ଆ ଭିତରେ ମଧୁଆ ସାଙ୍ଗରେ ବାଟରେ ଘାଟରେ ତାର କେତେବାର ଭେଟ ହେଲାଣି । କିନ୍ତୁ ମନ ଖୋଲି କେବେ ସୁଖଦୁଃଖ ପଦେ ହେଉନାହିଁ । ସେଇଥିପାଇଁ ନିଧିଆକୁ ଦେଖି ମଧୁଆ ଆଜି ପାଖକୁ ଡାକିଲା ।

 

ନିଧିଆ ପଚାରିଲା, ‘ମଧୁ ଭାଇ ବେପାର କିମିତି ଚାଲିଚି ?’ ମଧୁଆ କହିଲା, ‘ନାଁରେ ନିଧି, ବେପାର କଥା ମୁହଁରେ ଧରନା । ହାଟ ଭାଙ୍ଗିଲା–ବସ୍‍, ଲରି ଗାଁକୁ ଗାଁ ଧାଇଁଲା । କୁଆଡ଼େ ଥିଲା ଏତିକିବେଳେ ମହାମାରୀ ଆସି ଗାଁରୁ ଅଧେ ପଦା କରିଦେଲା । ବେଳକାଳ ଯେମିତି ଆସି ପଡ଼ିଲାଣି ଆଉ ଏ ବେପାର ଚଳିବ ନାହିଁ । ଅନ୍ୟ ଗୋଟାଏ କିଛି ଉପାୟ ବତାନିରେ ନିଧି !’

 

ନିଧିଆ କହିଲା, ‘ମଧୁ ଭାଇ, ମୋ ସାଙ୍ଗରେ କଲିକତା ଚାଲ । ଆମ ଅଫିସରେ ଆଉ ଗୋଟିଏ ପିଅନ ଚାକିରି ଖାଲି ହେବାର ଅଛି–ସେଇଠି ତମକୁ ମୁକରିର କରିଦେବି । ଦିହେଁ ସାଙ୍ଗ ହୋଇ ରହିବା । ଦି’ପଇସା ରୋଜଗାର କରିବ । ମିଛଟାରେ ଏ ଗାଁରେ ବସିବ କାହିଁକି ? ବସି ଖାଇଲେ ନଈ ବାଲି ବି ସରେ ।’

 

ନିଧିଆର କଥାଟା ମଧୁଆର ମନକୁ ଘେନିଲା ନାହିଁ । ମଧୁଆ କହିଲା, ‘ନିଧି ଯେତେ ହେଲେ ଜାତି ପୁଅ, ବେଉସା ଛାଡ଼ି ବିଦେଶ ଯିବାକୁ ମନ ବଳୁ ନାହିଁ । ବାପ ସାଆନ୍ତବାପର କୁଳ ବେଉସା ବୁଡ଼େଇ ବିଦେଶ ମାଟି କାମୁଡ଼ି ଚିରଦିନ ପଡ଼ି ରହିବାକୁ ମୋର କାହିଁକି ହୃଦୟ କହୁନାହିଁ-।’

 

ନିଧିଆ କହିଲା, ‘ମଧୁଭାଇ, ବେଉସା ତ ଚଳୁ ନାହିଁ । ଖାଲି ବସି ବସି ପୂର୍ବପୁରୁଷଙ୍କ କଥା ଭାଳି ବସିଲେ କଣ ପେଟ ପୂରିବ ? ତାଙ୍କ ଅମଳର କଥା ଆଜିକୁ ଦେଖିଲା ବେଳକୁ କେତେ ଫରକ ହୋଇଗଲାଣି । ତମେ ଭଲ କରି ଭାବିଚିନ୍ତି ଠିକ୍ କର । ଏଠି ବସିବା ଅପେକ୍ଷା କଲିକତା ଚାକିରି କଣ ଶତ ଗୁଣରେ ଭଲ ନୁହେଁ ? ଦି’ଦିନ ପରେ ମୋ ଛୁଟି ପୂରିଯିବ । ଯଦି ଯିବା ଠିକ୍ କର, ତେବେ ସାଙ୍ଗ ହୋଇ ଯିବା ।’

 

ଏତିକି କହି ନିଧି ସଇଁ ଗାଁ ଭିତର ବାଟ ଧରିଲା ।

 

ବହୁତ ଭାବିଚିନ୍ତି ମଧୁ ସାହୁ ଠିକ୍ କରିଲା, ନିଧିଆ ସାଙ୍ଗରେ କଲିକତା ଯିବ । ମା’କୁ ଯାଇ କହିଲାରୁ ମା ଏକବାର ଅମଙ୍ଗ ହେଲା । କହିଲା, ‘ଆରେ ମଧୁଆ, ଏ ବୁଢ଼ୀଦିନେ ମୁଁ ତୋତେ ଛାଡ଼ି ବଞ୍ଚିବି କିମିତିରେ । ଏଇ ମାଟି କାମୁଡ଼ି ବାପ ଦାଦି ତୋର ଆଖି ବୁଜିଲେ । ବେପାର ବଣିଜ ଛଡ଼ା ବିଦେଶ କଣ ସେମାନେ ଜାଣି ନ ଥିଲେ । ଏଇ ଗାଁ ମାଟିରେ ପଡ଼ି ରହିଥା । ପୁଣି ଦିନ କଣ ବଦଳିବ ନାହିଁ । ସବୁଦିନ କଣ ସମାନ ଥାଏ ।’ ମଧୁଆ କହିଲା, ‘ବୋଉ ଖାଲି ବସି ବସି ବିରକ୍ତ ଲାଗିଲାଣି । ଯାଉଚି କେଇଟା ମାସ ବୁଲି ଆସେ । ସବୁଦିନେ କଣ ମୁଁ ବିଦେଶ କରୁଚି ?’

 

ସ୍ତ୍ରୀର ଆଖିରୁ ଲୁହପୋଛି ମା’କୁ ସାନ୍ତ୍ଵନା ଦେଇ ମଧୁ ସାହୁ କଲିକତା ଯିବା ସ୍ଥିର କଲା, ଭାବିଲା ବସିବା ଅପେକ୍ଷା କେଇଟା ମାସ ବୁଲି ଆସିଲେ ଯଦି କିଛି ହେଇଯାଏ ମନ୍ଦ କଣ ? ଏଇ ଗାଁରେ ତ ପୁଣି କେତେ ଲୋକ କଲିକତା ପଇସାରେ ବଡ଼ ହୋଇ ଗାଁକୁ ଫେରି ଆସିଛନ୍ତି ।

 

ସେଦିନ ଭୋର ହେବାକୁ ଆଉ ବେଶି ଡେରି ନାହିଁ । ରାତ୍ରିର ଗାଢ଼ ଅନ୍ଧକାର ଉପରେ ହଠାତ୍ ପାହାନ୍ତିଆ ତରାଟି ଆଲୁଅ ଝଲସାଇ ନୂତନ ସକାଳର ସନ୍ଧାନ ଦେଇଗଲା ।

 

ମଧୁ ସାହୁ, ନିଧିଆ ଦିହେଁ ସକାଳ ହେଲାବେଳକୁ ଗାଁ ଛାଡ଼ି ବହୁଦୂର ଆଗେଇ ଆସିଥିଲେ ।

 

ନିଧିଆ କଥାରେ ପଡ଼ି ଗୋଟାଏ କି ଉତ୍ତେଜନାରେ ମଧୁ ସାହୁ ଚାଲିଆସିଲା ସିନା, କିନ୍ତୁ ଗାଁ ଛାଡ଼ିଲାବେଳୁ ତା ମନଟା ଭାରି ଅଥୟ ହେଲା । ଭାବିଲା, କାହିଁକି ପୁଣି ଜନ୍ମମାଟି ଛାଡ଼ି ସେ ବିଦେଶକୁ ଚାକିରି କରିବାକୁ ଧାଇଁଚି । ଏଇଠି କଣ ସୁଖଦୁଃଖର ସଂସାର ତାର ଚଳିଯାଇ ନ ଥାନ୍ତା । ସାମାନ୍ୟ ପେଟ ଚାଖଣ୍ତକ ପାଇଁ ସେ ଆଜି ମା, ସ୍ତ୍ରୀ, ପିଲାପିଲି ସମସ୍ତଙ୍କ ବନ୍ଧନ କାଟିବାକୁ ସକ୍ଷମ ହୋଇଚି । ସେଇମାନଙ୍କର ବନ୍ଧନ ନେଇ ଗାଁ ଆଉ ଗାଁ ମାଟିର ମମତା ଯେପରି ଜୀବନଯାକଙ୍କୁ ଯୋଗାଉଚି ଦାନା ଆଉ କନା–ଏଇ ମଣିଷ ସମାଜକୁ । ସେଇ ମଣିଷ ସମାଜ ଭିତରୁ ସେ ତ ଜଣେ । ତେବେ କାହିଁକି ସେ ଆଜି ଚାକିରି ମରୀଚିକା ପଛରେ ଧାଇଁଚି । ନାଁ, ନାଁ ସେ ଗାଁକୁ ଫେରିଯିବ । ସେଇଠି ଦୁଃଖକଷ୍ଟ ଅଙ୍ଗେ ଲିଭାଇ ଦିନ କାଟିବ । ମା’ର ହୃଦୟ ଥରାଇ, ସ୍ତ୍ରୀର ଆଖିର ଲୁହ ଝରାଇ ସେ ବିଦେଶର ରହି ପାରିବ ନାହିଁ । ଏଇ ଅଧ ବାଟରୁ ଫେରିଯିବ ।

 

ଆଗକୁ ଆଉ ପାଦ ଚଳିଲା ନାହିଁ । ନିଧିଆ କହିଲା, ‘କିରେ ମଧୁଭାଇ ଇମିତି ପଛେଇଲେ କେନ୍ଦ୍ରାପଡ଼ା ପହିଲ ବସ୍ ଧରି ପାରିବା ? ଟିକିଏ ଚଞ୍ଚଳ ପାଦପକା । ମଧୁଆ କହିଲା, ‘ନିଧି ଗୋଡ଼ ମୋର ଆଗକୁ ଆଉ ଚଳୁନାହିଁ । ତୁ ଯା–ମୁଁ ଏଇଠୁଁ ଫେରି ଯାଉଛି । ଜନ୍ମମାଟି ଛାଡ଼ି ସେଇ ବିଦେଶ ମାଟି କି ଆପଣାର କରିବା ମୋ ଯୋଗେ ହେଇପାରିବନାହିଁ ।’

 

ନିଧିଆ ହସିଲା । କହିଲା, ‘ମଧୁ ଭାଇ, ତମେ ଇମିତିକା ଲୋକ । ଏତେ ବୁଝାଇ ଆସିଲା ପରେ ବି ପୁଣି ବାଉଳା ହେଉଚ । ମନ ସ୍ଥିରକରି ଆଗେଇଚାଲ । ସବୁ ଠିକ୍ ହୋଇଯିବ । ଜନ୍ମ ମାଟିତ ଚିରଦିନ ତମର । ସେ କଣ ତମକୁ ଛାଡ଼ି ରହିବ ନାଁ ତମେ ତାକୁ ଛାଡ଼ି କୁଆଡ଼େ ଯାଇ ପାରିବ ? ଯୁଆଡ଼େ ଥିଲେବି ତମେ ଏଇ ଗାଁର ଲୋକ । ଗାଁ କଥା କିଛି ନ ଭାବି ଚାଲିଆସ—କଲିକତାରେ ପହଞ୍ଚିଲାକ୍ଷଣି ସବୁ ଠିକ୍ ହୋଇଯିବ ।

 

ତଥାପି ମଧୁ ସାହୁର ମନ ବୁଝିଲା ନାହିଁ ।

 

ନିଧିଆ ନାନାରକମର କଥା ବୁଝାଇସୁଝାଇ ତାକୁ ବସରେ ବସାଇଲା । ବସ୍ ଛାଡ଼ି ଦେଲାପରେ ମଧୁ ସାହୁର ଭାବନା ଆହୁରି ବଢ଼ି ଉଠିଲା । ଆଖି ଆଗରେ ଭାସି ଉଠିଲା ତା’ର ସେଇ ଗାଁ ମାଟିର ଛୋଟିଆ ଦୋକାନର ଛବି । ସକାଳର ଶାନ୍ତ ନରମ ଆଲୁଅ ତାର ସ୍ନେହଭରା ଚୁମ୍ଵନ ଦେଇ ଯାଉଚି ଭିଜାମାଟିର ନରମ ଛାତି ଉପରେ । ବରଗଛ ଭିତରୁ ଦଳଦଳ ଚଢ଼େଇ ଜୀବନ ଯାତ୍ରାର ମାଙ୍ଗଳିକ ଗାଇ ଉଡ଼ି ଯାଉଚନ୍ତି ହାଲୁକା ବଉଦର କରେକରେ । ସେ ଦୋକାନ ଖୋଲି ବସିଛି । ସବୁଦିନ ପରେ ଦେଖୁଚି କି ସୁନ୍ଦର ସକାଳ । ଗାଁର ରାମ ସାହୁ, ବନମାଳୀ ଶତପଥୀ, ପାଣୁ ଜେନା ଇମିତି ଗୋଟିକ ପରେ ଗୋଟିଏ ଆସୁଛନ୍ତି ସମସ୍ତେ । ଗାଁର ସୁଖଦୁଃଖ ଦି’ପଦ ହୋଇ ସମସ୍ତଙ୍କୁ ସେ ବିକୁଛି ମୁଢ଼ି, ଉଖୁଡ଼ା, ମିଠେଇ, ଖଜା । ଆଖି ଆଗରେ ଦିଶିଲା ପୂଣି ନୂଆ ଦିନର ଛବି । ଗାଁରେ ପୁଣି ହାଟ ବସିଛି । ବହୁ ଆଡ଼ୁ ବହୁ ଲୋକ ଆସୁଛନ୍ତି । ଯାଉଛନ୍ତି । ସମସ୍ତେ ଖୋଜୁଛନ୍ତି ତାକୁ, ସମସ୍ତେ ତା’ରି ହାତର ମୁଢ଼ି, ଉଖୁଡ଼ା ପାଇଁ ଚାହିଁ ରହିଚନ୍ତି ।

 

ନିଧିଆ କହିଲା, ‘ମଧୁ ଭାଇ ଜଗତପୁରେ ଆସି ପହଞ୍ଚିଲେଣି । ମଧୁ ସାହୁର ଭାବନା ଚହଲିଗଲା ।

 

ଗଣ୍ଠିଲିଟା ଧରି ନିଧିଆ ଷ୍ଟେସନଆଡ଼େ ମୁହିଁଲା । ମଧୁଆ ବସ୍‍ରୁ ଓହ୍ଲାଇ ତଳେ ବସି ପଡ଼ିଲା । କହିଲା, ‘ନିଧିଆ ମୁଁ ଫେରିଯିବି ଏଇଠୁ ।’ ନିଧିଆ କହିଲା, ‘ମଧୁଭାଇ ତମେ ଏପରି ଲୋକ ଜାଣିଥିଲେ ମୁଁ କଦାପି ସାଙ୍ଗରେ ଆଣି ନ ଥାନ୍ତି । କଲିକତାରେ ରୋଜଗାର କଲେ ମୋତେ କଣ ଶହେ ଷାଠିଏ ଓଜାଡ଼ିବୁ ନାଁ କଣ । ତମରି ଭଲପାଇଁ ମୁଁ କହୁଚି । ଚାଲ ବେଶି ଡେରି କରନା । ପାସେଞ୍ଜର ଗାଡ଼ି ଆସିବାକୁ ଆଉ ମୋଟେ ଦଶ ମିନିଟ୍ ଅଛି ।

 

ନିଧିଆ ମଧୁ ସାହୁର ହାତଧରି ଟାଣି ପ୍ଲାଟଫର୍ମ ଭିତରକୁ ପଶିଲା । ହାଉଡ଼ାକୁ ଦିଇଟା ଟିକିଟ କିଣି ଅଣ୍ଟାରେ ମାଇଲା ।

 

ଟିକିଏ ପରେ ପାସେଞ୍ଜର ଗାଡ଼ି ଧୂଆଁର ମେଘ ଉଡ଼େଇ ଜଗତପୁରେ ଆସି ଛିଡ଼ା ହେଲା । ନିଧିଆ ମଧୁ ସାହୁ ହାତଧରି କହିଲା ‘ଜଲଦି ଡବା ଭିତରକୁ ଉଠ ।’ ମଧୁ ସାହୁ ପାଦ ଆଉ ମୋଟେ ଆଗକୁ ଚଳିଲା ନାହିଁ । ଆଖି ଆଗରେ ଦେଖାଗଲା ଗାଁ ଗହଳର ଛବି । ଦୋକାନ, ହାଟ ଆଉ ପ୍ରତ୍ୟେକ ଗରାକଙ୍କର ଚିହ୍ନାମୁହଁ । ସବୁ ଉପରେ ଭାସି ଉଠିଲା ତାର ବୁଢ଼ୀ ମାଆର ଜ୍ୟୋତିହୀନ ରୂପ, ଆଉ ସ୍ତ୍ରୀର ଲୁହ ଢଳଢଳ ଆଖି । ସେ ପାଗଳଙ୍କ ପରି ନିଧିଆକୁ ଠେଲି ଦେଇ କହିଲା, ‘ନିଧିଆ ! ତୁ ଯା–ମୁଁ ଯାଇପାରିବି ନାହିଁ । ନିଧିଆ କହିଲା, ମଧୁଭାଇ, ହଇରାଣ କରିବା ଯଦି ତମର ଇଚ୍ଛାଥିଲା ତେବେ ଆସୁଥିଲ କାହିଁକି ?

 

ମଧୁ ସାହୁ ଆଖିରୁ ଝରି ପଡ଼ିଲା ଧାର ଧାର ଲୁହ । ନିଧିଆ ହାତଧରି କହିଲା, ‘ମୋତେ କ୍ଷମା କର ନିଧି । ମୁଁ ବଡ଼ ଦୁର୍ବଳ । ଏଇ ଗାଁ ମାଟି ଅଲକ୍ଷିତରେ ଆସି ମୋତେ କି ମମତା ଲଗାଉଚି–ତାକୁ ଛାଡ଼ିବା ମୋତେ ଆଉ ସମ୍ଭବପର ଦିଶୁନାହିଁ । ମୁଁ ଫେରିଯାଉଚି ପୁଣି ସେଇ ନୁଆଣିଆ ଚାଳଘର ଭିତରକୁ । ଭୋକ ଉପାସରେ ସେଇଠି ପଡ଼ି ରହେ ପଛେ, ସେଇଠି ମୁଁ ଜୀବନର ଶାନ୍ତିଟିକ ପାଇବ । ତୁ ଯା–ମଧୁଭାଇକି ଯେତେ ଗାଳି ଦେ ପଛେ ସେ ତା ଗାଁ ଟିକ କଦାପି ପର କରି ପାରିବ ନାହିଁ ।’

 

ସେତେବେଳକୁ ଗାଡ଼ି ଛାଡ଼ିବାର ହୁଇସିଲି ବାଜି ଉଠିଲା । ଗାର୍ଡ଼ ନୀଳ ରଙ୍ଗର ଆଲୁଅ ଦେଖାଇଦେଲା । ନିଧିଆ କାଳବିଳମ୍ଵ ନ କରି ଗାଡ଼ି ଉପରକୁ ଉଠିଗଲା ।

 

ତା’ ପରଦିନ ସକାଳର ସୂର୍ଯ୍ୟ ନୂତନ ଆଲୋକ ନେଇ ହସି ଉଠିଲାବେଳକୁ ଦେଖାଗଲା ମଧୁ ସାହୁ ତା’ର ସେଇ ସଡ଼କ କରର ଦୋକାନଟି ଖୋଲି ବସିଚି । ଗାଁରେ ଯିଏ ଦେଖିଲା ସମସ୍ତେ ଅବାକ୍ ହେଲେ । କାଲି ମଧୁ ସାହୁ କଲିକତା ଯାଇଥିଲା ଆଜି ପୁଣି କଣ ଆସି ହାଜର ।

 

ଗାଁର ନାରଣ ଦାସ, ଗୋବିନ୍ଦ ବେହେରା, ହରି ପଧାନ, ଧୋଇ ମଳିକ, ଚେମେଇ ସାହୁ ଗୋଟି ଗୋଟି ହୋଇ ଦେଖାହେଲେ । ସମସ୍ତେ ପଚାରିଲେ, ‘କିରେ ମଧୁ ! କାଲି କଲିକତା ଯାଇଥିଲୁ–ପୁଣି କଣ ଆଜି ଆସି ଏଠି । ରାତାରାତି କଲିକତା ସହର ସରିଗଲା କିରେ ?

 

ସମସ୍ତଙ୍କୁ ମଧୁ ସାହୁ ଏଇ ପ୍ରଶ୍ନର ଗୋଟିଏ ଉତ୍ତର ଦେଇ କହେ, ‘ଭାଇ ଅବୁଝା ମନଟା ବିଦେଶକୁ ବାଟ କଢ଼ାଇ ଥିଲା ସିନା–କିନ୍ତୁ ହୃଦୟଟା ପଡ଼ି ରହିଥିଲା ଏଇ ଗାଁ ମାଟିର ସ୍ନେହ ବନ୍ଧନ ଭିତରେ । ତମରିମାନଙ୍କ ସ୍ନେହ, ଏଇ ଜନ୍ମମାଟିର ବନ୍ଧନ ଏତେଦୂର ଶକ୍ତ, ମୋତେ ପୁଣି ଫେରାଇ ଆଣିଲା ସଡ଼କ କରର ଏଇ ଚାଳଘର ଭିତରକୁ । କୁଆଡ଼େ ମୁଁ ଯିବି । ତମମାନେ ପରା ମୋର ଚାରିପଟେ ଘେରି ରହିଚ ଭାଇର ସ୍ନେହ ନେଇ । ଆଉ ଏଇ ଜନ୍ମମାଟି ପରା କୋଟି କୋଟି ଲୋକର ଆହାର ସାଇତି ରଖିଚି ଯୁଗଯୁଗ ପାଇଁ । ଖଟିବି–ଖାଇବି । ଏଇ ଜନ୍ମମାଟି ଛାଡ଼ି ମୁଁ ଯିବି କୁଆଡ଼େ ?

 

ଆଠଦିନ ପରେ ଦିନେ ଦେଖାଗଲା ମଧୁ ସାହୁ ଦୋକାନ ଛାଡ଼ି ମୁଢ଼ି, ଉଖୁଡ଼ା, ମୁଆଁ, ଖଜା ମିଠେଇ ପ୍ରଭୃତି ଜଳଖିଆ ବୁକୁଚା କରି ଗାଁ ଗାଁ ବୁଲି ବିକୁଚି ।

 

ନିତି ସକାଳ ହେଲାବେଳକୁ ମଧୁ ସାହୁ ଗାଧୋଇ ପଖାଳ ଗଣ୍ତାଏ ଖାଇଦେଇ ବାହାରିପଡ଼େ, ଏଗାଁରୁ ସେ ଗାଁ–ସେଗାଁରୁ ଅପର ଗାଁ ବୁଲି ଜଳଖିଆ ବିକେ । ଟାଣ ଗାଧୁଆ ବେଳକୁ ଘରକୁ ଫେରିଆସେ ।

 

ଗାଁଠୁ ଚାରି ପାଞ୍ଚ କୋଶ ଭିତରେ ଚିହ୍ନା ଲୋକ କେଇ କିମିତି ଭୋଟ ହୋଇଗଲେ କହନ୍ତି, ଆରେ ସାହୁ ପୁଅ–ତମେ ପୁଣି ଅପୁରୁବ କୁଆଡ଼େ । ମଧୁ ସାହୁ ତାର ପାନଖିଆ ପାଟିରେ ଦର ହସିଲା ହସ ହସି କୁହେ, କଣ କରିବି ଭାଇ, ବେଳକାଳ ଘେନି ଦୋକାନ ଆଉ ଚଳିଲା ନାହିଁ–ବେପାର ନେଇ ନ ବୁଲିଲେ ପେଟ ପୂରିବ କିମିତି ?

 

ସେଦିନ ଗାଁ ଗୋହିର ଭିତରେ ପଲ୍ଲୀ ଭରତ ସାହୁ ସାଙ୍ଗରେ ମଧୁ ସାହୁର ଦେଖାହେଲା-। ବୁଢ଼ା ହସି ହସି ପଚାରିଲା, ‘ଆରେ ତୁମେ କଣ ଏଠି–ମୁଁ ଶୁଣିଥିଲି ତମେ କଲିକତା ଯାଇଚ ବୋଲି ।’ ମଧୁ ସାହୁ ହସି ହସି କହିଲା, ‘ଏଇ ମାଟି ଉପରେ ବାପା ଅଜା ସାତପୁରୁଷ ଦିନ କାଟିଗଲେ । ମୁଁ ପୁଣି ଯିବି କୁଆଡ଼େ ? ମନଟା ଅବୁଝା ହେତୁ ଦଉଡ଼ି ଯାଇଥିଲି ସିନା–କି ଜଗତପୁରଠାରୁ ମଉସା ଫେରି ଆସିଲି ।

 

ଭରତ ସାହୁ କହିଲା, ‘ବେଶ କରିଚୁ । ଯେତେହେଲେ ଗୁଡ଼ିଆ ପୁଅ । ନିଜ ବେଉସା ଛାଡ଼ି ପର ଗୋଲାମି କରିବା ଭଲା କୋଉ ଦିଗରୁ ଶ୍ରେୟ । ଏଇ ବେଉସା କରି ମଧୁ ଆମରତ ବେଳକାଳ ସରିଲା । ଆରାମରେ ଗଣ୍ତେ ଖାଉଚୁ ଆଉ ଖଣ୍ତେ ପିନ୍ଧୁଚୁ । ଏହାଠୁ ବଳି ଆମର ଆଉ କ’ଣ ବା ଲୋଡ଼ା ?

 

ଇମିତି ଘଡ଼ିଏ ସୁଖଦୁଃଖ ହୋଇ ଦିହେଁ ଯେଝା ବାଟ ଧରିଲେ ।

 

ମଧୁ ସାହୁ ଦେଖିଲା ସେ ଇମିତି ବେପାର କରି ବେଶ୍ ସୁଖରେ ଚଳୁଚି । ଦୋକାନ ଅପେକ୍ଷା ସେ ଅଧିକ ଦି’ପଇସା ରୋଜଗାର କରୁଚି । ନିତି ଗାଁ ଭିତରକୁ ପଶିଗଲାବେଳକୁ ସମସ୍ତେ ଯେପରି ତାକୁ ଆଦରରେ ଘେରି ଯାଉଚନ୍ତି । ଗାଁର ଟିକିଟିକି ଛୁଆ ପିଲାଠାରୁ ଟୋକା ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାକୁ ଭଲ ପାଉଚନ୍ତି । ଏଇମାନଙ୍କ ଅସରନ୍ତି ସ୍ନେହ ଭିତରେ ଦିନଗୁଡ଼ା ବେଶ୍ ହାଲୁକା ଗତିରେ କଟିଯାଉଚି । ଦୁଃଖ ବିଷାଦର ଚିହ୍ନ ବି ଟିକିଏ ହେଲେ ନାହିଁ ।

 

ଏଇ ଗାଁରେ ରହିବାରୁ ଘରେ ମା’ ତାର ଭାରି ଖୁସି । ପତ୍ନୀ ତାକୁ ପାଖରେ ପାଇ ଆନନ୍ଦରେ ଆତ୍ମହରା । ତେବେ ସେ କାହିଁକି ସେଦିନ ଏଇ ଜନ୍ମମାଟି ଛାଡ଼ି ବିଦେଶ ଦଉଡ଼ୁଥିଲା । ଇମିତି ଭୁଲ ସେ ଜୀବନରେ ଆଉ କେବେ ହେଲେ କରିବ ନାହିଁ । ତା ଜୀବନରେ ଶାନ୍ତି ଓ ସରସତାର ଉତ୍ସ ଫୁଟାଇଚି ଏଇ ତାର ଜନ୍ମମାଟି । ଏହାଠାରୁ ପବିତ୍ର ମା’ ଆଉ ଜୀବନରେ କିଛି ନାହିଁ ।

 

ସେ ସରାଗରେ ଏଇ ଜନ୍ମମାଟିର ଧୂଳିକଣା ଟିକେ ମୁଣ୍ତରେ ମାରିଲା ବେଳକୁ ତା’ ଆଖି କଣରେ ଜମି ଆସିଥିଲା ଦି’ଟୋପା ଆବେଗ ମିଶା ଲୁହ ।

Image